ଭୁବନେଶ୍ବର: ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସ୍ଏସ୍ ନଗରସ୍ଥିତ ଜି.ଏଲ୍ କଲୋନିରେ ଗତବର୍ଷ ଦୁର୍ଗାପୂଜା ପୂର୍ବରୁ ପାଖାପାଖି ୫ଶହ ମିଟର ରାସ୍ତାରେ ପେଭର୍ ବ୍ଲକ୍ ବିଛାଯାଇଥିଲା। ମାତ୍ର ୪ ମାସ ନଯାଉଣୁ ରାସ୍ତା ଦବି ପେଭର୍ ବ୍ଲକ ସବୁ ଉଠିଗଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ ହେବାରୁ କାମ କରିଥିବା ଠିକାଦାର ପୁଣିଥରେ ତାକୁ ମରାମତି କରିଥିଲା। ହେଲେ ମାତ୍ର ଅସରାଏ ଦି’ ଅସରା ବର୍ଷାରେ ରାସ୍ତା ଏବେ ଯଥା ପୂର୍ବଂ ତଥା ପରଂ ଅବସ୍ଥାକୁ ଚାଲି ଆସିଛି। ନିମ୍ନମାନର କାମ କରି ଟଙ୍କା ହଡ଼ପ କରାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ମୌସୁମୀ ପୂର୍ବରୁ ଜିଏଲ୍ କଲୋନି ଭିତରେ ପାଖାପାଖି ୫ ଶହ ମିଟର ରାସ୍ତାରେ ୨୦ଲକ୍ଷ ଟଙ୍କା ବ୍ୟୟରେ ପେଭର୍ ବ୍ଲକ୍ ବିଛାଯାଇଥିଲା। ନିୟମ ଅନୁସାରେ, କାମର ସଂପୂର୍ଣ୍ଣ ବିବରଣୀ ଫଳକରେ ଉଲ୍ଲେଖ କରିବା କଥା। ହେଲେ ଠିକାଦାର କୌଣସି ଫଳକ ଲଗାଇନାହାନ୍ତି। ଏହାସହ ନିମ୍ନମାନର କାମ ହୋଇଥିବାରୁ ପ୍ରଥମ ମୌସୁମୀ ବର୍ଷାରେ ପେଭର୍ ବ୍ଲକ୍ ସବୁ ତାଡ଼ି ହୋଇଯାଇଥିଲା। ରାସ୍ତା ସାରା ଖାଲ ହୋଇଯାଇଥିଲା। ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିବାରୁ କାମ କରିଥିବା ଠିକାଦାର ଏହାକୁ ମରାମତି କରିଥିଲେ। ହେଲେ ମରାମତି ବେଳେ ମଧ୍ୟ ପୁଣିଥରେ ତାଳିପକା କାମ କରାଯାଇଥିବାରୁ ଏବେ ଅଦିନିଆ କାଳବୈଶାଖୀ ବର୍ଷାରେ ରାସ୍ତା ଦବିବା ସହ ଖାଲ ହୋଇଗଲାଣି।
ତାଳି ପକା କାମ କରି ବିଲ୍ ନେଇ ଛୁ’
ଧରାପଡ଼ିଯିବା ଭୟରେ ଫଳକ ଲଗାଇଲେନି!
ଏ ସଂପର୍କରେ ଜଣେ ଯନ୍ତ୍ରୀ କହିଛନ୍ତି ଯେ ପେଭର୍ ବ୍ଲକ୍ ବିଛାଇବା ପୂର୍ବରୁ ପ୍ରଥମେ ବାଲିରେ ଭଲ ଭାବେ ଲେଭଲିଂ କରାଯିବା ପରେ ସେଥିରେ ଆବଶ୍ୟକ ପରିମାଣର ସିମେଣ୍ଟ୍, ବାଲି ଓ ମେଣ୍ଟାଲ୍ ପକାଇ ମଜଭୁତ କରାଯିବା କଥା। ପରେ ପୁଣି ବାଲି ଫିଲିଂ କରି ପେଭର୍ ବ୍ଲକ ବିଛାଇବା ପାଇଁ ନିୟମ ରହିଛି। ହେଲେ ରାସ୍ତାରେ ବାଲି ଉପରେ କମ୍ ପରିମାଣରେ ସିମେଣ୍ଟ୍ ଓ ମେଣ୍ଟାଲ୍ ପକାଇ କାମ କରାଯାଉଥିବାରୁ ଏଭଳି ଅବସ୍ଥା ହେଉଛି। ଏହାକୁ ପୁଣିଥରେ ସିମେଣ୍ଟ୍, ବାଲି ଓ ମେଣ୍ଟାଲ୍ ଦ୍ବାରା ଲେଭ୍ଲିଂ କରାଗଲେ, ରାସ୍ତା ଠିକ୍ ରହିବ।
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, କାମ କରିବା ଓ ମରାମତି କରିବା ସମୟରେ ନିମ୍ନମାନର କାମ ପାଇଁ ଆମେ ଅଭିଯୋଗ କରିଥିଲୁ। ହେଲେ ଠିକାଦାର ଆମ କଥା ନଶୁଣି ମନମୁଖୀ ଭାବେ କାମ କରିଦେଲେ। ତାହାର ପରିଣତି ଏବେ ଆମକୁ ଭୋଗିବାକୁ ପଡ଼ୁଛି। ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି। ରାସ୍ତା ଓ ଖାଲ ଭିତରେ ଫରକ୍ ଜଣାପଡ଼ୁନି। ତୁରନ୍ତ ରାସ୍ତାକୁ ମରାମତି କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏ ସଂପର୍କରେ ବିଏମ୍ସିର କନିଷ୍ଠ ଯନ୍ତ୍ରୀ ପତିତପାବନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନିମ୍ନମାନର କାମ ନେଇ ଠିକାଦାରଙ୍କୁ ଅଭିଯୋଗ କରାଯାଇଛି। ସେ ଏହାକୁ ଖୁବ୍ଶୀଘ୍ର ମରାମତି କରିବେ ବୋଲି କହିଛନ୍ତି।