ଚନ୍ଦ୍ରଶେଖରପୁର: ସର୍ବସାଧାରଣ ଶୌଚାଳୟ ନିର୍ମାଣ ପାଇଁ ଅନେକ ସ୍ଥାନରେ ଜାଗା ଖାଲିପଡ଼ିଛି। ମାତ୍ର ସେଠାରେ ନିର୍ମାଣ ହେଉ ନାହିଁ। ଯେଉଁଠି କଲୋନିବାସୀ ରହୁଛନ୍ତି ସେମାନଙ୍କ ଘର ଆଗରେ ବିଏମ୍ସି ପକ୍ଷରୁ ଶୌଚାଳୟ ନିର୍ମାଣ କରିବାକୁ ପଦକ୍ଷେପ ନିଆଯାଇଛି। ଏହାକୁ ନେଇ ଶୈଳଶ୍ରୀବିହାର ଫେଜ୍-୬ର ଭିଆଇଏମ୍ କଲୋନିବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସେମାନେ ଅଭିଯୋଗ କରିଛନ୍ତି ଯେ ବିଏମ୍ସିର ୭ ନମ୍ବର ୱାର୍ଡ ଅଞ୍ଚଳରେ ଆସୁଥିବା ଏହି କଲୋନିରେ ଦୁଇହଜାରରୁ ଅଧିକ ଲୋକ ରହୁଛନ୍ତି। କିଛି ଦିନ ହେବ ବିଏମ୍ସି ପକ୍ଷରୁ ଘର ସମ୍ମୁଖରେ ଏକ ସର୍ବସାଧାରଣ ଶୌଚାଳୟ ନିର୍ମାଣ ପାଇଁ ଉଦ୍ୟମ ହେଉଛି। କଲୋନିବାସୀଙ୍କ ପକ୍ଷରୁ ଲଗାଯାଇଥିବା ତାର ବାଡ଼ ହଟାଯିବା ସହ ଜେସିବି ଦ୍ବାରା ଶୌଚାଳୟ ନିର୍ମାଣ ପାଇଁ ଖୋଳାଖୋଳି ଆରମ୍ଭ ହୋଇଛି।
ସରକାରୀ ଜମି ସୁରକ୍ଷା ଓ ଉଠାଦୋକାନୀଙ୍କ କବଳରୁ ଜବରଦଖଲମୁକ୍ତ କରିବା ସହ ସବୁଜିମା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏଠାରେ ଗଛ ଲଗାଯାଇ ତାରବାଡ଼ ଘେରା ଯାଇଥିଲା। ହେଲେ ଜୁଲାଇ ତୃତୀୟ ସପ୍ତାହରେ ବିଏମ୍ସିର ଜଣେ ଠିକାଦାର ଏଠାରେ ଗାତ ଖୋଳିଥିଲେ। ତାଙ୍କୁ ପଚାରିବାରୁ ଏହି ସ୍ଥାନରେ ବ୍ୟବସାୟୀ ଓ ଅନ୍ୟମାନଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ କରାଯିବ ବୋଲି ସେ ଦର୍ଶାଇଥିଲେ। ଶୌଚାଳୟ ନିର୍ମାଣ ପ୍ରତିବାଦରେ ଜୁଲାଇ ୨୭ରେ କଲୋନିବାସୀ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା(ଓଏସ୍ଏଚ୍ବି)ର ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଅଞ୍ଚଳବାସୀଙ୍କ ପତ୍ର ଆଧାରରେ ଓଏସ୍ଏଚ୍ବିର ଏକ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଅଭିଯୋଗର ସତ୍ୟତା ଥିବା ରିପୋର୍ଟରେ ଦର୍ଶାଇଥିଲେ। ଓଏସ୍ଏଚ୍ବି ପକ୍ଷରୁ ଲଗାଯାଇଥିବା କିଛି ଫଳନ୍ତି ଗଛକୁ କଟାଯାଇଥିବା ଜଣାପଡ଼ିଥିଲା। ରିପୋର୍ଟ ଆଧାରରେ ଓଏସ୍ଏଚ୍ବି ପ୍ରଶାସନିକ ଅଧିକାରୀ(ଜମି) ଜୁଲାଇ ୩୦ରେ ବିଏମ୍ସି ଉତ୍ତର ଜୋନ୍ର ଜୋନାଲ କମିସନରଙ୍କୁ ପତ୍ର ଲେଖି ଖନନ ହୋଇଥିବା ସ୍ଥାନ ବନ୍ଦ ସହ ଅନ୍ୟତ୍ର ଶୌଚାଳୟ ନିର୍ମାଣ କରିବାକୁ କହିଥିଲେ। ତେଣୁ ବିଏମ୍ସି ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ କାମ ବନ୍ଦ କରିଥିଲେ। ମାତ୍ର ଆଜି ସକାଳୁ ବିଏମ୍ସି ପକ୍ଷରୁ ପୁଣିଥରେ ସେହି ସ୍ଥାନରେ ଖନନ ଆରମ୍ଭ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।