ବିମାନ ସୁଖ ଦେଉଛି ରେସ୍ତୋରାଁ କ୍ବିନ୍ ଏୟାର୍‌ୱେଜ୍‌

ଭୁବନେଶ୍ବର: ଏବେ ରାଜଧାନୀ ଏକ ଖାଇବା ପସନ୍ଦର ସ୍ଥାନଭାବେ ପରିଚିତି ଲାଭ କରିଛି। ଏଦିଗରେ ରୋସ୍ତୋରାଁ କ୍ବିନ୍‌ ଏୟାର୍‌ୱେଜ୍‌ ନୂଆ ଏକ ଅଧ୍ୟାୟ ଯୋଡ଼ିଛି। କଟକ ଭୁବନେଶ୍ବର ଜାତୀୟ ରାଜପଥ ପାହାଳ ନିକଟ ସିମ୍ଫନି ମଲ୍‌ ପାଖରେ ଗଢ଼ି ଉଠିଥିବା ଏହି ନୂଆ ରେସ୍ତୋରାଁ ରାଜଧାନୀ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ରେସ୍ତୋରାଁର ଗଠନ ବଡ଼ ବିଚିତ୍ର। ବାହାରକୁ ଏହା ଏକ ବିଶାଳ ବିମାନ ଭଳି ଦେଖାଯାଉଛି। ଭିତରକୁ ପଶିବାକୁ ହେଲେ ଠିକ୍‌ ଉଡ଼ାଜାହଜରେ ଚଢ଼ିବା ଭଳି ଅନୁଭବ ହେବ। ସିଡ଼ି ଚଢ଼ି ଭିତରେ ପଶିବା ପରେ ଗ୍ରାହକ ନିଶ୍ଚୟ ଅନୁଭବ କରିବ ଯେ ସେ ଏକ ବିମାନରେ ହିଁ ବସିଛି। ଭିତର ଦୃଶ୍ୟ ମଧ୍ୟ ଘରୋଇ ଦାମୀ କମ୍ପାନିର ବିମାନ ସାଜସଜ୍ଜା ଭଳି। କେବଳ ସେତିକି ନୁହେଁ, ଖାଦ୍ୟ ପରଷିବା ପୂର୍ବରୁ ଗ୍ରାହକଙ୍କୁ ସ୍ବାଗତ କରନ୍ତି ଦୁଇ ଏୟାର୍‌ହୋଷ୍ଟେସ୍‌। ତେଣୁ ଯେଉଁମାନେ ବିମାନରେ ବସିବା‌ର ମଜା ନେଇନାହାନ୍ତି, ବା ନେବାର ସମ୍ଭାବନା କମ୍ ବୋଲି ଭାବନ୍ତି, ସେମାନେ ଏଠାରେ ଖାଇବାକୁ ପହଞ୍ଚିଗଲେ, ବିମାନରେ ବସିବାର ମଜା ଉଠାଇ ପାରୁଛନ୍ତି। କେବଳ ଉଡାଣକୁ ଛାଡ଼ି ଅନ୍ୟ ସବୁ ବ୍ୟବସ୍ଥା ଏଠାରେ ଉପଲବ୍‌ଧ।

ସେହିଭଳି ଏହି ରୋସ୍ତୋରାଁର ଖାଦ୍ୟ ମଧ୍ୟ ରାଜଧାନୀର ଅନ୍ୟ ହୋଟେଲମାନଙ୍କଠାରୁ ନିଆରା। ଏଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ଅଲଗା ରାଜ୍ୟର ଖାଦ୍ୟ ମଧ୍ୟ ମିଳୁଛି। ୭ ଟି ଅଲଗା ରାଜ୍ୟର ଭିନ୍ନ ଭିନ୍ନ ରକମର ଖାଦ୍ୟ ମିଳୁଛିl ଖାଦ୍ୟ ମଧ୍ୟରେ ଚେଟନାଡି କେରଳ ଫୁଡ୍ ବକ୍ସ, ବେଙ୍ଗଲୀ ଫୁଡ୍, ରାଜସ୍ଥାନୀ ଫୁଡ୍, ପଞ୍ଜାବୀ ଫୁଡ୍, ଗୋଆନ୍‌ ଫୁଡ୍, ହାଇଦ୍ରାବାଦୀ ଫୁଡ୍ ରହିଛି। ଉଭୟ ଆମିଷ ଓ ନିରାମିଷ ଡିସ୍‌ ରହିଛି। ଏହି ରେସ୍ତୋରାଁରେ ଲଞ୍ଚ ଓ ଡିନର ସୁବିଧା ରହିଛି l ପୁଣି ଏଠାରେ କପୁଲ୍‌, ଫ୍ୟାମିଲ୍‌ ସହ ସାଙ୍ଗସାଥୀ ଏକାଠି ବସି ଖାଇବାର ମଜା ଉଠାଇପାରିବେl ଏକାଥରକେ ୨୦ ଜଣ ଲୋକ ବସି ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି। ତା’ ସହ ରେସ୍ତୋରାଁ ଭିତରେ ବାର୍ଥ ଡେ’ ପାର୍ଟି, କିଟି ପାର୍ଟି, ରିଂ ସେରିମନି, ମିଟିଙ୍ଗ ଆଦି ଆୟୋଜନ କରିବାର ସୁବିଧା ରହିଛି।

ରାଜଧାନୀର ଅନ୍ୟ ଦାମୀ ରେସ୍ତୋରାଁ ତୁଳନାରେ ଏଠିକାର ଡିସ୍‌ ସେମିତି କିଛି ଅଧିକ ନୁହେଁ। ମଟନ୍‌ ମିଲ୍ ଦାମ୍ ୩୫୦ ଟଙ୍କା, ଚିକେନ୍, ପ୍ରର୍ଣ୍ଣ, ଫିସ୍ ମିଲ୍ ୨୫୦ ଟଙ୍କା ଓ ସାଧା ମିଲ୍ ଦାମ୍ ୧୫୦ ଟଙ୍କା ରହିଛି। ଏହି ରେସ୍ତୋରାଁ ମାତ୍ର ୧୫ ଦିନ ହେଲା ଖୋଲାଯାଇଥିଲେ ବି ଗ୍ରାହକ ସଂଖ୍ୟା କିଛି କମ୍ ହେଉନାହାନ୍ତି। ଦିନକୁ ଦିନ ଗ୍ରାହକ ସଂଖ୍ୟା ବଢ଼ୁଛି ବୋଲି ମ୍ୟାନେଜର ପ୍ରଦୀପ କୁମାର ନାୟକ କହିଛନ୍ତି। ମାଲିକ ସ୍ମୃତି ରଞ୍ଜନ ମହାନ୍ତିଙ୍କ କହିବା କଥା ତାଙ୍କ ହୋଟେଲର ଖାଦ୍ୟ ହାଇଜେନିକ୍। ଗ୍ରାହକଙ୍କ ସ୍ବାଦ ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଇ ଖାଦ୍ୟ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧିତ ଖବର