ଏମ୍ସରେ ଉଦ୍‌ଘାଟିତ ହେଲା ପେଟ୍‌-ସିଟି ସ୍କାନ

ରାଜ୍ୟର ପ୍ରଥମ ସରକାରୀ ଡାକ୍ତରଖାନାରେ ସୁବିଧା, କର୍କଟ, ହୃଦ୍‌ରୋଗୀ ହେବେ ଉପକୃତ

ଭୁବନେଶ୍ବର: ଏମ୍ସରେ ଉଦ୍‌ଘାଟିତ ହୋଇଛି ପେଟ୍‌-ସିଟି ସ୍କାନ ମେସିନ୍‌। ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବି. ଏହାର ଉଦ୍‌ଘାଟନ କରିଛନ୍ତି। ଏହା ୧୨୮-ସ୍ଲାଇସ୍‌ ସିଟି ଏବଂ ଏଲ୍‌ଏସଓ କ୍ରିଷ୍ଟାଲ୍‌ ବିଶିଷ୍ଟ ହୋଇଥିବାବେଳେ ଜ୍ଞାନକୌଶଳ ଦୃଷ୍ଟିରୁ ରାଜ୍ୟ ତଥା ପୂର୍ବ ଭାରତରେ ପ୍ରଥମ ବୋଲି ନ୍ୟୁକ୍ଲିୟର୍‌ ମେଡିସିନ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର୍‌ ଡ. କହ୍ନେୟା ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହି ଅବସରରେ ଏମ୍ସ ଭୁବନେଶ୍ବର ଅଧୀକ୍ଷକ ପ୍ରଫେସର ଡ. ଏସ ଏନ ମହାନ୍ତି, ଡିନ୍‌ ଡ. ଦେବାଶିଷ ହୋତା, ଡିଡିଏ ପି କେ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଡ. ଅଗ୍ରଓ୍ବାଲ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ଦିନ ଧରି ଜ୍ବର ହେଉଛି, ଶରୀର କେଉଁ ସ୍ଥାନରେ ସଂକ୍ରମଣ ହୋଇଛି ତାହା ଜଣାପଡ଼ୁ ନାହିଁ। ପେଟ୍‌-ସିଟି ସ୍କାନ ମେସିନ ଜରିଆରେ ଏହି ସ୍ଥାନ ଚିହ୍ନଟ ହୋଇ ପାରିବ। ଚିକିତ୍ସା ପରେ କର୍କଟରୁ ସୁସ୍ଥ ହୋଇଛନ୍ତି କିନ୍ତୁ ରୋଗୀ ସୁସ୍ଥ ହେଲେକି ନାହିଁ ଜାଣିବା ପାଇଁ ବାରମ୍ବାର ବାହାର ରାଜ୍ୟକୁ ଯିବାକୁ ପଡ଼ୁଛି। ଏହି ମେସିନ ସେମାନଙ୍କୁ ଆଶ୍ବସ୍ତ କରିବ। କ୍ଷୁଦ୍ରରୁ କ୍ଷୁଦ୍ରତମ ଅବସ୍ଥାରେ ଥିବା କର୍କଟ ରୋଗ ମଧ୍ୟ ଜଣାପଡ଼ିବ। ଯାହାକି ପୂର୍ବରୁ ପ୍ରଚଳିତ ମେସିନ୍‌ ଜରିଆରେ କରାଯିବା ସମ୍ଭବ ନଥିଲା।

ଏଥିସହିତ କର୍କଟ ରୋଗ ଉପରେ ଚିକିତ୍ସା ପ୍ରଭାବ ଏବଂ କେଉଁ ଷ୍ଟେଜ୍‌ରେ ରହିଛି, ମେସିନ୍‌ର ବିକିରଣ(ରେଡିଏସନ୍‌) ପ୍ରଭାବ, କର୍କଟ ରୋଗର ଅସ୍ତ୍ରୋପଚାରର ସଫଳତା ମଧ୍ୟ ଏହି ମେସିନରୁ ଜାଣି ହେବ। ସେହିପରି ହୃଦ୍‌ଘାତର ଶିକାର ରୋଗୀ ମଧ୍ୟ ଏଥିରୁ ଲାଭ ପାଇପାରିବେ। ହୃତ୍‌ପିଣ୍ଡର କେଉଁ ଅଂଶରେ ଆଞ୍ଜିଓପ୍ଲାଷ୍ଟ ସୁଫଳ ଦେଉଛି ତାହା ମଧ୍ୟ ଏହି ମେସିନ୍‌ ଜରିଆରେ ଜଣାପଡ଼ିବ। ସାଧାରଣ ମଣିଷର ମସ୍ତଷ୍କ ଏବଂ ହୃତ୍‌ପିଣ୍ଡକୁ ସଠିକ୍‌ ଢଙ୍ଗରେ ମାପିବା ସହିତ କେନ୍ଦ୍ରୀୟ ସ୍ନାୟୁବିକ ବ୍ୟବସ୍ଥାରେ ଥିବା ତ୍ରୁଟି, ସ୍ମୃତିଶକ୍ତି ହ୍ରାସ ଆଦିକୁ ଚିହ୍ନଟ କରିବାରେ ଏହି ପେଟ୍‌-ସିଟି ମେସିନ୍‌ ବିଶେଷ ସହାୟକ ହେଉଥିବା ଡ. ଅଗ୍ରୱାଲ ପ୍ରକାଶ କରିଛନ୍ତି।

