ପଞ୍ଚୁପାଣ୍ଡବ ଗୁମ୍ଫା ଅବହେଳିତ, ରାଜଧାନୀରେ ୧୫ଶହ ବର୍ଷର ଐତିହ୍ୟ

ଖଣ୍ଡଗିରି ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ, ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ ବିମୁଖ କାହିଁକି?

ଭୁବନେଶ୍ବର: ଚାରିପଟେ କୁଢ଼ କୁଢ଼ ଅଳିଆ। ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଉନାହିଁ। ଛାତରୁ ସିମେଣ୍ଟ ଖସି ଲୁହା ରଡ଼ ଦେଖାଯାଉଛି। ଏହା ହେଉଛି ବଡ଼ଗଡ଼ ବ୍ରିଟ୍ ଅଞ୍ଚଳରେ ଥିବା ପୁରାଣ ପ୍ରସିଦ୍ଧ ‘ପଞ୍ଚୁପାଣ୍ଡବ ଗୁମ୍ଫା’ର ଦୟନୀୟ ଅବସ୍ଥା। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏହି ୧୫୦୦ ବର୍ଷ ପୁରୁଣା ଐତିହ୍ୟସ୍ଥଳୀର ଦେଖାରେଖା ଓ ସୁରକ୍ଷା ପାଇଁ ଜଣେ ‌କେହି ସୁରକ୍ଷାକର୍ମୀ ବି ନାହାନ୍ତି। ଏହା କେବେ ପାଲଟି ଯାଏ ଅଳିଆ କୁଣ୍ଡ ତ’ ପୁଣି କାହାର ଅବାଧ ପ୍ରବେଶର ପେଣ୍ଠସ୍ଥଳୀ। ଏଥିସହ ଏହି ଐତିହ୍ୟସ୍ଥଳୀ ପାଲଟି ଯାଇଛି ଛୁଆଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଖେଳପଡ଼ିଆ। ଐତିହ୍ୟ ସୁରକ୍ଷା ତ’ ଦୂରର କଥା‌ ଏଠାର ସର୍ବନିମ୍ନ ରକ୍ଷଣାବେକ୍ଷଣ ପାଇଁ ଯେମିତି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ମନ ବଳୁନାହିଁ।

ପଞ୍ଚମ-ଷଷ୍ଠ ଶତାବ୍ଦୀରେ ନିର୍ମିତ ଏହି ଗୁମ୍ଫାରେ ଏକଦା ଜଉ ଘର ପୋଡ଼ି ସମୟରେ ପଞ୍ଚୁପାଣ୍ଡବଙ୍କ ସହ ଦ୍ରୌପଦୀ ଧଉଳିରୁ ଆସି ଦୀର୍ଘ ଦିନ ପର୍ଯ୍ୟନ୍ତ ଏଠାରେ ଅଜ୍ଞାତବାସରେ ରହିଥିଲେ। ପରେ ବଳରାମ ଦାସ ନାମକ ଜଣେ ଋଷି ଦୀର୍ଘ ଦିନ ଧରି ବାସ କରି ଏଠାରେ ପଞ୍ଚୁପାଣ୍ଡବଙ୍କ ସହ ଶିବ ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ। ସେ ଗଲା ପରେ ବଡଗଡ଼ ଗ୍ରାମବାସୀ ଓ ବ୍ରିଟ କଲୋନିବାସୀ ମିଶି ସେ ସ୍ଥାପନ କରିଥିବା ଠାକୁରଙ୍କୁ ପୂଜାର୍ଚ୍ଚନା କରନ୍ତି। ଏହାସହ ଏଠାରେ ଜାଗର, କାର୍ତ୍ତିକ ପୂର୍ଣ୍ଣମୀ ଓ ପଣା ସଂକ୍ରାନ୍ତିରେ ଅଷ୍ଟପ୍ରହରୀ ସହ ନାମ ସଂକୀର୍ତ୍ତନ ଆଦି ପର୍ବପର୍ବାଣି ବହୁ ଜାକଜମକରେ ପାଳନ କରାଯାଇଥାଏ। ଏହାସହ ସ୍ଥାନୀୟ ଜନସାଧାରଣ ସରକାରଙ୍କ ସହ ମିଶି ଏହି ଐତିହ୍ୟସ୍ଥଳୀର ଉନ୍ନତି ସାଧନ ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନେଉଛନ୍ତି। ଏଠାରେ ଏକ ପ୍ରାଚୀନ ମୁଗୁନି ପଥରରେ ଖୋଦିତ ପଞ୍ଚୁପାଣ୍ଡବଙ୍କ ସହ ଭଗବାନ ଶିବଙ୍କ ପ୍ରତିମା ଦେଖିବାକୁ ମିଳେ। ଗୁମ୍ଫା ପରିସରରେ ଏକ ସୁଡ଼ଙ୍ଗ ଥିବା ଜନସାଧାରଣର ବିଶ୍ୱାସ କରନ୍ତି। ସୁଡ଼ଙ୍ଗଟି ଖଣ୍ଡଗିରି ଗୁମ୍ଫା ସହ ସଂଯୁକ୍ତ। ଗୁମ୍ଫା ମଧ୍ୟରେ ଥିବା ହୁଙ୍କାରେ ନାଗ ସାପ ରହି ଦର୍ଶନ ଦେଉଥିବା କହିଛନ୍ତି ମନ୍ଦିର ପୂଜକ ପ୍ରମୋଦ କୁମାର ପଣ୍ଡା।

ଏହାସହ ସ୍ଥାନୀୟ ଅଧିବାସୀ ବନମାଳୀ ପଣ୍ଡା କୁହନ୍ତି, ଏହି ଗୁମ୍ଫା ବିଭିନ୍ନ ଐତିହାସିକ ଓ ପୌରାଣିକ କଥାର ମୂକସାକ୍ଷୀ। କିନ୍ତୁ ସରକାର ଏହାର ରକ୍ଷଣାବେକ୍ଷଣ ଉପରେ ବିଶେଷ ଧ୍ୟାନ ନେଉନାହାନ୍ତି। କିଛି ଲୋକ ପଞ୍ଚୁପାଣ୍ଡବ ଗୁମ୍ଫାର ବହୁ ସ୍ଥାନ ଜବରଦଖଲ କରି ରଖିଛନ୍ତି। ବର୍ଷା ଦିନେ ଏହି ଗୁମ୍ଫା ଭିତରେ ପାଣି ପଶି ଦିନ ଦିନ ଧରି ଜମି ରୁହେ। ସରକାର ଏହା ମଧ୍ୟରେ ଏକ ପାର୍କ କରିବା ସହ ଆଲୋକୀକରଣ ଓ ରକ୍ଷଣାବେକ୍ଷଣ କରିବା ସହ ବର୍ଷା ଦିନେ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା କରିପାରିଲେ, ଏହି ପୀଠକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅଶ୍ୱିନୀ ଶତପଥୀ କହିଛନ୍ତି, ୨୦୧୨ ମସିହାରୁ ସରକାର ଏହାକୁ ନିଜ ଅଧୀନକୁ ନେଇଛନ୍ତି। ଏହାର ସୁରକ୍ଷା ପାଇଁ ଜଣେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏଠାରେ ନିୟୋଜିତ କରାଯାଇଛି। ସରକାର ମଧ୍ୟ ଏହାର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତି ପାଇଁ ବହୁ ନିଷ୍ପତ୍ତି ନେଇଛନ୍ତି। ଏହାର ଉନ୍ନତି ପାଇଁ ଓ ଅଧିକ ପର୍ଯ୍ୟଟକ ଆସିବା ପାଇଁ ସରକାର ଆଗକୁ ବିଭିନ୍ନ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି।

୭ ବର୍ଷ ପରେ ଆରମ୍ଭ ହୋଇନି ଖଣ୍ଡଗିରି-ଉଦୟଗିରି ଲାଇଟ୍‌ ସାଉଣ୍ଡ୍‌ ସୋ’ କାମ

