ନବମ ଶ୍ରେଣୀ ଛାତ୍ରଙ୍କ ଦେହାନ୍ତ ଚକ୍ଷୁ ଦାନ କଲେ ବାପା ମା’

ମେଣ୍ଢାଶାଳ: ମହତ କାମ ପାଇଁ ଜଣେ ଜଣେ ମରି ବି ଅମର ରହିଯାଆନ୍ତି। ଏମିତି ବହୁ ଉଦାହରଣ ରହିଛି। ମୃତ୍ୟୁ ପରେ କିଡ୍‌ନି, ଚକ୍ଷୁ ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗଦାନ କରି ବହୁ ଲୋକ ଅମର ରହିପାରିଛନ୍ତି। ସେମିତି ଏକ ଘଟଣା ଘଟିଛି ଚନ୍ଦକା ଥାନା ମେଣ୍ଢାଶାଳ ଗାଁର ନବମ ଶ୍ରେଣୀର ଛାତ୍ର ହିମାଂଶୁ ବେହେରା ଓରଫ୍ ବବୁଲ୍‌ଙ୍କ କ୍ଷେତ୍ରରେ। ପୁଅର ଅକାଳ ବିୟୋଗରେ ଭାଙ୍ଗି ପଡ଼ିଥିବା ବାପା ମା’ ବବୁଲ୍‌ର ଚକ୍ଷୁ ଦାନ କରି ତାଙ୍କୁ ଅମର କରି ପାରିଛନ୍ତି। ବବୁଲ୍‌ ଆଖିରେ ଅନ୍ୟ କେହି ଦୁନିଆ ଦେଖିବାର ସୁଯୋଗ ସୃଷ୍ଟି କରିଥିବାରୁ ବାପା ମା’ଙ୍କୁ ସମବେଦନା ଓ ପ୍ରଶଂସାର ସୁଅ ଛୁଟିଛି।

ସୂଚନାନୁସାରେ ପ୍ରକାଶ ବେହେରା ଓ ସୁବାସିନୀଙ୍କ ପୁଅ ବବୁଲ୍‌ ଗତକାଲି ସକାଳେ ସଂକ୍ରାନ୍ତି ପାଇଁ ଗାଁ ମନ୍ଦିରକୁ ଯାଇଥିଲେ। ଶିବ ମନ୍ଦିର, ହନୁମାନ ମନ୍ଦିର ଓ ଗାଁର ଆରାଧ୍ୟ ଠାକୁର ବାସୁଦେବଙ୍କ ମନ୍ଦିରରେ ଦୀପ ଜାଳିଥିଲେ। ଘରକୁ ଫେରି ଖାଇ ସାରିବା ପରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ପରିବାର ଲୋକେ ତୁରନ୍ତ ତାଙ୍କୁ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ରାତିରେ ହିଁ ଚିକିତ୍ସାଧୀନ ଅବସ୍ଥାରେ ବବୁଲ୍‌ ଆଖି ବୁଜି ଦେଇଥିଲେ। ଆଜି ବବୁଲ୍‌ର ମୃତଦେହ ବ୍ୟବଚ୍ଛେଦ ହେବା ପୂର୍ବରୁ ଚକ୍ଷୁ ବ୍ୟାଙ୍କ୍‌ ପକ୍ଷରୁ ବାପା ମା’ଙ୍କୁ ଯୋଗାଯୋଗ କରାଯାଇଥିଲା ଓ ସେମାନେ ପୁଅର ଚକ୍ଷୁ ଦାନ କରିବାକୁ ସମ୍ମତି ଦେଇଥି‌ଲେ।

ସମ୍ବନ୍ଧିତ ଖବର