ପରିଚୟ ପାଇଲା କି ସିଦ୍ଧାନ୍ତ? ମଞ୍ଚସ୍ଥ ହେଲା ନାଟକ ‘ଅକୁହା କଥା’: ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ‘ରଙ୍ଗ ସଙ୍ଗମ’

ଭୁବନେଶ୍ବର: କିଛି କାହାଣୀ ଅଧୁରା। କିଛି ପୁଣି ଅକୁହା। କିଛି କଥା ଓଠ ଚାପି ରଖେ; ପୁଣି କିଛିକୁ ସମୟ ଆପେ ଖୋଳିବିଦାରି ଉନ୍ମୋଚିତ କରିଦିଏ। ଏଭଳି ଏକ କାହାଣୀ ଆଜି ମଞ୍ଚସ୍ଥ ହୋଇଥିଲା ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ। ବାପା ମା’ଙ୍କ ପରିଚୟ ପାଇଁ ଘୂରି ବୁଲେ ସିଦ୍ଧାନ୍ତ। ଏମିତି ଘୂରି ବୁଲିବା‌ ଭିତରେ ସେ ଯାଇ ପହଞ୍ଚେ ମାଓ ଶିବିରରେ। ସେଠାରେ ସାଥୀଟିଏ ଖୋଜି ପାଏନି କି ନିଜ ଅକୁହା କାହାଣୀ କାହାକୁ କହିପାରେନି। ଥରେ ପୁଲିସ ଏନ୍‌କାଉଣ୍ଟର୍‌ରେ ସିଦ୍ଧାନ୍ତ ଗୋଡ଼ରେ ଗୁଳି ବାଜି ସେ ଆହତ ହୁଏ। ଚିକିତ୍ସା ପାଇଁ ଆସେ ଡାକ୍ତର ଆକାଶଙ୍କ ଘରକୁ। ଡାକ୍ତର ଆକାଶ, ସିଦ୍ଧାନ୍ତ ଗୋଡ଼ରୁ ଗୁଳି କାଢ଼ିବା ବେଳେ ଆକାଶଙ୍କ ନର୍ସ ପତ୍ନୀ ଅଲିଭା ଜାଣି ପାରନ୍ତି କି ସିଦ୍ଧାନ୍ତ ତାଙ୍କରି ପୁଅ। ଯାହାକୁ ଦିନେ ସେ ଓ ଡାକ୍ତର ଆକାଶ ଅଭିଆଡ଼ି ସମୟରେ ଜନ୍ମ ଦେଇ ମନ୍ଦିର ବେଢ଼ାରେ ଛାଡ଼ି ଦେଇଥିଲେ।

ଏହି ଅକୁହା କାହାଣୀକୁ ଉଭୟେ କାହାକୁ କହିପାରୁନଥିଲେ। ହେଲେ ସିଦ୍ଧାନ୍ତ କ’ଣ ତା’ ପରିଚୟ ପାଇଲା? ଆକାଶ ଓ ଅଲିଭା କ’ଣ ପଦାକୁ ଆଣିପାରିଲେ ସେ ଅକୁହା କଥାକୁ? ଏଭଳି ଏକ ଅକୁହା କାହାଣୀର ସ୍ବରକୁ ନେଇ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ‘ଅକୁହା କାହାଣୀ’। କାହାଣୀର ରଚନା ଗଣେଶ୍ବର ମହାପାତ୍ର ଓ ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ରାମକୃଷ୍ଣ ମହାପାତ୍ର।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ’ର ଆଜି ଥିଲା ୩ୟ ସନ୍ଧ୍ୟା। ଏହି ଅବସରରେ ପୁରୀର ନାଟ୍ୟ‌ାନୁଷ୍ଠାନ ‘ସ୍ମୃତି କଲ୍‌ଚରାଲ୍‌ ଆସୋସିଏସନ୍‌’ ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ରାମକୃଷ୍ଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଧ୍ୟାର ଅତିଥି ଭାବେ ନାଟ୍ୟ ବ୍ୟକ୍ତିତ୍ବ ଧୀରେନ୍ଦ୍ର ନାଥ ମଲ୍ଲିକ, ହରେନ ସାହୁ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ବିଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଏଥିରେ ଯୋଗ ଦେଇଥିଲେ। ପ୍ରକାଶ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର