ଭୁବନେଶ୍ୱର: ରାଜଧାନୀର ପାର୍କଗୁଡ଼ିକରେ ପାଣି ଦେବା ପାଇଁ ବ୍ୟବହାର ହେବ ମାଇକ୍ରୋ ଇରିଗେସନ୍‌ ସିଷ୍ଟମ୍‌। ପାଇପ୍‌ ଜରିଆରେ ପାଣି ଦେବା ଫଳରେ ପାଣି ନଷ୍ଟ ହେବା ସହ ମାନବସମ୍ବଳ ବିନିଯୋଗ ପାଇଁ ଖର୍ଚ୍ଚ ହେଉଛି। ଏହାକୁ ଆଖି ଆଗରେ ରଖି ଉନ୍ନୟନ କମିସନର ପ୍ରଦୀପ ଜେନା ଟ୍ବିଟ୍‌ ଜରିଆରେ ପରାମର୍ଶ ଦେବା ପରେ ବିଏମ୍‌ସି ମାନସମନ୍ଥନ କରିଛି। ପରିବେଶ ଅଧିକାରୀ ଗିରିଜା ଶତପଥୀ ଏ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି। ପାର୍କଗୁଡ଼ିକର ଭୌଗୋଳିକ ସ୍ଥିତି ଯାଞ୍ଚ କରାଯିବା ସହ ଯେଉଁ ପାର୍କରେ ସୁବିଧା ହେବ, ସେଠାରୁ ତୁରନ୍ତ ଏହି ମାଇକ୍ରୋ ଇରିଗେସନ୍‌ ବ୍ୟବସ୍ଥା କର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
ବିଏମ୍‌ସି ଅଧୀନରେ ୫୦ରୁ ଊର୍ଦ୍ଧ୍ବ ପାର୍କ ରହିଛି। ସକାଳେ ଓ ସନ୍ଧ୍ୟାରେ ଦିନକୁ ଦୁଇଥର ପାଣି ଦିଆଯାଉଛି। ଏଥିପାଇଁ ଦୁଇଟି ସିଫ୍ଟରେ ମାନବସମ୍ବଳ ବିନିଯୋଗ ହେଉଛନ୍ତି। ପାଇପ୍‌ରେ ପାଣି ଦେବା ଫଳରେ ଦିନକୁ ଲକ୍ଷ ଲକ୍ଷ ଲିଟର ପାଣି ଅପଚୟ ହେଉଛି। ମାଇକ୍ରୋ ଇରିଗେସନ୍‌ ବ୍ୟବସ୍ଥା ବ୍ୟବହାର ହେଲେ ପାଣି ନଷ୍ଟ ହେବ ନାହିଁ କିମ୍ବା ଏତେ ପରିମାଣରେ ମାନବସମ୍ବଳ ବିନିଯୋଗ ହେବ ନାହିଁ।

Advertisment

ସ୍ପ୍ରିଙ୍କଲର୍ ବା ସିଞ୍ଚନ ପଦ୍ଧତି, ଡ୍ରିପିଂ ବା ବୁନ୍ଦା ଜଳସେଚନ, ସ୍ପ୍ରେ’ ଓ ସବ୍-ସର୍ଫେସ ହେଉଛି ଆଧୁନିକ ଜଳସେଚନ ପଦ୍ଧତି। ବୁନ୍ଦା ଜଳସେଚନ ପଦ୍ଧତିରେ ଆବଶ୍ୟକ ପରିମାଣର ଜଳ ସିଧସଳଖ ଗଛର ମୂଳରେ ପହଞ୍ଚିଥାଏ, ଯାହା ଦ୍ୱାରା ଜଳ ଅପଚୟ ହୁଏ ନାହିଁ। ସହଜରେ ଓ ଆବଶ୍ୟକ ମୁତାବକ ପାଣି ଗଛ ଚେର ନିକଟକୁ ପହଞ୍ଚି ପାରିଥାଏ। ସେହିପରି ସିଞ୍ଚନ ପଦ୍ଧତିରେ ଲମ୍ବା ପାଇପ ସାହାଯ୍ୟରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଅନେକ ଘୂର୍ଣ୍ଣାୟମାନ ନୋଜଲ୍ ଖଞ୍ଜା ଯାଇଥାଏ। ପମ୍ପ ସାହାଯ୍ୟରେ ଜଳ ଏହି ପାଇପ ଦେଇ ଯିବା ବେଳେ ଘୂର୍ଣ୍ଣାୟମାନ ନୋଜଲ୍ ଦ୍ୱାରା ପାଣି ବର୍ଷା ହେବା ପରି ସବୁ ଆଡ଼େ ଚିଞ୍ଚି ହୋଇ ପଡ଼ିଥାଏ। ଏହା ଫଳରେ ସବୁ ଗଛଗୁଡ଼ିକ ଜଳସେଚନ ହୋଇଥାଏ। ଏ ସବୁ ବ୍ୟବସ୍ଥାକୁ ଟାଇମର୍ ସାହାଯ୍ୟରେ ପରିଚାଳନା କରିହେବ, ଫଳରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ମାନବସମ୍ବଳ ବିନିଯୋଗର ଆବଶ୍ୟକତା ରହିବ ନାହିଁ। ନିର୍ଦ୍ଦିଷ୍ଟ ସମୟରେ ଏହା ଆପେଆପେ କାର୍ଯ୍ୟକ୍ଷମ ହେବା ସହ ଜଳସେଚନ କରିବ।