୨୦୧୪ ମସିହାରେ କୋଣାର୍କ, ଧଉଳି, ଖଣ୍ଡଗିରି ଓ ଉଦୟଗିରିରେ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ ପ୍ରଦର୍ଶନ ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁ୍ତ ହେଲା। ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ (ଓଟିଡିସି) ମଧ୍ୟରେ ବୁଝାମଣା ହୋଇ ଏକ ଚୁକ୍ତିପତ୍ର ସ୍ୱାକ୍ଷର ମଧ୍ୟ ହେଲା। ଏହା ଭିତରେ ୭ ବର୍ଷ ବିତିଯାଇଛି। ‌କୋଣାର୍କ ଓ ଧଉଳିର ଲାଇଟ୍ ଆଣ୍ଟ୍‌ ସାଉଣ୍ଟ୍‌ ସୋ’ ଏକ ସଫଳ ପ୍ରକଳ୍ପ ଭାବେ ଉଭା ହୋଇଥିବା ବେଳେ ଏ ଯାଏ ଖଣ୍ଡଗିରି ଓ ଉଦୟଗିରି ଲାଇଟ୍‌ ଆଣ୍ଟ୍‌ ସାଉଣ୍ଡ୍‌ ସୋ’ କାମ ବି ଆରମ୍ଭ ହୋଇପାରିଲା ନାହିଁ। କେବେ କରୋନାର ବାହାନା ଦେଖାଇ ତ’ ଆଉ କେବେ ଦୁଇ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏଯାଏ କାମ ଆରମ୍ଭ ହୋଇ ପାରିନାହିଁ।
ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖଣ୍ଡଗିରି ଓ ଉଦୟଗିରି ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଖଣ୍ଡଗିରି ଓ ଉଦୟଗିରିର ପ୍ରାଚୀନ ଐତିହାସିକ କୀର୍ତ୍ତିର ସୁରକ୍ଷା ସହିତ ପାରିପାର୍ଶ୍ବିକ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। କିଛି କାର୍ଯ୍ୟକାରୀ ହୋଇଥିବା ବେଳେ ଅନେକ କିଛି ବାକି ରହିଯାଇଛି। ଯୋଜନା ପରେ ଯୋଜନା ହୋଇଛି ହେଲେ ତାହା କାର୍ଯ୍ୟରେ ରୂପାନ୍ତରିତ ହେବାରେ ଅହେତୁକ ବିଳମ୍ବ ଦେଖାଯାଉଛି। ଯାହା ପର୍ଯ୍ୟଟକ ଓ ଗବେଷକଙ୍କୁ ଅନେକ କ୍ଷେତ୍ରରେ ନିରାଶ କରିଛି।

କାମରେ ଆସୁନି ନୂଆ ରାସ୍ତା

ଖଣ୍ଡଗିରି ଓ ଉଦୟଗିରିକୁ ଅଲଗା କରିଥିବା ରାସ୍ତାକୁ ନେଇ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ବ୍ୟବସ୍ଥା ରହିଥିଲା। ଐତିହାସିକଙ୍କ ଓ ପ୍ରତ୍ନତତ୍ତ୍ବବିତ୍‌ଙ୍କ ମତରେ ଯଦି ପୁରୁଣା ପାହାଡ଼ର ଏତେ ନିକଟରୁ ଭାରୀଯାନ ଓ ଅନ୍ୟ ଗାଡ଼ି ସବୁବେଳେ ଯାତାୟାତ କରେ ତେବେ ଶିଳାଗୁଡ଼ିକରେ ଫାଟ ଆସିବା ସହିତ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ଉକ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ଅନ୍ୟ ପଟରେ ସେପରି ଯିବା ଆସିବାକୁ ବ୍ୟବସ୍ଥା କରିବାକୁ ହେବ। ଏଥିରେ ଏକମତ ହୋଇ ବିଡିଏ ଓ ବିଏମ୍‌ସି ମଧ୍ୟ ସହମତି ଜଣାଇ ରାସ୍ତାକୁ ବନ୍ଦ କରିବାକୁ ରାଜି ହୋଇଥିଲେ। ଉକ୍ତ ରାସ୍ତା ବନ୍ଦ ହେବା ସହ, ଜବରଦଖଲ କରିଥିବା ଲୋକଙ୍କୁ ହଟାଯାଇ ସେଠାରେ ସୌନ୍ଦର୍ଯ୍ୟୀକରଣ କରାଯିବ ବୋଲି ଯୋଜନା ରହିଥିଲା। ତେବେ ନା ପାର୍କ ହୋଇଛି,  ନା ଜଳ ଫୁଆରା ଲାଗିଛି। ରାସ୍ତା ମଧ୍ୟ ବନ୍ଦ୍ ହୋଇ ନାହିଁ। ରାସ୍ତା ବନ୍ଦ କରିବା ଦୂରରେ ଥାଉ ଯେତିକି ରାସ୍ତା ଭଲ ଥିଲା ତାହା ଏବେ ଖରାପ ହେବାକୁ ବସିଲାଣି। ଖଣ୍ଡଗିରି ଗୁମ୍ଫା ଓ ଉଦୟ ଗିରି ଗୁମ୍ଫା ପ୍ରତି ସରକାରଙ୍କ ଯେପରି ଆତ୍ମୀୟତା ନାହିଁ ସେପରି ଯୁବପିଢ଼ିଙ୍କ ମଧ୍ୟରେ ନିଜ ଇତିହାସକୁ ନେଇ ସମ୍ମାନ ନ ଥିବା ଦେଖିବାକୁ ମିଳୁଛି। ଅନେକ ଯୁବପିଢ଼ି ଏହାର ପରିସରରେ ବିଭିନ୍ନ ଅଶ୍ଳୀଳ କଥା ଲେଖାଲେଖି କରି ଏହାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ଦେଖାଯାଇଛି। ଏହାକୁ ସଜାଡ଼ିବା ସଫା କରିବା କଥା ଚିନ୍ତା କରିବା ଦୂରେ ଥାଉ ସମ୍ମାନ ଦେବାର ମଧ୍ୟ ଦେଖା ଯାଉନାହିଁ। ତେଣୁ ଆଜିର ଏହି ଐତିହ୍ୟ ଦିବସରେ ସମସ୍ତଙ୍କ ଦାୟିତ୍ବ ନେବାର ଆବଶ୍ୟକତା ରହିଛି।

ଏଥର ଫୋକସ୍‌ରେ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର କାମ
ମନ୍ଦିରମାଳିନୀ ଭୁବନେଶ୍ବରରେ ପ୍ରତିଟି ଦେବାଳୟ ସହିତ ଜଡ଼ିତ ରହିଛି ଗୋଟିଏ ଲେଖାଏଁ ଐତିହ୍ୟ ପୁଷ୍କରିଣୀ। ପୁରୁଣା ଭୁବନେଶ୍ବରରେ ଏଏସ୍‌ଆଇ ଅଧୀନରେ ଥିବା ମନ୍ଦିର ପରିସରର ପୁଷ୍କରିଣୀଗୁଡ଼ିକର ରକ୍ଷଣାବେକ୍ଷଣା ଓ ପୁରନୁଦ୍ଧାରର ଦାୟିତ୍ବ ଏଏସ୍‌ଆଇ ଉପରେ ନ୍ୟସ୍ତ। ପ୍ରତିଟି ପୁଷ୍କରିଣୀ ଓ ଜଳାଶୟଗୁଡ଼ିକର ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। ହେଲେ ଅନେକ ପୁଷ୍କରିଣୀ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଜଳ ନିଷ୍କାସନର ଅବ୍ୟବସ୍ଥା ଯୋଗୁଁ ବର୍ଷା ଦିନେ ଏସବୁ ଜଳାଶୟରୁ ଜଳ ନିଷ୍କାସନ ନ ହୋଇପାରି ମନ୍ଦିରରେ ପଶେ। ଫଳରେ ବର୍ଷା ଦିନ ସାରା ଦିଅଁ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି। ଅନ୍ୟପଟେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପୁଷ୍କରିଣୀ ନିଜର ଅସ୍ତିତ୍ବ ହରାଇବାକୁ ବସିଲେଣି। ଏହାକୁ ଅନେକ ସମୟରେ ସ୍ଥାନୀୟ ବାସିନ୍ଦା, ଭକ୍ତ ଓ ଐତିହାସିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଉକ୍ତ ପୁଷ୍କରିଣୀଗୁଡ଼ିକର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି ବୋଲି ଏଏସ୍‌ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଏ ନେଇ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ସହ ଯଥା ଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ରାମେଶ୍ବର, ବ୍ରହ୍ମେଶ୍ୱର, ପାପନାଶିନୀ, ଦେବୀ ପାଦହରା ପୁଷ୍କରିଣୀର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଐତିହ୍ୟର ମୌଳିକତା ବଜାୟ ରଖିବାକୁ ଯତ୍ନବାନ ହେବା
ଆମ ପୂର୍ବ ପିଢ଼ି ଉତ୍ତରାଧିକାରୀ ସୂତ୍ରରେ ଏହିସବୁ ଐତିହାସିକ କୀର୍ତ୍ତିଗୁଡ଼ିକ ଆମ ପାଇଁ ଛାଡ଼ି ଯାଇଛନ୍ତି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟୀକରଣ ଆମର ଦାୟିତ୍ବ। ପୌରାଣିକ ସ୍ଥାନର ନିଜର ଯେଉଁ ମୌଳିକତା ରହିଛି ତାକୁ ନ ବଦଳାଇ ନ ଭାଙ୍ଗି, ନଷ୍ଟ ନ କରି କିପରି ସଂରକ୍ଷିତ କରି ହେବ ତାହା ସମସ୍ତଙ୍କର ମାନସିକତା ରହିବା ଆବଶ୍ୟକ। ଅନେକ ଲୋକ କୁହନ୍ତି ପୁରୁଣାକୁ ଭାଙ୍ଗି ନୂଆ ଗଢ଼ି ଦିଅ, ଯାହା ଗ୍ରହଣୀୟ ନୁହେଁ। ଏହା ଆମ ପୂର୍ବ ପୁରୁଷମାନଙ୍କ ପ୍ରତି ଅସମ୍ମାନ ହେବ। ସମସ୍ତେ ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି। ତେଣୁ ‘ବିଶ୍ବ ଐତିହ୍ୟ ଦିବସ’ରେ ଏହିସବୁ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ପାଇଁ ଯୋଜନା କରାଯାଉଛି।
ଅରୁଣ ମଲ୍ଲିକ, ଅଧୀକ୍ଷକ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ
ଐତିହ୍ୟକୁ ନେଇ ସମ୍ବେଦନଶୀଳ ହେବା
କେବଳ ମନ୍ଦିରରେ କି ପର୍ଯ୍ୟଟନ ସ୍ଥଳରେ ନୁହେଁ, ଆମ ପରମ୍ପରା, ଚାଲିଚଳଣି ଓ ଖାଦ୍ୟପେୟକୁ ନେଇ ଆମ ଐତିହ୍ୟ। ଏହି ଐତିହ୍ୟ ଆମକୁ ସ୍ବତନ୍ତ୍ର ପରିଚୟ ଦିଏ ଓ ବିଶ୍ବ ଦରବାରରେ ଗୌରବାନ୍ବିତ କରେ। ଏଣୁ ଆମ ଐତିହ୍ୟର ମୌଳିକତା ଓ ସ୍ବାତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ‌ହେବା ଉଚିତ। ଐତିହ୍ୟର ସୁରକ୍ଷା ପ୍ରତି ସମସ୍ତେ ସମ୍ବେଦନଶୀଳ ହେଲେ ଆମ ପରିଚୟ ଇତିହାସ ପୃଷ୍ଠାରୁ ଲିଭିଯିବ ନାହିଁ।
