ଚରିଗଲାଣି ଲଟାବୁଦା, ଶିଉଳି
ମହାପୁରୁଷଙ୍କ ଆଗରେ ଗଦା ହେଉଛି ଅଇଁଠା, ଆବର୍ଜନା
୩ ମାସରେ ଖର୍ଚ୍ଚ ହୋଇଛି ୩.୮୨ କୋଟି ଟଙ୍କା
ଭୁବନେଶ୍ବର: ଶିକ୍ଷଣୀୟ ବାର୍ତ୍ତା ସ୍ବରୂପ ଯେଉଁ ମହାପୁରୁଷଙ୍କ ଚିତ୍ର ପ୍ରାଚୀରରେ ଅଙ୍କା ଯାଇଥିଲା, ତାହା ଆଗରେ ଅଇଁଠା, ଆବର୍ଜନା ଆଦି ଗଦା କରାଯାଉଛି। ଆଉ କେଉଁଠି ପୋଷ୍ଟର ଛାଇଦେଲେଣି। ନୟାପଲ୍ଲୀ, ଆଇଆର୍ସି ଭିଲେଜ୍, କଳିଙ୍ଗ ଷ୍ଟୁଡିଓ ଛକ, ଉଦୟଗିରି ଅଞ୍ଚଳରେ ଏଭଳି ଚିତ୍ର ପୂଜ୍ୟପୂଜାର ବିଡ଼ମ୍ବନା ଓ ମହାପୁରୁଷମାନଙ୍କ ପ୍ରତି ଘୋର ଅପମାନ ସଦୃଶ ହୋଇଛି। ଫକୀର ମୋହନ ସେନାପତିଙ୍କ ଚିତ୍ରପଟ୍ଟ ହେଉ ଅବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କର, ସବୁଠି ସମାନ ସ୍ଥିତି। ଫଳସ୍ବରୂପ ଦେଶ ବିଦେଶରୁ ରାଜଧାନୀ ବୁଲି ଆସୁଥିବା ଆଗନ୍ତୁକମାନେ ଏହା ଦେଖି ଉପହାସ କରୁଛନ୍ତି ଓ ଏକ ନକାରାତ୍ମକ ମନୋଭାବ ନେଇ ଫେରୁଛନ୍ତି।
ବର୍ତ୍ତମାନର ଯୁବପିଢ଼ି ପାଶ୍ଚାତ୍ୟ ସଭ୍ୟତା ପଛରେ ଦୌଡ଼ିବାରେ ଲାଗିଛନ୍ତି। ନିଜ ପରମ୍ପରା, ସଂସ୍କୃତିକୁ ଭୁଲି ପାଶ୍ଚାତ୍ୟ ଦେଶର ପରମ୍ପରା, ସଂସ୍କୃତି, ବେଶଭୂଷାକୁ ଆଦରିବାରେ ଲାଗିଛନ୍ତି। ପାଶ୍ଚାତ୍ୟ ସଭ୍ୟତା ପଛରେ ଦୌଡ଼ୁଥିବା ଏହି ଯୁବପିଢ଼ି ମନରେ ଉତ୍କଳର ଗରିମାମୟ ଅଧ୍ୟାୟର ରୋମନ୍ଥନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାଚୀର ଅଙ୍କନର ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଥିଲେ। ଯାହା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ରାଜଧାନୀର ସୌନ୍ଦର୍ଯ୍ୟକୁ ବି ବହୁଗୁଣିତ କରିଥିଲା। ରାଜଧାନୀର ଏଭଳି ପ୍ରାଚୀର ଚିତ୍ରଣ କାର୍ଯ୍ୟକ୍ରମକୁ ବି କ୍ରମେ ଅନ୍ୟ ଜିଲ୍ଲାମାନେ ଆଦରି ସାରିଲେଣି। କିନ୍ତୁ ପ୍ରଥମ କରି ଏଭଳି ଅଭିନବ ପ୍ରୟାସ ଆପଣାଇଥିବା ରାଜଧାନୀର ଚିତ୍ରିତ ପ୍ରାଚୀରର ଏଭଳି ଅଭାବନୀୟ ସ୍ଥିତିକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି।
ଭୁବନେଶ୍ବର ମହାନଗର ନିଗମ ପ୍ରାଚୀର ଚିତ୍ରଣ(ୱାଲ୍ ପେଣ୍ଟିଂ)ରେ ମାସିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଚଳିତବର୍ଷର ତଥ୍ୟ ଦେଖିଲେ, ଗତ ମାର୍ଚ୍ଚ ମାସରେ ପ୍ରାଚୀର ଚିତ୍ରଣରେ ଭୁବନେଶ୍ବର ମହାନଗର ନିଗମ ୯୫ଲକ୍ଷ ୬୫ହଜାର ୨୩୪ ଟଙ୍କା ଖର୍ଚ୍ଚ କରିଥିଲା। ଏପ୍ରିଲରେ ୨୫ଲକ୍ଷ ୯୧ହଜାର ୯୬୯ ଟଙ୍କା ଖର୍ଚ୍ଚ କରିଥିଲା। ମେ ମାସରେ ଭୁବନେଶ୍ବର ମହାନଗର ନିଗମ ସର୍ବାଧିକ ୨କୋଟି ୬୧ଲକ୍ଷ ୨୬ହଜାର ୯୧୭ ଟଙ୍କା ଖର୍ଚ୍ଚ କରିଛି। ଅର୍ଥାତ୍ ମାର୍ଚ୍ଚରୁ ମେ ମାସ ମଧ୍ୟରେ ବିଏମ୍ ଏହି ଚିତ୍ରିତ ପ୍ରାଚୀର ପାଇଁ ଖର୍ଚ୍ଚ କରିଛି ୩ କୋଟି ୮୨ ଲକ୍ଷ ୭୪ ହଜାର ଟଙ୍କା। କେତେବେଳେ ମୁକ୍ତା ଯୋଜନା ଓ ଅନ୍ୟ ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ କରାଯାଉଛି। କୋଟିକୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ପ୍ରାଚୀର ଚିତ୍ରଣ କରାଯାଉଛି, ତାର ରକ୍ଷଣାବେକ୍ଷଣ ଦାୟିତ୍ବ ବି ଭୁବନେଶ୍ବର ମହାନଗର ନିଗମର। କିନ୍ତୁ ପ୍ରାଚୀର ଚିତ୍ରଣ ପରେ ଦାୟିତ୍ବରେ ଥିବା ବାବୁମାନେ ଆଉ ଆଡ଼ଆଖିରେ ଚାହୁଁନାହାନ୍ତି। ଫଳସ୍ବରୂପ ପ୍ରାଚୀର ବିକୃତ ହେବା ସହ ଏହା ଆମ ପରମ୍ପରା ଓ ସଂସ୍କୃତି ପ୍ରତି ଏକ ନକାରାତ୍ମକ ବାର୍ତ୍ତା ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/06/untitled-8-2025-08-06-07-10-50.jpg)