ଭୁବନେଶ୍ବର: ବିଏମ୍ସିର ୫ନମ୍ବର ୱାର୍ଡ ଅନ୍ତର୍ଗତ ଚକେଇସିହାଣୀସ୍ଥିତ ଶ୍ରୀରାମ ନଗର ବସ୍ତିରେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରକୁ ହେଉଥିବା ଜଳ ଯୋଗାଣରେ ବିଭିନ୍ନ ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ଏହାସହ ବିଏମ୍ସି ପକ୍ଷରୁ ଲାଗିଥିବା ୱାଟର୍ ଏଟିଏମ୍ରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ମିଳିପାରୁନି। ଫଳରେ ଏଭଳି ପ୍ରଚଣ୍ଡ ରୌଦ୍ରତାପରେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି।
ସୂଚନା ଅନୁସାରେ, ଏହି ବସ୍ତିରେ ୮ଶହ ପରିବାରରେ ୩ହଜାର ଲୋକ ବସବାସ କରୁଥିବାବେଳେ ସମସ୍ତେ ଟ୍ୟାପ୍ ପାଣି ଓ ୱାଟର୍ ଏଟିଏମ୍ ଉପରେ ନିର୍ଭରଶୀଳ। ହେଲେ ଟ୍ୟାପ୍ ପାଣି କେତେବେଳେ ଆସୁଛି ତା’ର କୌଣସି ସଠିକ ସମୟ ନାହିଁ। କେତେବେଳେ ସନ୍ଧ୍ୟାରେ ଆସୁଛି ତ ପୁଣି କେତେବେଳେ ରାତି ଅଧରେ ଆସୁଛି। ଫଳରେ ଲୋକମାନେ ସଂଗ୍ରହ କରି ରଖିପାରୁନାହାନ୍ତି। ବସ୍ତି ଅଞ୍ଚଳରେ ଘର ହୋଇଥିବାରୁ ଅନେକ ଲୋକଙ୍କର ମଧ୍ୟ ଓଭର୍ହେଡ ଟାଙ୍କି ନାହିଁ। ଫଳରେ ଲୋକମାନଙ୍କୁ ୱାଟର୍ ଏଟିଏମ୍ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରିବାକୁ ପଡ଼ୁଛି। ଏଟିଏମ୍ରେ ପ୍ରତି କାର୍ଡରେ ଦୈନିକ ଜଣେ ବ୍ୟକ୍ତି ୧୦ଲିଟର ପାଣି ନେଇପାରିବେ। ହେଲେ ଗୋଟିଏ ପରିବାରକୁ ୧୦ଲିଟର ପାଣି ପର୍ଯ୍ୟାପ୍ତ ହେଉନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପାଗ ଖରାପ ହେଲେ କି କାର୍ଡରେ କୌଣସି ସମସ୍ୟା ହେଲେ ଅଧିକାଂଶ ସମୟରେ ପାଣି ଆସୁନି।
ଏନେଇ ସ୍ଥାନୀୟ ବାସିନ୍ଦା ସୁବାସିନୀ ବେହେରା କହିଛନ୍ତି, ଦୀର୍ଘ ଦିନ ହେଲା ଏହି ପାଣି ସମସ୍ୟା ଲାଗି ରହିଥିଲେ ହେଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଏହାର ସମାଧାନ ହୋଇପାରୁନି। ଅନ୍ୟ ଦିନରେ ଯାହା ଯେମିତି ଚଳି ହୋଇଯାଉଛି। ହେଲେ ଖରାଦିନରେ ପାଣିର ଘୋର ଅଭାବ ଦେଖାଦେଉଛି। ଅନ୍ୟଜଣେ ବାସିନ୍ଦା ସନ୍ତୋଷୀ ରଥ କହିଛନ୍ତି, ମାତ୍ର ୧୦ଲିଟର ପାଣିରେ କେମିତି ପରିବାର ଚଳିବ? ଅନ୍ୟ କୌଣସି ଉତ୍ସରୁ ପାଣିର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଯଦି ୱାଟର୍ ଏଟିଏମ୍ କି ଟ୍ୟାପ୍ ପାଣି ନ ଆସେ ତେବେ ଆମେମାନେ ପିଇବା ପାଇଁ ପାଣି ମୁନ୍ଦେ ପାଇବା କଷ୍ଟକର ହୋଇପଡ଼ୁଛି। ତେଣୁ ତୁରନ୍ତ ପିଇବା ପାଣି ସମସ୍ୟା ଦୂର କରିବା ପାଇଁ ସେ ନିବେଦନ କରିଛନ୍ତି।