ଡ. ସୁନୀଲ ପଟ୍ଟନାୟକ, ସମ୍ପାଦକ, ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସିଆ ଗବେଷଣା ପ୍ରତିଷ୍ଠାନ
ରାଜ୍ୟର ନିଜସ୍ବ ଐତିହ୍ୟ ବିଲ୍‌ ଆସିବା ଜରୁରୀ
ରାଜ୍ୟ ସରକାର ରାଜ୍ୟର ନିଜସ୍ୱ ଐତିହ୍ୟ ବିଲ ଆଣିବା ଦରକାର। ୨୦୧୦ ମସିହାରୁ ଜମ୍ମୁ-କଶ୍ମୀର ଓ ଗତବର୍ଷ ଆସାମ ସରକାର ନିଜସ୍ୱ ବିଲ୍‌ ଆଣିଛନ୍ତି। ଓଡ଼ିଶା ଭଳି ଏକ ଐତିହ୍ୟ ସମ୍ପନ୍ନ ରାଜ୍ୟ ପାଇଁ ନିଜସ୍ବ ଐତିହ୍ୟ ବିଲ୍‌ ସବୁଠାରୁ ବେଶୀ ଆବଶ୍ୟକ। ଅନ୍ୟପଟେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ପୁନର୍ଗଠନ ଆବଶ୍ୟକ। ଏହାସହ ଏଏସ୍‌ଆଇର ରାଜ୍ୟ ଐତିହ୍ୟ ପ୍ରତି ଯେଉଁ ଚରମ ଅବହେଳା ରହିଛି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ସଂରକ୍ଷିତ ସ୍ମାରକୀ ତାଲିକାରେ ମାତ୍ର ୨୦୦ଟି ଐତିହ ସ୍ଥାନ ପାଇଛି। ଆହୁରି ମଧ୍ୟ ଏହି ତାଲିକାରେ ସ୍ଥାନ ପାଇବାକୁ ଯୋଗ୍ୟ। ସବୁଠାରୁ ବଡ଼ କଥା ପ୍ରାଚୀ ନଦୀର ପୁନରୁଦ୍ଧାର ହେବା ଆବଶ୍ୟକ।
ଅନିଲ ଧୀର୍‌, ବିଶିଷ୍ଟ ଐତିହାସିକ
ଐତିହ୍ୟ ସୁରକ୍ଷା ପାଇଁ ଓଡ଼ିଶାବାସୀ ସ୍ବର ଉତ୍ତୋଳନ କରନ୍ତୁ
ଓଡ଼ିଶାବାସୀ ଏବେ ସ୍ବର ଉତ୍ତୋଳନ ନ କଲେ ରାଜ୍ୟ ସରକାର ସମସ୍ତ ଐତିହ୍ୟକୁ ଭାଙ୍ଗିରୁଜି ଚର୍‌ମାର୍‌ କରିଦେବେ। ସମସ୍ତ ପ୍ରକାର ଆଇନ୍‌କୁ ଭାଙ୍ଗି ପୁରୀରେ ଯେପରି ହଜାର ହଜାର ବର୍ଷ ପୁରୁଣା ମଠ ଭାଙ୍ଗି ଦେଲେ ସେଇ ଅବସ୍ଥା ଓଡ଼ିଶାର ପ୍ରତିଟି ଐତିହ୍ୟ କ୍ଷେତ୍ରରେ ଦେଖାଯିବ। ନିଜ ଐତିହ୍ୟକୁ ସୁରକ୍ଷା ଦେବାର ଗୁରୁଦାୟିତ୍ବ ଏବେ ଓଡ଼ିଶାବାସୀଙ୍କ ଉପରେ ନ୍ୟସ୍ତ। ଐତିହ୍ୟ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ନାହିଁ। କେବଳ ବେଆଇନ୍‌ ନିର୍ମାଣ ଓ ଜବରଦଖଲକୁ ଉଚ୍ଛେଦ କରିପାରିଲେ ପୁରୁଣା ଐତିହ୍ୟ ସୁରକ୍ଷିତ ହୋଇପାରିବ। କିନ୍ତୁ ସରକାର କାହା ସହ ବିଚାରବିମର୍ଶ ନ କରି ମନ ଇଚ୍ଛା ସୌନ୍ଦର୍ଯ୍ୟୀକରଣ କରିବା ଫଳରେ ପୁରୁଣା ଐତିହ୍ୟର ସ୍ବାତନ୍ତ୍ରତା କ୍ଷୁଣ୍ଣ ହେଉଛି।
ବିଶ୍ବଜିତ ମହାନ୍ତି, ସଦସ୍ୟ, ଇନ୍‌ଟାକ୍ଟ

ସମ୍ବନ୍ଧିତ ଖବର