ଭୁବନେଶ୍ୱର: ରାଜଧାନୀର କେନ୍ଦ୍ରସ୍ଥଳ ଭାବେ ଜଣାଶୁଣା ୟୁନିଟ୍-୩ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ। ୫୦ ବର୍ଷର ଏହି ବିଦ୍ୟାଳୟର ପରିବେଶ, ପାଠପଢ଼ା ଆଦିକୁ ଦେଖିଲେ, କେହି ବି ସହଜରେ ବିଶ୍ବାସ କରିପାରିବ ନାହିଁ ଯେ ଏହା ରାଜଧାନୀର ଏକ ସରକାରୀ ବିଦ୍ୟାଳୟ। ଅପହଞ୍ଚ ଗ୍ରାମାଞ୍ଚଳର ସ୍କୁଲ ବି ଏହି ବିଦ୍ୟାଳୟଠାରୁ ଅନେକ ଗୁଣରେ ଭଲ। ଭଙ୍ଗା ପାଚେରି, ଭଙ୍ଗା ଶୌଚାଳୟ, ପରିସରରେ କୁଢ଼କୁଢ଼ ଆବର୍ଜନା ଥିବା ପରିବେଶ ସାଙ୍ଗକୁ ଶିକ୍ଷକ ଅଭାବ ହେଉଛି ଏହି ବିଦ୍ୟାଳୟର ବିଶେଷତ୍ବ। ଅଭିଭାବକମାନଙ୍କ ବାରମ୍ବାର ଦାବି ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଶିକ୍ଷା ବିଭାଗର ନଜର ଏହି ବିଦ୍ୟାଳୟରେ ପଡ଼ିଲା ନାହିଁ। ତେଣୁ ଅଭିଭାବକମହଲରେ ତୀବ୍ର ଅସନ୍ତୋଷ ଲାଗିରହିଛି।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରାୟ ୨୦୦ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି। ପରିତାପର କଥା, ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ପାଞ୍ଚ ପାଞ୍ଚଟା ଶ୍ରେଣୀରେ ୨ ଶହ ପିଲାଙ୍କୁ ୨ ଜଣ ଶିକ୍ଷୟିତ୍ରୀ କିଭଳି ଶିକ୍ଷାଦାନ କରୁଥିବେ ସହଜରେ ଅନୁମେୟ। ପ୍ରଧାନ ଶିକ୍ଷୟିତ୍ରୀ ଅଫିସ୍ କାମରେ ଯାଉଥିବା ବେଳେ ଅନ୍ୟ ଶିକ୍ଷୟିତ୍ରୀଜଣଙ୍କ କେବଳ ପିଲାଙ୍କୁ ଜଗି ବସିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ତାଲିମ୍ କାର୍ଯ୍ୟକ୍ରମ ବେଳେ ମଧ୍ୟ ଅନୁରୂପ ଅବସ୍ଥା। ତେଣୁ ସ୍ଥାନୀୟ ଅଭିଭାବକମାନଙ୍କ ଅଭିଯୋଗ ଅନୁସାରେ ଏଠାରେ ପାଠପଢ଼ା ମୋଟେ ହେଉନାହିଁ। ପିଲାମାନେ କେବଳ ନାଁ’କୁ ସ୍କୁଲ୍ ଯାଉଛନ୍ତି ଓ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଛନ୍ତି। ଶିକ୍ଷାଦାନର ଏଭଳି ଦୁର୍ବଳ ସ୍ଥିତି ପରେ ବିଦ୍ୟାଳୟର ପରିବେଶ କଥା ଆହୁରି ସଙ୍ଗିନ୍।
ଦୀର୍ଘ ଦିନ ହେଲା ପାଚେରି ଭାଙ୍ଗି ଗଲାଣି। ପାଚେରିର ଅଧାରୁ ଅଧିକ ଅଂଶ ଭାଙ୍ଗିଯାଇଛି। ତେଣୁ ରାତିରେ ଅସାମାଜିକତତ୍ତ୍ବମାନେ ବିଦ୍ୟାଳୟ ଭିତରେ ଆଡ଼ା ଜମାଉଛନ୍ତି। ସକାଳକୁ ବିଦ୍ୟାଳୟ ପରିସରରେ ମଦ ବୋତଲ, ସିଗାରେଟ୍ ଟୁକୁଡ଼ା ଓ ଗୁଟ୍ଖା ଖୋଳ ଦେଖିବାକୁ ମିଳୁଛି। ସେହିପରି ବାଳିକାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଶୌଚାଳୟ ବାହାରେ ତାଲା ଝୁଲୁଛି। ବାହାରେ ଲାଗିଥିବା ବେସିନ୍ ଓ ଟ୍ୟାପ୍ ଭାଙ୍ଗି ଯାଇଛି। ପିଲାମାନେ ଖେଳିବା ପାଇଁ ତିଆରି ହୋଇଥିବା ଖସଡ଼ି ମଧ୍ୟ ଭାଙ୍ଗି ଗଲାଣି। ପାଚେରି କଡ଼ରେ ବାହାରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା। ତେଣୁ ବିଦ୍ୟାଳୟ ବନ୍ଦ ଥିବା ଅବସ୍ଥାରେ ଏସବୁ ଦେଖି ଅନେକ ଲୋକ ଏହାକୁ ଏକ ପରିତ୍ୟକ୍ତ ବିଦ୍ୟାଳୟ ବୋଲି କହୁଛନ୍ତି। ତେବେ ଏତେସବୁ ଅବ୍ୟବସ୍ଥା ବାବଦରେ ପ୍ରଧାନ ଶିକ୍ଷୟିତ୍ରୀ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ଅଭିଭାବକମାନଙ୍କ କହିବା କଥା ରାଜ୍ୟ ସରକାର ୫-ଟି ଜରିଆରେ ବିଦ୍ୟାଳୟ ରୂପାନ୍ତରଣକୁ ନେଇ ଯେଉଁ ହୋ-ହଲ୍ଲା କରୁଛନ୍ତି, ତାହା କେବଳ ମିଛ ପ୍ରଚାର ବୋଲି ଏହି ପ୍ରାଥମିକ ବିଦ୍ୟାଳୟର ଅବସ୍ଥାରୁ ଜଳଜଳ ହୋଇ ଦେଖାଯାଉଛି।