ଭୁବନେଶ୍ୱର: ସଟ୍ଡାଉନ୍ରେ ଡିସ୍ଚାର୍ଜ ହୋଇ ଜଣେ ରୋଗୀ ଫସି ଯାଇଛନ୍ତି। ସାଧାରଣ ଯାତ୍ରୀ ପରିବହନ ସେବା ବନ୍ଦ ହୋଇଯାଇଥିବାରୁ ଘରକୁ ଫେରି ପାରୁନାହାନ୍ତି। ଫଳରେ ହସ୍ପିଟାଲ ବାରଣ୍ଡାରେ ଶୋଇଶୋଇ ଦିନ କାଟୁଛନ୍ତି। ଏପରି ହଟହଟାର ସମ୍ମୁଖୀନ ହୋଇଛନ୍ତି ଜଟଣୀ କୁସୁମାଟିର ମାନସ କୁମାର ମହାନ୍ତି (୩୮)। ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ଡାକ୍ତର ତାଙ୍କୁ ଡିସ୍ଚାର୍ଜ କରିଦେଇଥିଲେ। କିନ୍ତୁ ସଟ୍ଡାଉନ୍ ଯୋଗୁଁ ପରିବାରଲୋକ ନେବାକୁ ଆସି ପାରିନଥିଲେ କିମ୍ବା ଅଟୋ, ବସ୍ ବନ୍ଦ ଥିବାରୁ ସେମାନେ ବି ଘରକୁ ଫେରି ପାରିନଥିଲେ। ତେଣୁ ଅନ୍ୟ ଉପାୟ ନ ପାଇ ସେ ହସ୍ପିଟାଲ ବାରଣ୍ଡାରେ ଶୋଇ ଶୋଇ କାଟିଥିଲେ।
ମାନସଙ୍କ କହିବାନୁଯାୟୀ, କିଛି ଦିନ ତଳେ କାନ ଅପରେସନ୍ ପାଇଁ ମାନସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅପରେସନ୍ ପରେ ତାଙ୍କୁ ସେଠାରେ ନିରୀକ୍ଷଣରେ ରଖାଯାଇଥିଲା। ତେବେ ଗତକାଲି ଡାକ୍ତର ତାଙ୍କୁ ଡିସ୍ଚାର୍ଜ କରିଦେଇଥିଲେ। କିନ୍ତୁ ସପ୍ତାହାନ୍ତ ସଟ୍ଡାଉନ୍ ଯୋଗୁଁ ସବୁ କିଛି ବନ୍ଦବାନ୍ଦ ଥିବାରୁ ସେ ଘରକୁ ଫେରି ପାରିନଥିଲେ। ମାନସ କହିଛନ୍ତି, ଗତକାଲି ଆହାର କେନ୍ଦ୍ର ଖୋଲା ଥିବାରୁ ସେଠି ଦିନ ବେଳା ପେଟେ ଖାଇ ଦେଇଥିଲି। ଆଜି କିନ୍ତୁ ରବିବାର ପାଇଁ କେନ୍ଦ୍ର ବନ୍ଦ ଥିବାରୁ ସେତକ ବି ମିଳିଲାନି। ତେଣୁ ପାଣି ପିଇ ରହିଛି। ପାଖରେ ଅଳ୍ପ କିଛି ପଇସା ଅଛି। ଆଜି ଯେନତେନ ଉପାୟରେ ରାତିଟା କଟି ଗଲେ, ଆସନ୍ତାକାଲି ସକାଳୁ ସକାଳୁ ବସ୍ରେ ଘରକୁ ଫେରି ଆଗ ପେଟପୂରା ଖାଇବି। ତା’ ପରେ ଯାଇ ଯୋଉ କଥା...।
ସେହିପରି ସଟ୍ଡାଉନ୍ ପାଇଁ ପୁରୀର ସ୍ନେହାଶିଷ ବେହେରା (୪୮) ବି ଯାତନା ଭୋଗିଥିବା କହିଛନ୍ତି। ସେ କହିଛନ୍ତି, ହାର୍ଣ୍ଣିଆ ଅପରେସନ୍ ପାଇଁ ହସ୍ପିଟାଲକୁ ଆସିଥିଲେ। ତାଙ୍କ ପରିବାରଲୋକ ପୁରୀରୁ ଆସିଥା’ନ୍ତେ। କିନ୍ତୁ ସଟଡାଉନ୍ ଯୋଗୁଁ ତାଙ୍କ ପରିବାରଲୋକ କେହି ଆସି ପାରିନାହାନ୍ତି। ତେଣୁ ସେ ଔଷଧ କେନ୍ଦ୍ର ବାରଣ୍ଡାରେ ପଡ଼ି ରହିଛନ୍ତି। ସେ ମଧ୍ୟ ଆଜି ଉପାସ ରହିଥିବା କହିଥିଲେ। ଆକି ରାତିକ ଏଠାରେ କଟିଗଲେ ଆସନ୍ତାକାଲି ପରିବାରଲୋକ ଆସି ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଇବେ।