ଯୋଜନାରେ ଲଟକିଛି ଜୟଦେବ ପୀଠର ସୌନ୍ଦର୍ଯ୍ୟୀକରଣ

କେବେ ଖୋଲିବ ଜୟଦେବ ପାର୍କ? ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ୭ କୋଟି

ବାଲିଅନ୍ତା: ବାଲିଅନ୍ତା ବ୍ଲକ କେନ୍ଦୁବିଲ୍ବସ୍ଥିତ ଜୟଦେବ ପୀଠର ଉନ୍ନୟନ ପାଇଁ ମାଳମାଳ ଯୋଜନା କରାଯାଉଛି। କୋଟି କୋଟି ଟଙ୍କା ବ୍ୟୟ ଅଟକଳର ଗୋଲାପି ସ୍ବପ୍ନ ଦେଖାଯାଉଛି। ମାତ୍ର ବାସ୍ତବ ଚିତ୍ର ଭିନ୍ନ। ଭଗ୍ନସ୍ତୂପରେ ପରିଣତ ହୋଇଗଲାଣି ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ। ବଣବୁଦାରେ ଲୁଚିଗଲାଣି ବହୁ କଳାକୃତି। ମାଧବ ମୂର୍ତ୍ତି ପ୍ରତିଷ୍ଠା ହୋଇ ପାରୁନଥିବା ବେଳେ ଦଳଭର୍ତ୍ତି ପଦ୍ମାବତୀ ପୁଷ୍କରିଣୀ ପଙ୍କରେ ପୋତି ହୋଇଗଲାଣି କାଳୀୟଦଳନ ପ୍ରତିମୂର୍ତ୍ତି। କୁଞ୍ଜଗୁଡ଼ିକ ଭାଙ୍ଗିରୁଜି ବିପଦସଂକୁଳ ଅବସ୍ଥାରେ ପଡ଼ିଛି।

ମିତି ପୀଠରେ ଥିବା ବହୁ କଳାକୃତି ଓ କାରୁକାର୍ଯ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲାଣି। ସେସବୁର ମରାମତି ବା ପୁନରୁଦ୍ଧାର ପାଇଁ ନିଘା ନାହିଁ। ଫଳରେ ଏବେ ଅପନ୍ତରା ହୋଇ ପଡ଼ିରହିଛି ଏହି ପର୍ଯ୍ୟଟନସ୍ଥଳ। ଅଥଚ ମୁକ୍ତାକାଶ ଓ କାରୁକାର୍ଯ୍ୟପୂର୍ଣ୍ଣ ରଙ୍ଗମଞ୍ଚ ନିର୍ମାଣର ରଙ୍ଗିନ୍‌ ଯୋଜନା କରାଯାଇଛି। ଏହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଥିବା ବେଳେ ଜୟଦେବ ମଣ୍ଡପ ଭାଙ୍ଗି ଏହାର ନିର୍ମାଣ ହେବାକୁ ଥିବାରୁ ବିରୋଧ ମଧ୍ୟ କରାଯାଉଛି। ତେବେ ଏହି ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବାରୁ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେବେ ଖୋଲିବ ଜୟଦେବ ପାର୍କ?
ମହାମାରୀ କରୋନା ପାଇଁ ଦୀର୍ଘ ୯ ମାସ ଧରି ବନ୍ଦ ପଡ଼ିଥିବା ଜୟଦେବ ପାର୍କ ଏଯାଏ ଖୋଲାଯାଇ ନାହିଁ। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ପାର୍କ, ମଲ ଓ ରେସ୍ତୋରାଁ ଖୋଲା ଯାଇଥିବା ବେଳେ ଗ୍ରାମାଞ୍ଚଳରେ ଥିବା ଜୟଦେବ ପାର୍କ ଖୋଲାନଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଜୟଦେବ ପାର୍କ ଖୋଲା ନଯିବା ଦ୍ବାରା ୨୫ ଏକର ପରିମିତ ଜୟଦେବ ପୀଠ ପରିସର ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି। ଦୀର୍ଘ ମାସ ଧରି ପାର୍କର ଘାସ ଓ ବିବିଧ ଗଛଲତା କାଟି ସାଇଜ କରା ନଯିବା ଦ୍ବାରା ତମ୍ପ ଓ ନାଗ ସାପ ବୁଲୁଥିବାରୁ ଡ୍ୟୁଟି କରିବାକୁ ଡର ମାଡ଼ୁଥିବା ଜଣେ ସୁରକ୍ଷା କର୍ମୀ କହିଛନ୍ତି। ଅନ୍ୟପକ୍ଷରେ ରାଜଧାନୀ ଉପକଣ୍ଠରେ ଶାନ୍ତିପାର୍କ ଖୋଲି ଯାଇଥିବାରୁ ଜୟଦେବ ପୀଠ ଖୋଲିବାରେ ଅସୁବିଧା କୋଉଠି ରହିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତଙ୍କୁ ପଚାରିବାରେ ନିକଟରେ ଐତିହ୍ୟସଂପନ୍ନ ପଦ୍ମାବତୀ ମନ୍ଦିର ରହିଥିବାରୁ ପୀଠ ଖୋଲିବା ନେଇ ନିଷ୍ପତ୍ତି ହୋଇପାରି ନଥିବା କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜୟଦେବ ପୀଠ ବାହାର ପାର୍ଶ୍ବରେ ପଦ୍ମାବତୀ ମନ୍ଦିର ରହିଥିବାରୁ ପାର୍କ ଖୋଲିବାରେ କିଛି ସମସ୍ୟା ନାହିଁ ବୋଲି ସ୍ଥାନୀୟ ଲୋକ ଯୁକ୍ତି କରିଛନ୍ତି। ଏ ଦିଗରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ୭ କୋଟି
ଏହି ପୀଠ ପରିସରରେ ନିର୍ମାଣ ହେବାକୁ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ଲାଗି ଜମି ଚିହ୍ନଟ ଓ ଅଧିଗ୍ରହଣ ଶେଷ ପର୍ଯାୟରେ ପହଞ୍ଚିଛି। ଜୟଦେବଙ୍କ ବିଜେସ୍ଥଳୀ କୁହାଯାଉଥିବା ବହୁ ବର୍ଷର ଜୟଦେବ ମଣ୍ଡପକୁ ଭଙ୍ଗାଯାଇ ସେଠାରେ ହିଁ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ହେବ। ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଗତ ମାସରେ ପାନ୍ଥନିବାସ ସଭା କକ୍ଷରେ ଅନୁଷ୍ଠିତ ବୈଠକରେ ଏହା ସ୍ଥିର ହୋଇଥିବା ଜଣାପଡ଼ିଛି। ତେବେ ଏହି ବୈଠକରେ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ମଣ୍ଡପକୁ ଭାଙ୍ଗି ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣକୁ ବିରୋଧ କରିଛନ୍ତି। ମଣ୍ଡପ ନ ଭାଙ୍ଗି ତା’ ନିକଟରେ ରଙ୍ଗମଞ୍ଚ ନିର୍ମାଣ କରିବା ସପକ୍ଷରେ ସେ ନିଜର ମତ ଦେଇଛନ୍ତି। ତେଣୁ ଉକ୍ତ ପ୍ରସ୍ତାବ କେତେ ଦୂର କାର୍ଯ୍ୟକାରୀ ହେବ, ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ସୂଚନାଯୋଗ୍ୟ, ଜୟଦେବ ପୀଠ ପ୍ରତି ଅଧିକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୮/୧୯ ଆର୍ଥିକ ବର୍ଷରେ ସାଂସ୍କୃତିକ କଳାମଣ୍ଡପ ନିର୍ମାଣ ଲାଗି ପ୍ରଥମ ପର୍ଯ୍ୟାୟରେ ୭ କୋଟି ଟଙ୍କାରୁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଟେଣ୍ଡର୍‌ କାର୍ଯ୍ୟ ମଧ୍ୟ ସରିଛି। ଏହି ଟଙ୍କାରେ ୧୧୯ ଫୁଟ ଲମ୍ବ ଏବଂ ୭୯ ଫୁଟ ଚଉଡ଼ାରେ କାରୁକାର୍ଯ୍ୟପୂର୍ଣ୍ଣ ରଙ୍ଗମଞ୍ଚ ନିର୍ମାଣ କରାଯିବ। ଜୟଦେବ ଜୟନ୍ତୀ ଉତ୍ସବ ତଥା କଳା ସଂସ୍କୃତି ତଥା ଅନ୍ୟାନ୍ୟ ପରମ୍ପରାଭିତ୍ତିକ ଉତ୍ସବ ପାଳନ ସମୟରେ ମନୋରଞ୍ଜନ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ହେବ। ହେଲେ ନିର୍ମାଣ କାର୍ଯ୍ୟ ଏଯାଏ ଆରମ୍ଭ ହୋଇପାରିନି।

ବିପଦସଙ୍କୁଳ ହୋଇପଡ଼ିଲାଣି କୁଞ୍ଜ
ଜୟଦେବ ପୀଠ ପରିସରରେ ବିଭିନ୍ନ ସ୍ଥାନରେ ଥିବା କୁଞ୍ଜ ଏବେ ବିପଦ ସଂକୁଳ ହୋଇପଡ଼ିଲାଣି। ୪ଟି କୁଞ୍ଜର ଛାତରୁ କଂକ୍ରିଟ ଖସି ପଡ଼ିଛି। ଆଉ ୩ଟି କୁଞ୍ଜର ଟାଇଲ ଚଟାଣ ଭାଙ୍ଗି ଯାଇଥିବା ବେଳେ ପାହାଚ ସଂପୂର୍ଣ୍ଣ ଭାଙ୍ଗିଯାଇଛି। ସେହିପରି ଏସବୁ କୁଞ୍ଜକୁ ଯିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ପାଥ-ୱେ ଟାଇଲ ଭାଙ୍ଗିରୁଜି ଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ପାଚେରିରୁ ପଥର ଖସି ପଡ଼ିଛି। ଏହାର ମରାମତି ନେଇ ଦାବି ହେଉଛି।

ବନ୍ଦ କୋଠରିରେ ମାଧବ
ଜୟଦେବଙ୍କ ରଚିତ ମହାକାବ୍ୟ ଗୀତଗୋବିନ୍ଦରେ ବର୍ଣ୍ଣିତ ୧୨ଟି ସର୍ଗ ଅନୁସାରେ ୧୨ଟି କୁଞ୍ଜରେ ସ୍ଥାପନ ହେବାକୁ ଆସିଥିବା ୧୧ଟି ମାଧବ ପ୍ରତିମୂର୍ତ୍ତି ଏଯାଏ ସ୍ଥାପନ ହୋଇନାହିଁ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୦୯/୧୦ ମସିହାରେ ଉକ୍ତ ବ୍ରୋଞ୍ଜ ନିର୍ମିତ ପ୍ରତିମୂର୍ତ୍ତି ଯୋଗାଇ ଦିଆଯାଇଥିଲା। ‌୫ ଫୁଟ ଉଚ୍ଚତା ବିଶିଷ୍ଟ ଗୋଟିଏ ଲେଖାଏଁ କାରୁକାର୍ଯ୍ୟପୂର୍ଣ୍ଣ ପ୍ରତିମୂର୍ତ୍ତି ଲାଗି ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ୧୨ଟି ମାଧବ ମୂର୍ତ୍ତି ଲାଗି ଟେଣ୍ଡର ହୋଇଥିଲା। ହେଲେ କଟକର ଠିକାଦାର ୧୧ଟି ଯୋଗାଇଥିଲେ। ଆଉ ଗୋଟିଏ ମାଧବ ମୂର୍ତ୍ତି ଏଯାଏ ପ୍ରଦାନ କରି ନାହାନ୍ତି। ଏନେଇ କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭିଜିଲାନ୍ସ ବିଭାଗ ଠିକାଦାରଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି।

ଭାଙ୍ଗିଗଲାଣି ଦୁଇ ବାମନ ପ୍ରତିମୂର୍ତ୍ତି, ଅଚଳ ପାଣି ଫୁଆରା
ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ଲାଗି ଜୟଦେବଙ୍କ ପୀଠରେ ଥିବା କାରୁକାର୍ଯ୍ୟପୂର୍ଣ୍ଣ ପ୍ରତିମୂର୍ତ୍ତି ଏବଂ ମୂଲ୍ୟବାନ୍‌ ସାମଗ୍ରୀ ଭାଙ୍ଗିରୁଜି ଗଲାଣି। ଜୟଦେବ ସଂଗ୍ରହାଳୟ ସମ୍ମୁଖରେ ଶୋଭା ବଢ଼ାଇବା ଲାଗି ନିର୍ମାଣ ହୋଇଥିବା ପାଣି ଫୁଆରା ଅଚଳ ହୋଇପଡ଼ିଛି। ଏହାର ମଟର ଖରାପ ହୋଇଯାଇଥିବା ବେଳେ ଆବଶ୍ୟକ ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ତାହା ୧୧ ମାସ ହେବ ଅଚଳ ହୋଇପଡ଼ିଛି। ଗୋଲାକାର ଭାବେ ପାଣିଫୁଆରା ଚାରିପାଖରେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ବିଷ୍ଣୁଙ୍କ ଦଶାବତାର ପ୍ରସ୍ତର ନିର୍ମିତ ମୂର୍ତ୍ତି ମଧ୍ୟରୁ ୩ ଫୁଟ ଉଚ୍ଚତାର ଭଗବାନଙ୍କ ବାମନ ଅବତାର ମୂର୍ତ୍ତି ଭାଙ୍ଗି ଦି’ ଗଡ଼ ହୋଇଯାଇଛି। ରାଜ୍ୟ ସଂସ୍କୃତି ବିଭାଗ କିମ୍ବା ପର୍ଯ୍ୟଟନ ଏହାର ମରାମତି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ, ପୀଠରେ ଲାଗିଥିବା ୩ଟି ହାଇମାଷ୍ଟ ଲାଇଟ ଅଚଳ ହୋଇପଡ଼ିଛି। ସେହିପରି ବଜାଜ୍‌ କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଇଥିବା ୬୫ଗୋଟି ଲାଇଟ ଆଣ୍ଡ ସାଉଣ୍ଡ ବକ୍ସ ଭାଙ୍ଗି ଗଲାଣି। ସେଥିମଧ୍ୟରୁ ଆଉ ଗୀତଗୋବିନ୍ଦର ଧୂନ୍‌ ଶୁଣିବାକୁ ମିଳୁନ‌ାହଁ। ସେହିପରି ପାନୀୟ ଜଳଯୋଗାଣ ନେଇ ଥିବା ଟ୍ୟାପ୍‌ ଓ ଷ୍ଟାଣ୍ଡ୍‌ ମଧ୍ୟ ଭାଙ୍ଗିଯାଇଛି।

ସମ୍ବନ୍ଧିତ ଖବର