ଅଭିଭାବକ ପିଲାଙ୍କ ବିଷୟରେ ବେଶି ଚିନ୍ତିତ

ଭୁବନେଶ୍ୱର: ବୟସ୍କ ଓ ଯୁବକମାନେ ଯେତେବେଳେ ଅର୍ଥପୂର୍ଣ୍ଣ ସମ୍ପର୍କ ଗଢ଼ନ୍ତି, ସେତେବେଳେ ତାହା ଉଭୟ ଗୋଷ୍ଠୀର ସୁସ୍ଥତାକୁ ଉନ୍ନତ କରେ। ବୟସ୍କମାନେ ନିଜର ଅଭିଜ୍ଞତା ଓ ଜ୍ଞାନ ପ୍ରଦାନ କରିଥାନ୍ତି। ଯୁବଗୋଷ୍ଠୀ ସେମାନଙ୍କର ବିଚ୍ଛିନ୍ନତା ଓ ଏକାକୀକୁ ଏଡ଼ାଇବାରେ ସାହାଯ୍ୟ କରନ୍ତି। ଆଜିର ଦିନରେ ପ୍ରାପ୍ତବୟସ୍କ ବ୍ୟକ୍ତିମାନେ ପ୍ରାୟତଃ ଅଣଦେଖା ଓ ଭେଦଭାବର ଶିକାର ହେଉଛନ୍ତି। ଅଭିଭାବକ କେବଳ ସେମାନଙ୍କ ପିଲାଙ୍କ ଶିକ୍ଷା ବିଷୟରେ ଅଧିକ ଚିନ୍ତିତ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ଓ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ସମାଜବିଜ୍ଞାନ ବିଭାଗ ଏବଂ ନୃତତ୍ତ୍ବ ବିଭାଗ ଦ୍ୱାରା ଆୟୋଜିତ ‘ବୃଦ୍ଧ ଏବଂ ବହିଷ୍କାର: ଅନ୍ତର୍ଭୁକ୍ତ ପାଇଁ ଏକ ମାର୍ଗ’ ଶୀର୍ଷକ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗଦେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ କହିଲେ ବୃଦ୍ଧ ମହିଳାଙ୍କ ଅବସ୍ଥା ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଧିକରୁ ଅଧିକ ବରିଷ୍ଠ ନାଗରିକ ନିଜ ପୁଅ ଓ ବୋହୂଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ସହରଗୁଡିକର ବୃଦ୍ଧାଶ୍ରମକୁ ଯାଉଛନ୍ତି। ଆଜିକାଲିର ପିଲାମାନେ ପିତାମାତାଙ୍କର ଯତ୍ନ ନେବାକୁ ଚାହାନ୍ତି ନାହିଁ। ଯେଉଁଠି ଆଦିବାସୀ ଅଞ୍ଚଳର ଲୋକେ ସେମାନଙ୍କ ପିତାମାତାଙ୍କ ସହ ରୁହନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଅପେକ୍ଷା ଆଦିବାସୀ ସମାଜ ବହୁତ ଭଲ ବୋଲି ମତବ୍ୟକ୍ତ କରିଥିଲେ।

ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ଓଏଚଇପିଇଇର ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ ଯୋଗଦେଇ ଭାରତରେ ବୟସ୍କଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଲାଗି ଯୁବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉଚିତ ବୋଲି ମତପ୍ରକାଶ କରିଥିଲେ। ସମାଜବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ନବନୀତା ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୃତତ୍ତ୍ବ ବିଭାଗର ଆସୋସିଏଟ୍ ପ୍ରଫେସର କାହ୍ନୁ ଚରଣ ଶତପଥୀ ଧନ୍ୟବାଦ ଦେଇଥିଲେ। ସମାଜବିଜ୍ଞାନର ଆସୋସିଏଟ୍ ପ୍ରଫେସର ରବୀନ୍ଦ୍ର ଗରାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଷୟିକ ଅଧିବେଶନରେ ପ୍ରଫେସର ପାଣ୍ଡେ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ମୋନାଲିସା ବଳ, ନୃତତ୍ତ୍ବ ବିଭାଗର ଆସୋସିଏଟ୍ ପ୍ରଫେସର ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଯୋଗଦେଇ ‘ବୃଦ୍ଧଙ୍କ ସାମାଜିକ ବହିଷ୍କାର’ ବିଷୟରେ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କହିଥିଲେ।

ସମ୍ବନ୍ଧିତ ଖବର