ଅଭିଶପ୍ତ ଜୀବନ ଜିଉଁଛନ୍ତି ଖଣ୍ଡଗିରିବିହାର ବାସିନ୍ଦା

ଖଣ୍ଡଗିରି: କଲୋନିର ସବୁ ରାସ୍ତାରେ ଖାଲଖମା। ବର୍ଷାଦିନ ଆରମ୍ଭ ହେବା ପରେ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ପାଣି ଜମି ରହୁଥିବା ବେଳେ କାଦୁଅ ପଚପଚ ହୋଇପଡ଼ିଥିବାରୁ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ସେହିଭଳି ନିୟମିତ ଅଳିଆ ଉଠୁନାହିଁ। ଦିନ ଦିନ ଧରି ଜମି ରହୁଥିବା ଆବର୍ଜନା ଗନ୍ଧରେ ରହି ହେଉନାହିଁ। ଏହା ହେଉଛି ବିଏମ୍‌ସି ୪୯ନମ୍ବର ୱାର୍ଡ ଆଇଗିଣିଆ ଖଣ୍ଡଗିରିବିହାର ଅଞ୍ଚଳର ଅବସ୍ଥା। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନଜର ଅଢ଼ୁଆଳରେ ରହିଥିବା ଏହି ଅଞ୍ଚଳର ଅଧିବାସୀମାନେ ଅଭିଶପ୍ତ ଜୀବନ ଜିଉଁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଉକ୍ତ ଅଞ୍ଚଳରେ ରହୁଥିବା ୧୦୦ରୁ ଅଧିକ ପରିବାର ଏବେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିବା ଅଭିଯୋଗ କରିଛନ୍ତି। ବିଏମ୍‌ସି ପକ୍ଷରୁ ଏହି ଅଞ୍ଚଳରେ ନିୟମିତ ଅଳିଆ ସଫା ହେଉନାହିଁ। ପାହାଡ଼ ଭଳି ଅଳିଆ ଘର ଓ ଗଳିମୁଣ୍ଡରେ ଗଦା ‌ହୋଇ ରହୁଛି। ତେଣୁ ବର୍ଷା ଜଳରେ ଅଳିଆ ଆବର୍ଜନା ପଚି ସାରା ଅଞ୍ଚଳରେ ଦୁର୍ଗନ୍ଧ ଖେଳାଇ ଦେଉଛି। ରାଜଧାନୀରେ ଡେଙ୍ଗୁ ବ୍ୟାପୁଥିବାରୁ ଏଠାରେ ଲୋ‌କେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବଡ଼ ସମସ୍ୟା ହେଉଛି ଖାଲଖମା ଓ କାଦୁଅ ପରିପୂର୍ଣ୍ଣ ରାସ୍ତା। ରାତିରେ ଘରୁ ଗୋଡ଼ କାଢ଼ିବାକୁ ଭୟ ଲାଗୁଛି। ବରିଷ୍ଠ ନାଗରିକ, ଛୋଟ ପିଲା ଓ ମହିଳାମାନେ ଘରୁ ବାହାରି ପାରୁନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ଏନେଇ ସ୍ଥାନୀୟ ଜନପ୍ରତିନିଧିଙ୍କ ସମେତ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଛି। କିନ୍ତୁ କେବଳ ପ୍ରତିଶ୍ରୁତିକୁ ଛାଡ଼ି ଦେଲେ କିଛି ମିଳିନାହିଁ। ଏନେଇ ପୂର୍ବତନ କର୍ପୋରେଟର ଅଶ୍ବିନୀ ସୁନ୍ଦରରାୟ କହିଛନ୍ତି ଯେ ନିକଟରେ ସ୍ୱରେଜ୍‌ ଲାଇନ୍‌ କାମ ସରିଛି। ଖୁବ୍‌ ଶୀଘ୍ର ରାସ୍ତା କାମ ମଧ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର