ବିଏମ୍‌ସି ମେୟର୍‌ ପଦ ପାଇଁ ଚିତ୍ର ସ୍ପଷ୍ଟ: ସୁଲୋଚନା-ସୁନୀତି-ମଧୁସ୍ମିତା

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଛକାପଞ୍ଝା ମଧ୍ୟରେ ଉଭୟ ବିଜେଡି ଓ ବିଜେପି ଆଜି ବିଏମ୍‌ସି ନିର୍ବାଚନ ଲାଗି ମେୟର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସାମ୍ବାଦିକତାରୁ ରାଜନୀତିରେ ପାଦ ଥାପିଥିବା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୫ ଘଣ୍ଟା ପରେ ବିଜେପି ତାହାର ମେୟର୍‌ ପ୍ରାର୍ଥୀଙ୍କୁ ମଇଦାନକୁ ଆଣିଛି। ସାମ୍ବାଦିକତାରୁ ସାହିତ୍ୟ ଜଗତ ଦେଇ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ସାହିତ୍ୟିକା ସୁନୀତି ମୁଣ୍ଡ୍‌। ଗତକାଲି କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର୍‌ ପ୍ରାର୍ଥୀ ଭାବେ ଘୋଷଣା କରାଯାଇସାରିଛି। ତେଣୁ ଏବେ ମେୟର୍‌ ପଦ ପାଇଁ ଚିତ୍ର ସ୍ପଷ୍ଟ ହୋଇଛି। ଭୁବନେଶ୍ବର ମେୟର୍‌ ପଦ ଲାଗି ମଇଦାନରେ ସୁଲୋଚନା, ସୁନୀତି ଓ ମଧୁସ୍ମିତାଙ୍କ ମଧ୍ୟରେ ଲଢ଼େଇ ହେବା ଏକପ୍ରକାର ଫାଇନାଲ।

କ୍ୟାରିଅରକୁ ଯଦି ଦେଖିବା ଯାଜପୁରରେ ଜନ୍ମିତ ସୁଲୋଚନା ୧୯୯୧ରେ ଦିଲ୍ଲୀ ମିଡ୍‌-ଡେ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ଦିଲ୍ଲୀ ଓ ଓଡ଼ିଶାର ପ୍ରମୁଖ ଟିଭି ଚ୍ୟାନେଲ୍‌ରେ କାର୍ଯ୍ୟ କରିଥିଲେ। ୨୦୧୪ରେ ସାମ୍ବାଦିକତା ଜଗତରୁ ମୁହଁ ଫେରାଇବା ସହ ରାଜନୀତିରେ ପାଦ ଥାପି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସର ମୁଖପାତ୍ର ହେବା ସହ ଧୀରେଧୀରେ ସମସ୍ତଙ୍କ ନଜରକୁ ଆସିଥିଲେ। ୨୦୧୭ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ସହ ମହିଳା ବିଜେଡିର କାର୍ଯ୍ୟକାରୀ ସଭାପତି ହୋଇଥିଲେ। ୨୦୧୯ରୁ ରାଜ୍ୟ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି। ନିଜ ଦାୟିତ୍ବକୁ ସୁଚାରୁରୂପେ ତୁଲାଉ ଥିବାରୁ ଭୁବନେଶ୍ବର ମେୟର୍‌ ପଦ ଲାଗି ଦଳ ତାଙ୍କୁ ଚୟନ କରିଛି।

ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କ ନାଁ ଘୋ‌ଷଣା କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଦଳର ନେତାମାନଙ୍କ ସହ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଛୁ। ସୁନୀତି ସାହିତ୍ୟ କ୍ଷେତ୍ରରୁ ରାଜନୀତିକୁ ଆସିଛନ୍ତି। ସେ ଜଣେ ଉଚ୍ଚଶିକ୍ଷିତା‌ ମହିଳା। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଓଡ଼ିଆରେ ପିଜି କରିବା ସହ ସାମ୍ବାଦିକତାରେ ଶିକ୍ଷା ଗ୍ରହଣ କରିଛନ୍ତି। ବହୁ ବର୍ଷ ଧରି ସାମ୍ବାଦିକ ଭାବେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ହିନ୍ଦୀ ଭାଷାରେ ରତ୍ନ ପାଇଛନ୍ତି। ଚଳଚ୍ଚିତ୍ର ଜଗତ ସହ ମଧ୍ୟ ଜଡ଼ିତ ରହିଛନ୍ତି।

ପାଖାପାଖି ୨୮ଟି ବହି ଲେଖିବା ସହ ହିନ୍ଦୀ ଓ ଓଡ଼ିଆ ଭାଷାରେ ସେ ଦକ୍ଷ। ଦକ୍ଷ ୱେଲଫେୟାର ଟ୍ରଷ୍ଟ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଉଛନ୍ତି। ମେୟର୍‌ ପ୍ରାର୍ଥୀ ହେବା ଲାଗି ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୨୫ଜଣ ମହିଳା ଆବେଦନ କରିଥିଲେ। ବିଜେପିରେ ସଦସ୍ୟା ନ ଥିବା ବହୁ ମହିଳା ଆଗ୍ରହ ଦେଖାଇଥିଲେ। ଏମିତିକି ବହୁ ବର୍ଷ ଧରି ଦଳରେ କାର୍ଯ୍ୟ କରିଥିବା ମହିଳା ବି ଆଗ୍ରହ ଦେଖାଇଥିଲେ। ସମସ୍ତଙ୍କ ସହ ଆଲୋଚନା କରାଯିବା ପରେ ସୁନୀତିଙ୍କୁ ଆମେ ପ୍ରାର୍ଥୀ କରିଛୁ। ସୁନୀତି ଭୁବନେଶ୍ବର ବାସିନ୍ଦା। ପାଖାପାଖି ୨୦ ବର୍ଷ ହେଲା ବିଏମ୍‌ସିର ୩୨ ନମ୍ବର ୱାର୍ଡ ଝାରପଡ଼ା ଅଞ୍ଚଳରେ ରହୁଛନ୍ତି। ବହୁ ଭାବିଚିନ୍ତି ନୂଆ ଚେହେରା ସାମ୍ନାକୁ ଆଣିଛୁ।

ଶୁକ୍ରବାର କଂଗ୍ରେସ ପକ୍ଷରୁ ଘୋଷଣା ହୋଇଥିବା ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ। କଲେଜ ଜୀବନରେ ମଧୁସ୍ମିତା ରାଜନୀତି ସହ ଜଡ଼ିତ ହୋଇଥିଲେ। କମଳା ନେହରୁ ମହିଳା ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଓ ସମ୍ପାଦକ ହୋଇଥିଲେ। ଏଥିସହ ଏନ୍‌ଏୱାଇଏର ଜଣେ ସଦସ୍ୟ। ତାଙ୍କର ଅନ୍ୟ ଏକ ପରିଚୟ ହେଲା, ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ। କାଙ୍ଗାଳୀ ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ସେହି ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି ବୋଲି ଦଳ ପକ୍ଷରୁ କୁହାଯାଉଛି। ତେବେ କିଏ ଭୁବନେଶ୍ୱରବାସୀଙ୍କ ଭରସା ଜିତି ବିଏମ୍‌ସିର ପ୍ରଥମ ମହିଳା ମେୟର୍‌ ହେବ, ତା’ ଉପରେ ସମସ୍ତଙ୍କ ନଜର।

ଭୁବନେଶ୍ବରକୁ ଏକ ନମ୍ବର କରିବି: ସୁଲୋଚନା

ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଥମେ ଏ କଥାକୁ ବିଶ୍ୱାସ କରିପାରି ନଥିଲି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ମୋ ପରି ଜଣେ ସାଧାରଣ ଲୋକ ଉପରେ ସେ ଆସ୍ଥା ପ୍ରକଟ କରିଛନ୍ତି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଭୁବନେଶ୍ବର ମୋ ପାଇଁ ରାଜଧାନୀ ନୁହେଁ, ବରଂ ମିନି ଓଡ଼ିଶା କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ହେଉଛି ଓଡ଼ିଶା ତଥା ଭୁବନେଶ୍ବରକୁ ଦେଶରେ ନମ୍ବର-ୱାନ୍‌ କରିବା। ତାଙ୍କ ସ୍ବପ୍ନକୁ ସାକାର କରିବାକୁ ଚେଷ୍ଟା କରିବି।

ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ଭୁବନେଶ୍ବରବାସୀଙ୍କ ଆଶୀର୍ବାଦ ଦରକାର। ଏଥିସହ ୬୭ କର୍ପୋରେଟର୍‌ଙ୍କ ସହଯୋଗ ଲୋଡ଼ା। କମିସନରଙ୍କଠାରୁ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗ ରହିଲେ ଭୁବନେଶ୍ବର ଏକ ନମ୍ବର ହୋଇପାରିବ। ବସ୍ତିଗୁଡ଼ିକ ଆଦର୍ଶ କଲୋନିରେ ପରିଣତ କରାଯିବ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଯେପରି ତୃଣମୂଳସ୍ତରରେ ପହଞ୍ଚି ପାରିବ, ସେ ଦିଗରେ କାର୍ଯ୍ୟ କରିବି। ଲୋକଙ୍କ ସୁବିଧା ଅସୁବିଧା ସହ ଜଡ଼ିତ ରହିଛି। ଡ୍ରେନେଜ୍‌, ଟ୍ରାଫିକ୍‌ ସମସ୍ୟା, ସ୍ବଚ୍ଛତା ରକ୍ଷା, ବୁଲା ଗାଈଗୋରୁଙ୍କ କବଳରୁ ଭୁବନେଶ୍ବରକୁ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବି।

ବସ୍ତିବାସିନ୍ଦାଙ୍କୁ ସୁନ୍ଦର ଜୀବନ ଦେବି: ସୁନୀତି

ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ କହିଛନ୍ତି ଦାୟିତ୍ବ ତୁଲାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରିବି। ବିଜେପି ମୋତେ ଯୋଗ୍ୟ ପ୍ରାର୍ଥୀ ଭାବେ ବିବେଚିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏ କ୍ଷେତ୍ରରେ ପାଦ ଥାପିଛି। ଭୁବନେଶ୍ବରକୁ ସୁନ୍ଦର ନଗରୀରେ ପରିଣତ କରିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ବପ୍ନ ଆଙ୍କିଥିଲେ, ଯାହାକୁ ଦେଖି ମୁଁ ଅନୁପ୍ରାଣିତ ହୋଇଥିଲି। ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ରହିଲେ ଆଗକୁ ବଢ଼ିବି। ୩୦ବର୍ଷ ହେଲା କଲମ ଚଳାଇ ସ୍ବର ଉଠାଉଛି।

ମାତ୍ର ସୀମିତ ଲୋକଙ୍କ ନିକଟରେ ପହଞ୍ଚିଛି। ତେଣୁ ସବୁ ବର୍ଗର ଓ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚିବାକୁ ରାଜନୀତି କ୍ଷେତ୍ରରେ ପାଦ ଥାପିଛି। ସେବା ଯୋଗାଇ ପାରିବି ବୋଲି ମୋର ଆଶା ଓ ବିଶ୍ବାସ। ରାଜଧାନୀର ବିଭିନ୍ନ ବସ୍ତିରେ ଶିକ୍ଷା, ସ୍ବସ୍ଥ୍ୟ ଓ ପରିମଳର ଅଭାବ ରହିଛି। ବାହାରେ ଚାକଚକ୍ୟ କରିଦେଲେ ହେବନି। ବସ୍ତିବାସିନ୍ଦାଙ୍କୁ ସୁନ୍ଦର ଜୀବନ ଦରକାର। ସେମାନଙ୍କ ଲାଗି ଯୋଜନା କରାଯାଉଥିବା କୁହାଯାଉଥିଲେ ମଧ୍ୟ କିଛି ହେଉନି। ସେମାନଙ୍କ ଅଭାବ, ଅସୁବିଧା ଦେଖିଲେ ଦୁଃଖ ଲାଗୁଛି। ସେଗୁଡ଼ିକର ସମାଧାନ କରିବା ଦିଗରେ କାର୍ଯ୍ୟ କରିବି।

ଗଳିକନ୍ଦି ଦେଖିଛି, ଲୋକଙ୍କ ସମସ୍ୟା ଜାଣିଛି: ମଧୁସ୍ମିତା

କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି ଯେ ରାଜଧାନୀବାସୀ ନିଜର ମତଦାନ ସାବ୍ୟସ୍ତ କରନ୍ତୁ। କେବଳ ବସ୍ତି ଲୋକ ଭୋଟ ଦେଲେ ବିକାଶ ହେବନି। ଉପଯୁକ୍ତ ପ୍ରାର୍ଥୀ ପାଉ ନ ଥିବାରୁ ଲୋକେ ଭୋଟ ଦେବାକୁ ଆସନ୍ତି ନାହିଁ। ମୋ ସାଙ୍ଗରେ ଲୋକଙ୍କ ଭଲ ପାଇବା ରହିଛି। ଯେଉଁ ଲକ୍ଷ୍ୟ ନେଇ ରାଜନୀତିକୁ ଆସିଛି ତାହାକୁ ପୂରଣ କରିବି। କଂଗ୍ରେସ ରକ୍ତରେ ଦେଶ ସେବା ରହିଛି। ପିଲାଟି ବେଳକୁ ରାଜନୀତି ସହ ଜଡ଼ିତ ରହିଛି। ସ୍କୁଲରେ ପଢ଼ିବା ବେ‌ଳୁ ଲୋକଙ୍କ ସେବାରେ ନିୟୋଜିତ ଅଛି। ଭୁବନେଶ୍ବରର ଗଳିକନ୍ଦି ଦେଖିଛି।

ଲୋକଙ୍କ ସମସ୍ୟା ଜାଣିଛି। ଲୋକେ ମଧ୍ୟ ନିଜ ସମସ୍ୟା ସମ୍ପର୍କରେ ଅବଗତ ରହିଛନ୍ତି। ସହରବାସୀ ପ୍ରାର୍ଥୀ ଦେଖି ଭୋଟ ଦିଅନ୍ତୁ। ଅର୍ଥ ବଳ କିଛି ବି କାମରେ ଆସିବ ନାହିଁ। ଲୋକଙ୍କ ଭଲ ପାଇବା ନେଇ ପ୍ରାର୍ଥୀ ହୋଇଛି। ଏଥର ନିର୍ବାଚନରେ ଭୁବନେଶ୍ବର ନୂଆ ଇତିହାସ ରଚିବ।

ସମ୍ବନ୍ଧିତ ଖବର