ଭୁବନେଶ୍ୱର: ‘ହେ ମୋର କଲମ! ଚିର ବିପ୍ଲବୀ, ହେ ଚିର ମୌନୀ କହ, ସାଥୀ ଥିଲ ଅବା ଜୀବନେ ଜୀବନେ ଯୁଗେ ଯୁଗେ ଅହରହ! ମୂଲ୍ୟ ତୁମର କେତୋଟି ପଇସା, ତନୁ ତବ ଦୁର୍ବଳ, ଥରାଇଚ କେତେ ହୃଦ-ମନ୍ଦିର, ବନ୍ଧୁର ଧରାତଳ।’ ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ‘ହେ ମୋର କଲମ’ ପୁସ୍ତକରୁ ଊଦ୍ଧୃତ ଏହି କେତୋଟି ଧାଡ଼ି ଯୁଗେ ଯୁଗେ କଲମର ପରାକ୍ରମକୁ ଦର୍ଶାଉଛି। ବଡ଼ ବଡ଼ ଯୁଦ୍ଧ ହେଉ ଅଥବା ସ୍ୱାଧୀନତା ସଂଗ୍ରାମ କିମ୍ୱା କୌଣସି ବଡ଼ ଆନ୍ଦୋଳନ ସବୁଥିରେ ‘କଲମ’ ଜାତୀୟତାବାଦ ଓ ଶାନ୍ତି ପ୍ରତିଷ୍ଠାରେ ସହାୟକ ହୁଏ। ପୁଣି କେତେବେଳେ ପ୍ରେମୀଯୁଗଳର ପ୍ରେମ, ବ୍ୟଥା, ଲୁହ, କ୍ରୋଧକୁ ବର୍ଣ୍ଣନା କରେ। ପ୍ରେମ ପ୍ରଣୟର ଶବ୍ଦ ସବୁ ଫୁଲହୋଇ ଝରିପଡ଼େ କଲମର ଟିକେ ହସରେ, ପ୍ରତିହିଂସାର ବହ୍ନି ଜଳେ କଲମର ଟିକେ କ୍ରୋଧରେ। ଯୁଗେ ଯୁଗେ ପ୍ରତ୍ୟେକ କ୍ଷେତ୍ରରେ ଅସି ଠାରୁ ମସି ଯେ ଶକ୍ତିଶାଳୀ ଏହା ପ୍ରମାଣିତ ହୁଏ। ସମୟକ୍ରମେ ପ୍ରଯୁକ୍ତିର ଅଗ୍ରଗତି ଯୋଗୁ କଲମ ଏକ ଅତି ସୁଲଭ ଓ ସ୍ବୟଂସମ୍ପୂର୍ଣ୍ଣ ଉପକରଣ ପାଲଟିଛି। କମ୍ପୁଟର ଓ ମୋବାଇଲ ଯୁଗରେ ମଧ୍ୟ କଲମ ଏହାର ଆଦର ହରାଇନାହିଁ। ଏହା ଏବେ ଯୁବ ବର୍ଗଙ୍କଠାରୁ ଆରମ୍ଭ କରି ପ୍ରତିଷ୍ଠିତ ନାଗରିକଙ୍କର ନିଆରା ଷ୍ଟାଇଲ୍ର ପ୍ରତୀକ ପାଲଟିଛି।
ପରିବେଶ ସୁରକ୍ଷା କରୁଛି ‘ଜୈବ ଅନୁକୂଳ କଲମ’
ପ୍ଲାଷ୍ଟିକ୍ର ବର୍ଦ୍ଧିତ ବ୍ୟବହାରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବହୁ କମ୍ପାନି କାଗଜ ଓ ମଞ୍ଜିରୁ ତିଆରି ପରିବେଶ ଅନୁକୂଳ ପେନ୍ ବଜାରକୁ ଆଣୁଛନ୍ତି। ବ୍ୟବହାର ପରେ ଏହି କଲମକୁ ଫିଙ୍ଗିଦେଲେ ଏହା ମାଟିରେ ମିଶିଯିବା ସହିତ ଗଛ ମଧ୍ୟ ଉଠୁଛି। ବିଶେଷ କରି ଅନ୍ଲାଇନ୍ବଜାରରେ ବିଭିନ୍ନ ଡିଜାଇନରେ ଏହି କଲମ ମିଳୁଛି। ବହୁ ପରିବେଶ ସଚେତନ ବ୍ୟକ୍ତି ଏହାକୁ ବ୍ୟବହାର କରୁଛନ୍ତି।
ଖୋଦିତ ଧାତବ କଲମ
ଷ୍ଟେନ୍ଲେସ୍ ଷ୍ଟିଲ୍, ବ୍ରାସ୍, ଆଲୁମିନିୟମ୍, କପର ଆଦି ଧାତୁରେ ନିର୍ମିତ ନାମୀଦାମୀ କମ୍ପାନିର କଲମ ସବୁବେଳେ ଆଭିଜାତ୍ୟର ପରିଚୟ ଦିଏ। ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଆଜିକାଲି ଧାତବ କଲମ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହି କଲମକୁ ଆଉ ଟିକେ ରାଜକୀୟ କରୁଛି ଏଥିରେ ଖୋଦିତ ହୋଇ ରହିଥିବା ନିଜ ନାମ, କମ୍ପାନି ନାମ ଅଥବା କୌଣସି ବାର୍ତ୍ତା। ବିଗତ କିଛି ବର୍ଷ ମଧ୍ୟରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ‘ପେନ୍ ହସ୍ପିଟାଲ’ର ବ୍ୟବସାୟୀ ବିନୋଦ କାଣ୍ଡିଙ୍କ ମତରେ ବର୍ତ୍ତମାନ ବହୁ ଲୋକ ‘ପାର୍କର’, ‘ଵାଟରମ୍ୟାନ’, ‘ଲାମି’ ଭଳି ବ୍ରାଣ୍ଡର କଲମରେ ନିଜ ନାମ, ଗୁରୁଙ୍କ ନାମ ଅଥବା କମ୍ପାନିର ନାମ, ଲୋଗୋ ଆଦି ଖୋଦିତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/07/untitled-13-2025-11-07-07-13-37.jpg)