ମଞ୍ଚେଶ୍ବର ଶିଳ୍ପାଞ୍ଚଳ କର୍ମଜୀବୀଙ୍କୁ ନର୍କ ଯନ୍ତ୍ରଣା

ପ୍ରଦୂଷଣକୁ ବଳେଇପଡ଼ୁଛି ଅସୁରକ୍ଷିତ ପରିବେଶ

ଭୁବନେଶ୍ବର: କର୍ମଜୀବୀଙ୍କ ପାଇଁ ନର୍କ ପାଲଟିଛି ମଞ୍ଚେଶ୍ବର ଶିଳ୍ପାଞ୍ଚଳ। ପ୍ରଦୂଷଣ ସାଙ୍ଗକୁ ଅସୁରକ୍ଷିତ ପରିବେଶ କର୍ମଜୀବୀମାନଙ୍କ ପାଇଁ ପାଦେପାଦେ ବିପଦ ସୃଷ୍ଟି କରୁଛି। ବର୍ଷ ବର୍ଷ ଧରି ଧୂଳି ଧୂସରିତ ଓ ପଙ୍କ କାଦୁଅ ରାସ୍ତାରେ ଯାତାୟାତ କରିବା ଦ୍ବାରା ସେମାନେ ଯେତିକି ହନ୍ତସନ୍ତ ହେଉଛନ୍ତି, ରାତିରେ ଅନ୍ଧାରିଆ ରାସ୍ତାରେ ଘରକୁ ଫେରିବା ତା’ଠାରୁ ବେଶି ବିପଦପୂର୍ଣ୍ଣ ହୋଇପଡ଼ୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିଭଳି ଏହି ପ୍ରଦୂଷିତ ଶିଳ୍ପାଞ୍ଚଳ ଏବେ ସଂଲଗ୍ନ ଆବାସିକ କଲୋନିଗୁଡ଼ିକର ବାସିନ୍ଦାଙ୍କ ପାଇଁ ମଧ୍ୟ ବିପଦର କାରଣ ହୋଇଥିବା ଅଭିଯୋଗ ହେଉଛି।

ଇଡ୍‌କୋ ଜମିରେ ଗଢ଼ି ଉଠିଥିବା ଏହି ଶିଳ୍ପାଞ୍ଚଳରେ ଛୋଟ ବଡ଼ ହୋଇ ପ୍ରାୟ ୨ ଶହରୁ ଅଧିକ ଶିଳ୍ପ ସଂସ୍ଥା ରହିଛି। ୨୨ ତାଲା କୋଠା ସହ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ମଧ୍ୟ ଏଠାରେ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ରସୁଲଗଡ଼ ଫ୍ଲାଏଓଭର ଛକଠାରୁ ରସୁଲଗଡ଼ ଥାନା ଦେଇ ବ୍ୟାଙ୍କ୍‌ ଛକ, ପୁରୁଣା ଥାନା ଛକରୁ ଏସ୍‌କେ ଛକ ଏବଂ ରସୁଲଗଡ଼ ଦୁର୍ଗାମଣ୍ଡପଠାରୁ ଆରମ୍ଭ କରି ରୟାଲ୍‌ କଲେଜ ଦେଇ ରେଳ ଷ୍ଟେସନ ଯାଏ ସବୁଆଡ଼େ ପ୍ରଦୂଷିତ ପରିବେଶ। ସବୁଆଡ଼େ ପ୍ରଚୁର ଧୂଳି ଉଡ଼ୁଛି। ସବୁ ରାସ୍ତାରେ ପରସ୍ତ ପରସ୍ତ ଧୂଳିର ଆବରଣ। ରାସ୍ତା ଅଧା ପର୍ଯ୍ୟନ୍ତ ବାଲି ଚଢ଼ି ଗଲାଣି। ଶିଳ୍ପ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଗଛ, ଲତା ଯାଏ ସବୁଥିରେ ବହଳ ପରସ୍ତ ଧୂଳି ଜମି ଧୂସର କରିସାରିଛି। ସ୍ବାଭାବିକ ଭାବେ ପ୍ରତିଦିନ ଶହଶହ ଗାଡ଼ି ଶିଳ୍ପାଞ୍ଚଳ ଭିତରକୁ ଯାତାୟାତ କରୁଛି।

ହେଲେ ରାସ୍ତା ଅବସ୍ଥା ଭଲ ନଥିବାରୁ ପ୍ରବଳ ଧୂଳି ଉଡ଼ୁଛି। ଖାଲଖମାପୂର୍ଣ୍ଣ ରାସ୍ତା ସବୁ ନିୟମିତ ମରାମତି ହେଉନଥିବାରୁ ଏଭଳି ସ୍ଥିତି ଉପୁଜୁଛି। ତେଣୁ କର୍ମଜୀବୀମାନଙ୍କ କହିବା କଥା, କାରଖାନାରେ ସେମାନେ ଯେତିକି ପ୍ରଦୂଷଣର ଶିକାର ହେଉନାହାନ୍ତି, ରାସ୍ତାରେ ଯାତାୟାତ କଲା ବେଳେ ତା’ଠାରୁ ବେଶି ପ୍ରଭାବିତ ହେଉଛନ୍ତି। ପ୍ରଭାସିନୀ ଦଳେଇ ନାମକ ଜଣେ କର୍ମଜୀବୀ ମହିଳାଙ୍କ ଅଭିଯୋଗ ଅନୁସାରେ ସେ ଏଠାରେ କାମ କରିବାର ଦୁଇ ବର୍ଷ ଭିତରେ ଆଜ୍‌ମାରେ ପୀଡ଼ିତ ହୋଇଗଲେ। ସେହିଭଳି ବର୍ଷା ଦିନ ବି କିଛି କମ୍‌ ନୁହେଁ। ଶିଳ୍ପାଞ୍ଚଳରେ ବର୍ଷବର୍ଷ ଧରି ଡ୍ରେନ୍‌ ସଫା ହେଉନାହିଁ। ଫଳରେ ବର୍ଷା ଦିନେ ଆବର୍ଜନାପୂର୍ଣ୍ଣ ଡ୍ରେନ୍‌ରୁ ବର୍ଷା ଜଳ ରାସ୍ତା ଉପରକୁ ଉଛୁଳି ପଡ଼ୁଛି। ଅସରାଏ ବର୍ଷାରେ ମୁଖ୍ୟ ରାସ୍ତା ଉପରେ ଲହଡ଼ି ମାରୁଛି ମଇଳା ପାଣି। ଘଣ୍ଟା ଘଣ୍ଟା ଧରି ରାସ୍ତାରେ ପାଣି ଜମି ରହୁଛି। ସେହିଭଳି ବହୁ ଡ୍ରେନ୍‌ରେ ସ୍ଲାବ୍‌ ପକାଯାଉ ନାହିଁ। ରାସ୍ତାରେ ପାଣି ଓ ମୁକୁଳା ଡ୍ରେନ୍‌ ବହୁ ସମସ୍ୟା ସୃଷ୍ଟି କରୁଛି।

ମୁଖ୍ୟ ସମସ୍ୟା ହେଉଛି ଏବେ ଅଧା ଶିଳ୍ପାଞ୍ଚଳର ରାସ୍ତାରେ ରାତିରେ ଅନ୍ଧାର ରାଜୁତି କରୁଛି। ଆବଶ୍ୟକ ପରିମାଣର ଷ୍ଟ୍ରିଟ୍‌ଲାଇଟ୍‌ ନଥିବାରୁ ବହୁ ମୁଖ୍ୟ ରାସ୍ତାରେ ରାତିରେ ଅନ୍ଧାରିଆ ହୋଇ ରହୁଛି। ଫଳରେ କର୍ମଜୀବୀ ମହିଳାମାନେ କାମ ସାରି ରାତିରେ ଫେରିବା ବେଳକୁ ସମସ୍ୟାରେ ପଡ଼ୁଛନ୍ତି। ଅନ୍ଧାରରେ ଅସାମାଜିକ ତତ୍ତ୍ବମାନେ ଆଡ଼ା ଜମାଉଥିବା ବେଳେ ଲୁଟ୍‌, ଛିନ୍‌ତାଇ ଓ ଅସଦାଚରଣ ଭଳି କାଣ୍ଡ ଭିଆଇବାକୁ ସୁଯୋଗ ପାଉଛନ୍ତି। ତେଣୁ ସବୁ ରାସ୍ତା ମରାମତି କରିବା, ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଓ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର