ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ବାରଣ୍ଡାରେ ବସିଥିଲେ କେନ୍ଦ୍ରାପଡ଼ାର ଅବନ୍ତୀ ମାଝୀ। ଶୀତ ରାତିରେ ଭଣଜାକୁ କମ୍ବଳ ଘୋଡ଼ାଇ ଦେଇ ନିଜେ ଦେହରେ ସେମିତି ଛୋଟ ଚଦରଟିଏ ପକାଇ ବସି ରହିଥିଲେ। ବୁଝୁବୁଝୁ ଜଣାଗଲା ଯେ ତାଙ୍କ ଭଣଜା ଥାଲାସେମିଆ ଆକ୍ରାନ୍ତ। ଭଣଜାକୁ ରକ୍ତ ଦେବା ପାଇଁ ଆସିଥିଲେ। ଡାକ୍ତର ତହିଁ ଆରଦିନ ପାଇଁ କହିଲେ। କେନ୍ଦ୍ରାପଡ଼ା ଫେରି ପୁଣି ଭୁବନେଶ୍ବର ଆସିବା ବାବଦ ଖର୍ଚ୍ଚାନ୍ତ ହେବାକୁ ତାଙ୍କ ପାଖରେ ପଇସା ନାହିଁ। ତେଣୁ କଷ୍ଟେମଷ୍ଟେ ରାତିଟିଏ କାଟିଦେବାକୁ ସେ ହସ୍ପିଟାଲ ବାରଣ୍ଡାରେ ଅପେକ୍ଷା କରିଥିଲେ। କେବଳ ଅବନ୍ତୀ ନୁହନ୍ତି, ଥାଲାସେମିଆ ଆକ୍ରାନ୍ତ ଏମିତି ଅନେକ ରୋଗୀଙ୍କ ଅବସ୍ଥା ଏବେ ଏମିତି। କ୍ୟାପିଟାଲ୍ ହସ୍ପିଟାଲ୍ରେ ଏହି ବିଭାଗ ଶଯ୍ୟା ସଂଖ୍ୟା କମିଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ହସ୍ପିଟାଲର ଡେ’ କେୟାର୍ ସେଣ୍ଟରରେ ୨୨ଟି ଶଯ୍ୟା ଥିଲା। ତେଣୁ ପ୍ରତିଦିନ ପ୍ରାୟ ୨୫ଥାଲାସେମିଆ ଆକ୍ରାନ୍ତଙ୍କୁ ରକ୍ତ ଦିଆଯାଇ ପାରୁଥିଲା। ଏମିତିକି ଦିନେଦିନେ ଏହି ସଂଖ୍ୟା ୪୦କୁ ଟପି ଯାଉଥିଲା। କିନ୍ତୁ ଏବେ ଏହି ଶଯ୍ୟା ସଂଖ୍ୟା ୧୪କୁ ଖସି ଆସିଛି। ପିଜି ବିଭାଗ ଖୋଲିବା ପରଠାରୁ ଗୋଟିଏ ରୁମ୍ ଅଭାବ ହେବାରୁ ୮ଟି ଶଯ୍ୟା ହ୍ରାସ କରାଯାଇଛି। ଫଳରେ ଏବେ ଅତି ବେଶିରେ ୨୦ରୁ ଅଧିକ ରୋଗୀଙ୍କୁ ରକ୍ତ ଦେବା ସମ୍ଭବ ହେଉନାହିଁ। ଏଣୁ ପୂର୍ବରୁ ଏଠାକୁ ନିୟମିତ ଆସୁଥିବା ରୋଗୀମାନେ ଧାର୍ଯ୍ୟ ସମୟରେ ରକ୍ତ ପାଇବାରେ ସମସ୍ୟାରେ ପଡ଼ୁଛନ୍ତି। ଫଳରେ ଦୂରଦୁରାନ୍ତରୁ ଆସୁଥିବା ରୋଗୀମାନେ ହଇରାଣ ହେଉଛନ୍ତି। ସେମାନଙ୍କୁ ଫେରିବାକୁ ପଡ଼ୁଛି କିମ୍ବା ପରଦିନକୁ ଅପେକ୍ଷା କରିବାକୁ ପଡ଼ୁଛି। ରାଜଧାନୀ ଓ ଆଖପାଖ ଲୋକଙ୍କ ପାଇଁ ସମସ୍ୟା ନାହିଁ। କିନ୍ତୁ ଯେଉଁମାନେ ଜିଲ୍ଲା ବାହାରୁ ଆସୁଛନ୍ତି, ସେମାନେ ଖର୍ଚ୍ଚାନ୍ତ ହେଉଥିବା ବେଳେ ଶୀତ କାକରରେ ହସ୍ପିଟାଲ ବାରଣ୍ଡାରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି।
ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବା ରକ୍ତ ନେଉଥିବା ରୋଗୀ ସଂଖ୍ୟା ୬୮୦। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ବାଦ୍ ଦେଲେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଫୁଲବାଣୀ, ନୟାଗଡ଼ ଆଦି ଜିଲ୍ଲାମାନଙ୍କରୁ ରୋଗୀ ଅଛନ୍ତି। କଟକ ବଡ଼ ମେଡିକାଲ୍ରେ ଏହି ରୋଗୀଙ୍କୁ ରକ୍ତ ଦେବା ସୁବିଧା ଥିଲେ ମଧ୍ୟ ସେଠିକା ଭିଡ଼କୁ ଏଡ଼ାଇବାକୁ ଯାଇ ଅବିଭକ୍ତ କଟକ ଜିଲ୍ଲାରୁ ବହୁ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସିଥାଆନ୍ତି। ପୂର୍ବରୁ ୨୨ଟି ଶଯ୍ୟା ଥିବା ବେଳେ ରୋଗୀମାନଙ୍କ ପାଇଁ ସମସ୍ୟା ହେଉଥିଲା। ଦିନତମାମ ଅପେକ୍ଷା କରିବାକୁ ପଡ଼ୁଥିଲା। ଏବେ ଏକାଥରକେ ୮ଟି ଶଯ୍ୟା କମି ଯାଇଥିବାରୁ ରୋଗୀମାନେ କିଭଳି ହନ୍ତସନ୍ତ ହେଉଛନ୍ତି, ତା’ର ନମୁନା ହେଉଛନ୍ତି କେନ୍ଦ୍ରାପଡ଼ାର ଅବନ୍ତୀ ମାଝୀ। ତେଣୁ ଧାର୍ଯ୍ୟ ଦିନରେ ରକ୍ତ ନମିଳିଲେ ସେମାନଙ୍କୁ ହସ୍ପିଟାଲର ବିଭିନ୍ନ ୱାର୍ଡ ବାରଣ୍ଡାରେ ରାତି କାଟିବାକୁ ପଡ଼ୁଛି।
ଏନେଇ ବିଭାଗୀୟ ଜଣେ ଡାକ୍ତରଙ୍କ କହିବା କଥା, ଶଯ୍ୟା ଅଭାବରୁ କିଛି ରୋଗୀଙ୍କୁ ଧାର୍ଯ୍ୟ ଦିନରେ ରକ୍ତ ଦେବା ସମ୍ଭବ ହେଉନାହିଁ। ତେବେ କୌଣସି ରୋଗୀଙ୍କୁ ବିପଦରେ ପକାଇବା ଭଳି ସ୍ଥିତି ଉପୁଜିବାକୁ ଦିଆଯାଉନାହିଁ। ହେମୋଗ୍ଲୋବିନ୍ ପରୀକ୍ଷା ଅନୁସାରେ ରକ୍ତ ଦିଆଯାଉଛି। ଯାହାର ନିହାତି ଆବଶ୍ୟକ, ତାଙ୍କୁ ସେହିଦିନ ଯେତେ ବିଳମ୍ବ ହେଲ ବି ରକ୍ତ ଦିଆଯାଉଛି। ଗୋଟିଏ ଦିନ ଅପେକ୍ଷା କଲେ ଯାହାର କିଛି ବି କ୍ଷତି ହେବ ନାହିଁ ବୋଲି ପରୀକ୍ଷାରୁ ଜଣାପଡ଼େ, ତାଙ୍କୁ ହିଁ ଅପେକ୍ଷା କରିବାକୁ କୁହାଯାଏ। ଏଥିରେ ଦୂର-ନିକଟ ରୋଗୀ ଦେଖି ରକ୍ତ ଦେବା ସମ୍ଭବ ନୁହେଁ। ଏ ବାବଦରେ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଛନ୍ତି ଯେ କୌଣସି ରୋଗୀ ଏନେଇ ଅଭିଯୋଗ କରିନାହାନ୍ତି। ବିଭାଗୀୟ ଡାକ୍ତରମାନେ ରୋଗୀଙ୍କୁ ବୁଝାସୁଝା କରି କାମ ଚଳାଇ ନେଉଥିବାରୁ ହୁଏ ତ କେହି ଅଭିଯୋଗ କରିନାହାନ୍ତି। ତେବେ ଏନେଇ ସେ ବୁଝିବେ ଓ ଯଦି ଅଧିକ ଶଯ୍ୟା ଆବଶ୍ୟକ ହେଉଥିବ, ହସ୍ପିଟାଲ ତରଫରୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।