ଭୁବନେଶ୍ବର: ଯାହା ହଜାରେ ଶବ୍ଦରେ କହି ହୁଏନାହିଁ, ତାହା ଫଟୋଟିଏ କହିଦିଏ। ଅକ୍ଷରଠାରୁ ଅଧିକ ବିଶ୍ବସ୍ତ ହେଉଛି ଫଟୋ। ଫଟୋଗ୍ରାଫର୍ମାନେ ବିଶ୍ବାସର ବାହନ ବା ପ୍ରତୀକ ହୋଇ ସମସ୍ତଙ୍କ ମନରେ ନୂଆ ଆଶାର ସଞ୍ଚାର କରନ୍ତି। ଏବେ ମୋବାଇଲ ଫୋନ୍ ସମସ୍ତଙ୍କୁ ଫଟୋଗ୍ରାଫର ସଜାଇଛି। ଅନେକାଂଶରେ ଏହାର ଦୁରୁପଯୋଗ ହେଉଥିବା ବେଳେ, ମୋବାଇଲ୍ ଫଟୋଗ୍ରାଫିକୁ ଅଧିକରୁ ଅଧିକ ସଦୁପଯୋଗ କରିବା ଦିଗରେ ଚେଷ୍ଟା କରାଯିବା ଉଚିତ। ସାମ୍ପ୍ରତିକ ପରିସ୍ଥିତି, ପରିବେଶକୁ ଫଟୋ ଜରିଆରେ ସାଇତି ରଖିବା ଉଚିତ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ‘ବିଶ୍ବ ଫଟୋଗ୍ରାଫି ଦିବସ’ ଅବସରରେ ‘ନବୀନ ସୂତ୍ରଧର’ ଅନୁଷ୍ଠାନ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
ଆଜିର ପ୍ରଦର୍ଶନୀରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ ବିଏମ୍ସି ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ବରିଷ୍ଠ ସାମ୍ବାଦିକ ବିପିନ ବିହାରୀ ମିଶ୍ର ଓ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମାଜ ତଥା ଗଣମାଧ୍ୟମ ପାଇଁ ଫଟୋଗ୍ରାଫି ଓ ଫଟୋଗ୍ରାଫର୍ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ୩ ଜଣଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଫଟୋଗ୍ରାଫର୍ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଅଜିତ ପାଢ଼ୀ, ବୈଦ୍ୟନାଥ ନାୟକ ଓ ସତ୍ୟଜିତ ଦାସ। ସେହିଭଳି ଆଉ ୩ ଜଣ ଫଟୋଗ୍ରାଫରଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ (ସ୍ପେଶାଲ୍ ମେନ୍ସନ୍)ପାଇଁ ସମ୍ବର୍ଦ୍ଧିତ କରାଯାଇଛି।ସେମାନେ ହେଲେ ସନ୍ଦୀପ ପ୍ରିୟଦର୍ଶୀ, କଳ୍ପନା ରଥ ଓ ଆଶୁତୋଷ ପାଢ଼ୀ। କାର୍ଯ୍ୟକ୍ରମକୁ ‘ନବୀନ ସୂତ୍ରଧର’ ଅନୁଷ୍ଠାନର ପ୍ରତିଷ୍ଠାତା ନବୀନ ଦାସ ପରିଚାଳନା କରିଥିଲେ। ପ୍ରଦର୍ଶନୀରେ ୫୦୦ରୁ ଅଧିକ ଫଟୋ ପ୍ରଦର୍ଶିତ ହୋଇଥିଲା। ଦିନତମାମ୍ ଦର୍ଶକଙ୍କ ଭିଡ଼ ଲାଗି ରହିଥିଲା।
ବୁଦ୍ଧ ଆର୍ଟ ଗ୍ୟାଲେରୀ ଓ ସିଲିକନ୍ରେ ଫଟୋ ପ୍ରଦର୍ଶନୀ
ଚନ୍ଦ୍ରଶେଖରପୁର: ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଏକ ଫଟୋ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରବିନ୍ଦ ବେହେରା ଓ ଯୁଗଳ କିଶୋର ମହାପାତ୍ର ଯୋଗ ଦେଇଥିଲେ। ଐତିହ ଓ ପ୍ରକୃତି ଉପରେ ଆଧାରିତ ଏହି ପ୍ରଦର୍ଶନୀରେ ୧୩ ଜଣ ଫଟୋଗ୍ରାଫରଙ୍କର ୪୦ ଟି ଶ୍ରେଷ୍ଠ କୃତି ପ୍ରଦର୍ଶିତ ହୋଇଛି। ପ୍ରଦର୍ଶନୀ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସେହିଭଳି ସିଲିକନ୍ ଇଂଜିନିୟରିଂ କଲେଜରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ଉଦ୍ଘାଟନରେ ଚଳଚ୍ଚିତ୍ର ନିର୍ମାତା ତଥା ଫଟୋଗ୍ରାଫର ଯୁଗଳ ଦେବତା ମୁଖ୍ୟ ଅତିଥି, ସଞ୍ଜୟ ଆଚାର୍ଯ୍ୟ ବକ୍ତା ତଥା କଲେଜର ଅଧ୍ୟକ୍ଷ ଜୟଦୀପ ତାଲୁକଦାର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/g65d4j654ggggjgjd.jpg)