ଏହାର ପାର୍ଶ୍ବ ପ୍ରତିକ୍ରିୟା ପ୍ରାୟତଃ ନାହିଁ। ଓଡ଼ିଶାରେ ପୂର୍ବରୁ କେବଳ କିଛି ଘରୋଇ ହସ୍‌ପିଟାଲରେ ଏପରି ମେସିନ୍‌ ରହିଛି। ଯାହାକି ବେଶ୍‌ ବ୍ୟୟସାକ୍ଷେପ। ଏହି ସ୍କାନ୍‌ କରିବାକୁ ଯେକୌଣସି ଘରୋଇ ହସ୍‌ପିଟାଲରେ ପ୍ରାୟ ୨୫ହଜାରରୁ ଊର୍ଧ୍ବ ଖର୍ଚ୍ଚ କରିବାକୁ ପଡ଼ୁଥିବାବେଳେ ଏମ୍ସ ଭୁବନେଶ୍ବରରେ ଏହା ମାତ୍ର ୭,୫୦୦ ଟଙ୍କାରେ ହୋଇପାରିବ। ବର୍ତ୍ତମାନ ଏହି ମେସିନ ଚଳାଇବା ପାଇଁ ନ୍ୟୁକ୍ଲିୟର ମେଡିସିନ ବିଭାଗରେ ଡ. ଅଗ୍ରଓ୍ବାଲଙ୍କ ସହିତ ଡ. ଗିରୀଶ ରହିଛନ୍ତି। ଏମଡି ପାଠ୍ୟକ୍ରମ ଖୋଲିଥିବାରୁ ୨ ଜଣ କନିଷ୍ଠ ଡାକ୍ତର ସେମାନଙ୍କୁ ସହଯୋଗ କରିବେ। ଏଥିସହିତ ଏହି ବିଭାଗ ପାଇଁ ଖାଲିଥିବା ୨ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କିଛି ଦିନ ପରେ ଏସଂକ୍ରାନ୍ତରେ ସାକ୍ଷାତକାର ପରୀକ୍ଷା ହୋଇ ନିଯୁକ୍ତି ଦିଆଯିବ।

ମେଡିକାଲ ସାଇକ୍ଲୋଟ୍ରନର କାର୍ଯ୍ୟକ୍ଷମକୁ ଅପେକ୍ଷା

ପେଟ୍‌-ସିଟି ସ୍କାନ ମେସିନରେ ପରୀକ୍ଷଣ ପାଇଁ ସ୍ବତନ୍ତ୍ର ପ୍ରକାର ଇଂଜେକସନ ଦିଆଯିବାର ଆବଶ୍ୟକତା ଥାଏ। ରେଡିଏସନ ଆକ୍ଟିଭିଟି ଥିବା ଏହି ଇଂଜେକସନ ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀରୁ ଆସିବ। ଅର୍ଥାତ ଏମ୍ସ ଦିଲ୍ଲୀ ଭଳି ଯେଉଁ ସ୍ଥାନରେ ମେଡିକାଲ ସାଇକ୍ଲୋଟ୍ରନର ବ୍ୟବସ୍ଥା ରହିଛି, ସେଠାରୁ ଏହି ରେଡିଏସନ ଇଂଜେକସନ ଆସିବା ପରେ ଏଠାରେ ପେଟ୍‌-ସିଟି ସ୍କାନ କାର୍ଯ୍ୟକ୍ଷମ ହେବ। ଏମ୍ସ ଭୁବନେଶ୍ବରରେ ମଧ୍ୟ ମେଡିକାଲ ସାଇକ୍ଲୋଟ୍ରନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ଏଥିପାଇଁ ଟେଣ୍ଡର ମଧ୍ୟ ହୋଇଛି।

ଏଥିପାଇଁ ଖର୍ଚ ୩୦ରୁ ୪୦ କୋଟି ହେବା ନେଇ ଆକଳନ ରହିଛି। ଭୁବନେଶ୍ବରରେ ଏହା ପ୍ରତିଷ୍ଠା ହୋଇପାରିଲେ ବୁର୍ଲା, ବ୍ରହ୍ମପୁର, କଟକ କିମ୍ବା ରାଜ୍ୟର ଯେକୌଣସି ଡାକ୍ତରଖାନାରେ ପେଟ୍‌-ସିଟି ସ୍କାନ ମେସିନ ସ୍ଥାପନ କରାଯାଇ କର୍କଟ ରୋଗର ଚିହ୍ନଟ କରିପାରିବେ। ଏହାପରେ କର୍କଟ ରୋଗୀଙ୍କୁ କେବଳ ପରୀକ୍ଷଣ କିମ୍ବା ରୋଗର ସ୍ଥିତି ଜାଣିବା ପାଇଁ ଆଉ ନିଜ ଅଞ୍ଚଳ ଛାଡ଼ି ଅନ୍ୟ ସ୍ଥାନକୁ ଯିବା ପଡ଼ିବ ନାହିଁ। ଆହୁରି ମଧ୍ୟ ମେଡିକାଲ ସାଇକ୍ଲୋଟ୍ରନ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ କର୍କଟ ରୋଗ ଯେଉଁଭଳି ଗୁରୁତର ହେଲାଣି ତାକୁ ନେଇ ମଧ୍ୟ ଗବେଷଣା ହୋଇ ପାରିବ।

ସମ୍ବନ୍ଧିତ ଖବର