ପ୍ରଶାସନର ପ୍ରତାରଣା, ଅନ୍ଧାରରେ ପଣ୍ଡାକୁଦିଆ ବସ୍ତି

ଭୁବନେଶ୍ବର: ଘରେ ଘରେ ପାନୀୟ ଜଳ, ଆଲୋକ, ରାସ୍ତା, ଡ୍ରେନ୍ ସବୁ ବ୍ୟବସ୍ଥା କରିଦେବୁ। ରହିବାଠୁ ଆରମ୍ଭ କରି ପିଲାଙ୍କ ପାଠ ପଢ଼ା ପର୍ଯ୍ୟନ୍ତ ସବୁ କିଛି ବ୍ୟବସ୍ଥିତ କରାଯିବ। ଓୟୁଏଟି ଫାର୍ମ ଗେଟ୍‌ସ୍ଥିତ ତ୍ରିନାଥ ବସ୍ତିର ୧୦୬ ପରିବାରକୁ ଉଚ୍ଛେଦ କରିବା ବେଳେ ଏହି ଭଳି ବିଭିନ୍ନ ସୁବିଧା ସୁଯୋଗ ଦିଆଯିବ ବୋଲି ଫୁସୁଲା ଫୁସୁଲି କରି ଲୋକଙ୍କୁ ୨୩ ନମ୍ବର ଵାର୍ଡସ୍ଥିତ ପଣ୍ଡାକୁଦିଆକୁ ସ୍ଥାନାନ୍ତରିତ କରିଦିଆଗଲା। କିନ୍ତୁ ଉଚ୍ଛେଦକୁ ଇତି ମଧ୍ୟରେ ୬ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଏହି ବସ୍ତିବାସିନ୍ଦା ଏବେ ବି ସାମାନ୍ୟତମ ମୌଳିକ ସୁବିଧା ପାଇ ପାରୁନାହାନ୍ତି। ଇଲେକ୍ଟ୍ରି ଖୁଣ୍ଟି ପୋତା ହୋଇ ବିଦ୍ୟୁତ୍ ତାର ଯାଇଛି ମାତ୍ର ଘରଗୁଡ଼ିକୁ ବିଜୁଳି ସଂଯୋଗ ହୋଇନାହିଁ। ଯାହା ଦ୍ବାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଂଜ ନଇଁବା ପୂର୍ବରୁ ସବୁ କାମ ସଅଳ ସାରିବାକୁ ପଡ଼ୁଛି। ନଚେତ୍ ଡିବିରି କିମ୍ବା ମହମବତି ଜଳାଇ କାମ କରିବାକୁ ପଡ଼ୁଛି। ପିଲାଙ୍କ ପାଠ ପଢ଼ା କଥା ନ କହିବା ଭଲ। ଘର ଗୁଡ଼ିକରେ ବିଜୁଳି ସଂଯୋଗ ନଥିବାରୁ ସେମାନେ ମୋବାଇଲ୍ ଅବା ଅନ୍ୟ କୌଣସି ମାଧ୍ୟମରେ ଅନ୍‌ଲାଇନ୍ ପାଠ ପଢ଼ିବା ସମ୍ଭବ ହେଉନାହିଁ।

ଗୋଟେ ପଟେ କରୋନା ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଘରୁ ରହି କାମ କରିବାକୁ ପରାମର୍ଶ ଦେଉଥିବା ବେଳେ ବିନା ବିଜୁଳିରେ କେମିତି ଘରେ ରହିବେ ସେ ନେଇ ପ୍ରଶ୍ନ ଉଠୁଛି। ଏନେଇ ତ୍ରିନାଥ ବସ୍ତିବାସିନ୍ଦା ବିଏମ୍‌ସି କମିସନରଙ୍କୁ ଦେଖା କରି କହିଲେ ଆଜି ଦେବୁ କାଲି ଦେବୁ କହି କଥା ଗଡ଼ାଇ ଚାଲିଲେ। ଆଉ ଏବେ କହୁଛନ୍ତି, ମହାମାରୀ କରୋନା ବ୍ୟାପୁଛି ବିଜୁଳି ସଂଯୋଗ ହୋଇପାରିବ ନାହିଁ। ସମସ୍ୟା ସଂପର୍କରେ ତ୍ରିନାଥ ବସ୍ତିର ମନୋଜ ଦାସଙ୍କ କହିବା କଥା, ଆମକୁ ଜାନୁଆରି ୨୦ ତାରିଖରେ ଉଚ୍ଛେଦ କରାଯାଇ ପଣ୍ଡାକୁଦିଆ ଅଣାଗଲା। ବିଧାୟକ ଅଶୋକ କୁମାର ପଣ୍ଡାଙ୍କଠୁ ଆରମ୍ଭ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଖା କରି ସମସ୍ୟା ସଂପର୍କରେ କହିଲୁ। ହେଲେ କିଛି ସୁଫଳ ମିଳିଲା ନାହିଁ। ପରେ ବିଏମ୍‌ସି କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲୁ। ମାତ୍ର ଆଜି କାଲି କହି ଠକି ଚାଲିଲେ। ଏବେ କରୋନା ଆସିଯାଇଥିବାରୁ ସେମାନେ ବାହାନା କରି କୌଣସି କାମ କରୁନାହାନ୍ତି। ଲୋକଙ୍କୁ ଯଦି ସୁବିଧା ନଦେଇପାରିବେ ତେବେ ଉଚ୍ଛେଦ କରୁଛନ୍ତି କାହିଁକି। ମିଛ ପ୍ରତିଶ୍ରୁତି ଦେଇ ଆମକୁ ଠକି ସରକାର କି’ ଲାଭ ପାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିଭଳି ପାନୀୟ ଜଳ ଯୋଗାଣ ସଂପର୍କରେ ମଧ୍ୟ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ବସ୍ତିରେ ହାତଗଣତି କେତୋଟି ଜାଗାରେ ପାଣିଟାଙ୍କି ରହିଛି। ଯାହା ବସ୍ତି ବାସିନ୍ଦାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ନିଅଣ୍ଟ। ଲୋକଙ୍କ ତୁଳନାରେ ବସ୍ତିରେ ଥିବା ପାଣିଟାଙ୍କି ପର୍ଯ୍ୟାପ୍ତ ହେଉନଥିବାରୁ ପାଣି ପାଇଁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ଲକ୍‌ଡାଉନ୍‌ରେ ପାଣି ପାଇଁ ଆମେ କୁଆଡ଼େ ଯିବୁ ବୋଲି କାହ୍ନୁଚରଣ ସାହୁ କହିଛନ୍ତି। ପିଇବା ପାଣି ରଖିଲେ ମଧ୍ୟ ସେଥିରେ କିଛି ସମୟ ପରେ ବହଳିଆ ଆସ୍ତରଣ ବସିଯାଉଛି। ଯାହା ପିଇବା ପାଇଁ ଅନୁପଯୋଗୀ। ଅପରପକ୍ଷରେ ଏବେ କରୋନା ବ୍ୟାପୁଥିବାରୁ କାହା ପାଖକୁ ଯାଇ ଅଭିଯୋଗ କରିବା ମଧ୍ୟ ସମ୍ଭବ ନୁହେଁ। ଗୋଟେ ପଟେ ସରକାର ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଏପର୍ଯ୍ୟନ୍ତ ଦୁଇବର୍ଷ ତଳେ ଆସିଥିବା ଜଗନ୍ନାଥ ବସ୍ତିବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇ ପାରିନଥିବା ବେଳେ ଆଗାମୀ ଦିନରେ ଆସିବାକୁ ଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ବେଳେ କ’ଣ କହି ସେମାନଙ୍କୁ ସ୍ଥାନାନ୍ତର କରିବେ ବୋଲି ଶ୍ରୀ ସାହୁ କହିଛନ୍ତି। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଉପେନ୍ଦ୍ର କୁମାର ଖାଡ଼େଙ୍ଗାଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିନଥିଲା।

ସମ୍ବନ୍ଧିତ ଖବର