ରାସ୍ତା ଖୋଳିଲେ, ମାଟି ଘୋଡ଼ାଇ ଛା‌ଡ଼ିଦେଲେ; ୨ ବର୍ଷ ହେଲା ଲକ୍ଷ୍ମୀସାଗରବାସୀ ହନ୍ତସନ୍ତ

ଭୁବନେଶ୍ବର : ପ୍ରଥମେ ପାଣି ପାଇପ୍ ବିଛାଇବା ପାଇଁ ‌ରାସ୍ତା ଖୋଳିଦେଲେ। କଂକ୍ରିଟ୍ ରାସ୍ତାକୁ ଖୋଳି କାମ ସାରିବା ପରେ ମାଟି ଘୋଡ଼ାଇ ଛାଡ଼ିଦେଲେ। ଏହା ପରେ ସ୍ବରେଜ୍ ପାଇପ୍ ବିଛାଇବା ପାଇଁ ପୁଣି ଖୋଳିଲେ। ପାଇପ୍ ବିଛାଇବା ପରେ ମାଟି ଘୋଡ଼ାଇ ପକାଇଦେଲେ। ୨ ବର୍ଷ ବିତିଗଲାଣି ସେମିତି ଆବୁଡ଼ାଖାବୁଡ଼ା ମାଟି ରାସ୍ତା ପଡ଼ିଛି। କଂକ୍ରିଟ୍‌ କରି ମରାମତି କରିବା ନାଁ ଧରାଯାଉନାହିଁ। ‌ଫଳରେ ପ୍ରାୟ ୫ହଜାର ଲୋକେ ଖାଲଖମା ଭର୍ତ୍ତି ରାସ୍ତାରେ ବଡ଼ କଦର୍ଯ୍ୟ ଭାବେ ଚଳପ୍ରଚଳ ହେଉଛନ୍ତି। ବର୍ଷା ଦିନେ ପଙ୍କ କାଦୁଅରେ ହନ୍ତସନ୍ତ ହେଉଛନ୍ତି। ଖରା ଦିନର ଧୂଳି ସେମାନଙ୍କୁ ଅଣନିଃଶ୍ବାସୀ କରି ପକାଉଛି। ଏହା ହେଉଛି, ଲକ୍ଷ୍ମୀସାଗର ହନୁମାନ ମନ୍ଦିର ପାଖରୁ ଭୋଇସାହି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା।

ବିଏମ୍‌ସି ୪୩ ନମ୍ବର ୱାର୍ଡ ଅନ୍ତର୍ଗତ ଲକ୍ଷ୍ମୀସାଗର ଅଞ୍ଚଳର ଏହି ରାସ୍ତାର ଦୈର୍ଘ୍ୟ ପାଖାପାଖି ଦେଢ଼ କିମି। ୨ ବର୍ଷ ହେଲା ସ୍ବରେଜ୍ ପାଇପ୍ ବିଛାଇବା କାମ ସରିଛି। ନିୟମାନୁସାରେ ପାଇପ୍ ବିଛାଇବା କାମ ସରିବା ପରେ ପରେ ରାସ୍ତାରେ କଂକ୍ରିଟ୍ ଢଳେଇ କରିବା କଥା। ହେଲେ ଦୁଇ ବର୍ଷ ହେଲା ରାସ୍ତା ସେମିତି ପଡ଼ିଛି। ଫଳରେ ଲକ୍ଷ୍ମୀସାଗର ଗ୍ରାମବାସୀ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଏହି ରାସ୍ତାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରନ୍ତି। ଏନେଇ ଗ୍ରାମବାସୀମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ବର୍ଷା ଦିନେ ପଙ୍କ କାଦୁଅ ଯାତାୟାତ ପାଇଁ ଯେତିକି ଯନ୍ତ୍ରଣାଦାୟକ, ଖରା ସମୟରେ ଉଡ଼ୁଥିବା ପ୍ରବଳ ଧୂଳି ସେତିକି ହୀନସ୍ତା କରୁଛି। ସ୍ଥାନୀୟ ଲୋକେ ଘରର ଝରକା କବାଟ ଖୋଲି ପାରୁନାହାନ୍ତି।

ସ୍ଥାନୀୟ ବାସିନ୍ଦା ରମାକାନ୍ତ ସାହୁ କହିଛନ୍ତି, ଏହି ରାସ୍ତା ସମସ୍ୟା ପାଇଁ ଦୁଇ ବର୍ଷ ହେଲାଣି ସେମାନେ ବହୁ କଷ୍ଟ ଭୋଗିଲେଣି। ଯାତାୟାତଠାରୁ ଆରମ୍ଭ କରି ଘରେ ଚଳପ୍ରଚଳ କରିବା ସମ୍ଭବ ହେଉନାହିଁ। ସେହିଭଳି ପ୍ରଶାନ୍ତ ବରାଳ କହିଛନ୍ତି, ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ମୁଖ୍ୟ ରାସ୍ତା ନିର୍ମାଣ କରାଗଲା। ହେଲେ ଏହି ରାସ୍ତାକୁ ଅଣଦେଖା କରାଯାଉଛି। ଏନେଇ ଖୋଦ୍‌ ୱାଟ୍‌କୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଲକ୍ଷ୍ମୀସାଗର ଅଞ୍ଚଳର କାମ ସ୍ଥାନୀୟ ଜନପ୍ରତିନିଧିଙ୍କ ଦ୍ବାରା ପରିଚାଳିତ ହେଉଛି। କଣ୍ଟ୍ରାକ୍ଟର ଓ ସେମାନଙ୍କ ଭିତରେ ସଲାସୁତୁରାରେ କାମ ଚାଲୁଛି। ଫଳରେ ଠିକା ସଂସ୍ଥା ‌ବେଫିକର୍‌ ହୋଇ ‌କାମ କରୁଛି। ଭାଗବଣ୍ଟାରେ ସମସ୍ୟା ହେଉଥିବାରୁ କାମ ବିଳମ୍ବିତ ହେଉଛି। କିନ୍ତୁ‌ ଲୋକମାନେ ବିଭାଗକୁ ଦୋଷ ଦେଉଛନ୍ତି। ନେତାଙ୍କ ଚାପରେ ସେମାନେ ନିରୁପାୟ ବୋଲି ସେ କହିଛନ୍ତି। କିନ୍ତୁ ଏନେଇ ୱାଟ୍‌କୋର ନିର୍ବାହୀଯନ୍ତ୍ରୀ ଭରତଚନ୍ଦ୍ର ଦଳେଇ ସଫେଇ ଦେଇ କହିଛନ୍ତି, ଠିକା ସଂସ୍ଥାର ଅର୍ଦ୍ଧାଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାରୁ କାମ କରିବାରେ ବିଳମ୍ବ ହେଉଛି। ତେବେ ତୁରନ୍ତ କାମ ଶେଷ କରିବା ପାଇଁ ଚେଷ୍ଟା କରାଯାଉଛି। ୨ ବର୍ଷ ହେଲା କରୋନା ମହାମାରୀ ଲାଗି ରହିଥିବା ବେଳେ ଅନ୍ୟ ରାସ୍ତା କାମ ହୋଇପାରୁଛି। ଅଥଚ ଏହି ରାସ୍ତା ପାଇଁ କରୋନା ବାଧକ ସାଜିଥିବା କଥା କେବଳ ବାହାନା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ନେଇ ଏକ ବଡ଼ଧରଣର ଆନ୍ଦୋଳନ କରିବାକୁ ସେମାନେ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର