ଅଁଳା ଗଛ ପୂଜିଲେ ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର, ୨/୧୧ (ଇମିସ): ମହାକାର୍ତ୍ତିକ ମାସରେ ପବିତ୍ର ଅଁଳା ନବମୀ ହେଉଛି ହବିଷ୍ୟାଳିମାନଙ୍କ ପାଇଁ ଏକ ପ୍ରମୁଖ ପର୍ବ। ଆଜି ଏହି ପବିତ୍ର ତିଥି ଅବସରରେ ହବିଷ୍ୟାଳିମାନେ ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଥିବା ଅଁଳା ବୃକ୍ଷକୁ ପୂଜା କରିଥିଲେ। ହବିଷ୍ୟାଳିମାନଙ୍କ ସହ ଅନ୍ୟ ମହିଳା ଶ୍ରଦ୍ଧାଳୁମାନେ ମଧ୍ୟ ଅଁଳା ଗଛ ପୂଜା କରିଥିଲେ।

ସେମାନେ ଅଁଳା ଗଛ ମୂଳରେ ମୁରୂଜ ପକାଇ ରାଧାଗୋବିନ୍ଦ ଓ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିଲେ। ଗଛରେ ସାଲୁ କନା ବାନ୍ଧି ପୂଜାର୍ଚ୍ଚନା କରିଥିଲେ। ବିଶ୍ବାସ ଅନୁଯାୟୀ ଅଁଳା ହେଉଛି ଭଗବାନ ବିଷ୍ଣୁଙ୍କର ପ୍ରିୟ ଫଳ। ଏହି ବୃକ୍ଷ ଦେବୀଦେବତାଙ୍କ ବାସସ୍ଥଳୀ ମଧ୍ୟ। ତେଣୁ ଅଁଳା ବୃକ୍ଷ ପୂଜନ ବିଧି ବହୁ ପ୍ରାଚୀନ। ପୂଜା ବେଳେ ଏହି ବୃକ୍ଷ ମୂଳରେ କ୍ଷୀର ଢାଳି ପିତୃପୁରୁଷଙ୍କ ତର୍ପଣ କରାଯିବା ବିଧି ରହିଛି। ଶେଷରେ କର୍ପୂର, ଘିଅ ଦୀପରେ ବୃକ୍ଷର ଆଳତି କରାଯାଏ। ଅଁଳା ବୃକ୍ଷ ପୂଜନ ଅବସରରେ ଦାନ, ଧର୍ମ, ଭକ୍ତି ଓ ସେବା ଭଳି ଶୁଭ କାର୍ଯ୍ୟ କରାଯାଏ ବୋଲି ହବିଷ୍ୟାଳିମାନେ ବିଶ୍ବାସ କରନ୍ତି।

ସମ୍ବନ୍ଧିତ ଖବର