୮ମାସ ମଧ୍ୟରେ ଶେଷ ହେବ ପାତ୍ରପଡ଼ା ଓ କଳିଙ୍ଗବିହାର ଅଣ୍ଡରପାସ୍

ଭୁବନେଶ୍ବର: ବ୍ଲାକ୍‌ସ୍ପଟ୍ ବଦନାମର କଳଙ୍କ ମୁଣ୍ଡରୁ ଛଡ଼ାଇବା ପରେ ଏବେ ଏମ୍‌ସ ଅଣ୍ଡରପାସ୍‌ରେ ହେଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅଣ୍ଟା ଭିଡ଼ିଛି ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)। ଅଣ୍ଡରପାସ୍‌ର ଉଚ୍ଚତା ଓ ଲମ୍ବ ଛୋଟ ଥିବାରୁ ବାରମ୍ବାର ସେଠାରେ ୧୦୮ ଆମ୍ବୁଲାନ୍ସ ସମେତ ମୋ ବସ୍ ଓ ଅନ୍ୟାନ୍ୟ ଗାଡ଼ି ଫସି ରହୁଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ପାତ୍ରପଡ଼ା ନିକଟରେ ଏବେ ଅଣ୍ଡରପାସ୍ କାମ ଆରମ୍ଭ ହୋଇଯାଇଛି। ଏହି ଅଣ୍ଡରପାସ୍‌ର ଉଚ୍ଚତା ୫.୫ମିଟର ହୋଇଥିବା ବେଳେ ଲମ୍ବ ୧୨ ମିଟର ରଖାଯାଇଛି। ୧୧କୋଟି ଟଙ୍କାରେ ନିର୍ମିତ ପାତ୍ରପଡ଼ା ଅଣ୍ଡରପାସ୍‌କୁ ୬ମାସ ମଧ୍ୟରେ ଶେଷ କରିବାକୁ ଟାର୍ଗେଟ୍ ରଖାଯାଇଛି। ମାତ୍ର ବର୍ଷା ଓ ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ଏନ୍‌ଏଚ୍‌ଆଇ ହାତରେ ଆଉ ୨ମାସ ଅଧିକ ସମୟ ରଖିଛି। ସମ୍ଭବତଃ ଏହି ଅଣ୍ଡରପାସ୍ ନିର୍ମାଣ ପରେ ପାତ୍ରପଡ଼ାର ଆଳୁଗଦିକୁ ଆସୁଥିବା ସମସ୍ତ ଗାଡ଼ି ଏହି ଅଣ୍ଡରପାସ୍ ଦେଇ ଯିବ ବୋଲି ଯୋଜନା କରାଯାଇଛି। ଯେହେତୁ ଏମ୍‌ସ ଅଣ୍ଡରପାସ୍ ପାତ୍ରପଡ଼ା ଅଣ୍ତରପାସ୍ ଅପେକ୍ଷା ଯଥେଷ୍ଟ ଛୋଟ ରହିଛି, ସେହି ଅଣ୍ଡରପାସ୍ ଦେଇ କେବଳ ଛୋଟ ଯାନବାହନ ଯିବ।

ସେହିଭଳି ସମାନ ସମୟରେ କଳିଙ୍ଗବିହାର ସମ୍ମୁଖରେ ମଧ୍ୟ ଆଉ ଏକ ଅଣ୍ଡରପାସ୍ କାମ ଆରମ୍ଭ କରାଯାଇଛି। ଡିଏନ୍ ରେଗାଲିଆ ମଲ୍ ସାଙ୍ଗକୁ ସେଠାରେ ବଜାର ଓ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅଣ୍ଡରପାସ୍ ତିଆରି କରିବାକୁ ସ୍ଥାନୀୟ ଲୋକ ଦୀର୍ଘ ବର୍ଷ ଦାବି କରିଆସୁଥିଲେ। ସେଥିପାଇଁ ସେଠାରେ ମଧ୍ୟ ଆଉ ଏକ ଅଣ୍ଡରପାସ୍ କାମ ନିର୍ମାଣାଧୀନ ରହିଛି। ଏହାର ସମୟ ଅବଧି ୮ମାସ ରଖାଯାଇଥିବା ବେଳେ ୧୧କୋଟି ବ୍ୟୟ କରାଯାଉଛି। କଳିଙ୍ଗବିହାରର ଏହି ଅଣ୍ଡରପାସ୍‌ର ଉଚ୍ଚତା ମଧ୍ୟ ୫.୫ମିଟର ହୋଇଥିବା ବେଳେ ଲମ୍ବ ୧୨ ମିଟର ରହିଛି।

ସମ୍ବନ୍ଧିତ ଖବର