ଭୁବନେଶ୍ବର: ବାଞ୍ଛାର ସୁନ୍ଦର ବଗିଚା ନେବାକୁ ଜମିଦାର ଛକଡ଼ି ମହାନ୍ତି ବହୁ ଚେଷ୍ଟା କରି ଶେଷରେ ମୃତ୍ୟୁବରଣ କରନ୍ତି। ପୁଅ ନକଡ଼ି ମହାନ୍ତି ବାପାର ଅପୂର୍ଣ୍ଣ ଇଚ୍ଛାକୁ ପୂରଣ କରିବାକୁ ଲାଗିପଡ଼େ। ୯୫ ବର୍ଷର ରୋଗାଗ୍ରସ୍ତ ବାଞ୍ଛାକୁ ପ୍ରଲୋଭିତ କରି ଏକ ଚୁକ୍ତିପତ୍ର କରିନିଏ। ଚୁକ୍ତି ଅନୁସାରେ ବାଞ୍ଛା ବଞ୍ଚିଥିବା ପର୍ଯ୍ୟନ୍ତ ମାସକୁ ୨୦୦ ଟଙ୍କା ପାଇବ ଓ ମୃତ୍ୟୁ ପରେ ବଗିଚାର ମାଲିକାନା ଜମିଦାର ହାତକୁ ଚାଲିଯିବ। ଯଦି ଜମିଦାର ପୂର୍ବରୁ ମରିଯାଏ ତେବେ ବଗିଚା ବାଞ୍ଛାର ହୋଇରହିବ। ମରଣଦୁଆରେ ବସିଥିବା ବାଞ୍ଛା ଯେ ଖୁବ ଶୀଘ୍ର ଆରପାରିକୁ ଚାଲିଯିବ, ଏକଥା ଭାବି ଆନନ୍ଦରେ ଆତ୍ମହରା ହୋଇ ବାଞ୍ଛାର ମୃତ୍ୟୁକୁ ଅପେକ୍ଷା କରିଥା’ନ୍ତି ଜମିଦାର। ଅନ୍ୟପଟେ ନାତି ଗୋପୀର ସ୍ତ୍ରୀ ପଦ୍ମାର ସେବାରେ ବାଞ୍ଛା ଧୀରେ ଧୀରେ ସୁସ୍ଥ ହୁଏ। ପ୍ରତିମାସରେ କିସ୍ତି ବାବଦରେ ଟଙ୍କା ଦେବା ଓ ବାଞ୍ଛାର ସ୍ବାସ୍ଥ୍ୟରେ କ୍ରମାଗତ ଉନ୍ନତି ଦେଖି ଜମିଦାରଙ୍କର ହୃଦ୍ଘାତରେ ମୃତ୍ୟୁ ହୁଏ।
୯୫ ବର୍ଷରେ ବୃନ୍ଦାବନଙ୍କ ଚମତ୍କାର ଅଭିନୟ
ମଞ୍ଚମୁକ୍ତି ଅଭିଯାନରେ କଳାକାର ସାମିଲ ହୁଅନ୍ତୁ: ସୌମ୍ୟରଂଜନ
ଶତାବ୍ଦୀର କଳାକାରର ସୁବର୍ଣ୍ଣ ଜୟନ୍ତୀ ଅବସରରେ ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ ବହୁ ଚର୍ଚ୍ଚିତ ନାଟକ ‘ବାଞ୍ଛାର ବଗିଚା’ର ଏପରି ଏକ ମର୍ମସ୍ପର୍ଶୀ କାହାଣୀ ଆଜି ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଭାବବିହ୍ବଳ କରିଥିଲା। ଏହି ନାଟକ ୪୫ ବର୍ଷ ପୂର୍ବେ ଶତାବ୍ଦୀର କଳାକାର ମଞ୍ଚସ୍ଥ କରିଥିବା ବେଳେ ଆଜି ନାଟକଟି ୧୭୬ ଥର ପାଇଁ ମଞ୍ଚସ୍ଥ ହୋଇଥିଲା। ବାଞ୍ଛା ଭୂମିକାରେ ଅଭିନୟ କରୁଥିବା ବୃନ୍ଦାବନ ବାରିକ ଏ ନାଟକରେ ପ୍ରଥମରୁ ଅଭିନୟ କରୁଛନ୍ତି। ୯୫ ବର୍ଷ ବୟସରେ ମଧ୍ୟ ଅଭିନୟରେ ସେ ଦର୍ଶକଙ୍କୁ ଚକିତ କରିଥିଲେ। ନାଟକ ରଚନା ମନୋଜ ମିତ୍ର କରିଥିବା ବେଳେ ଓଡ଼ିଆ ଅନୁବାଦ କରିଛନ୍ତି ଧୀର ମଲ୍ଲିକ ଓ ନିର୍ଦ୍ଦେଶନା ଦେଇଛନ୍ତି ବୃନ୍ଦାବନ ବାରିକ। ନାଟକରେ ଧୀର ମଲ୍ଲିକ, କାଳୀପ୍ରସନ୍ନ ମଲ୍ଲିକ, ଭାରତ ପଣ୍ଡା, ସକଳେଶ୍ବର, ସନ୍ତୋଷ, ସୌମ୍ୟ, ହରି, ହେମନ୍ତ, ନରେନ୍ଦ୍ର, ମନିଦୀପା, ଧାରା ଶ୍ରାବଣୀ, ସଂଗ୍ରାମ, ଶୁଭମ୍, ତୋଫାନ୍, ଜ୍ୟୋତି, ରକେଶ ଡୋଳମଣି ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ପ୍ରତାପ ରାଉତ, ମଞ୍ଚ ସଜ୍ଜାରେ ସଂଗ୍ରାମ ଓ ପାଣ୍ଡିଆ, ରୂପ ସଜ୍ଜାରେ ନରେନ୍ଦ୍ର ସେନାପତି, ପୋଷାକରେ କାର୍ତ୍ତିକ ସାହୁ, ମଞ୍ଚ ପରିଚାଳନାରେ ବିଭୂତି, ଆଲୋକ, ସୌମ୍ୟ ଓ ସତ୍ୟ ସହଯୋଗ କରିଥିଲେ।
ଅନୁଷ୍ଠାନର ସଭାପତି ତଥା ବରିଷ୍ଠ କଥାକାର ଗୌରହରି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ମଞ୍ଚକୁ ରାଜନୈତିକ ନେତାମାନେ ମାଡ଼ି ବସିଛନ୍ତି। ତେଣୁ ମଞ୍ଚମୁକ୍ତି ଅଭିଯାନର ସଂଗ୍ରାମୀ ହେବାକୁ ସେ କାଳାକାରମାନଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ପଦ୍ମଶ୍ରୀ ଅରୁଣା ମହାନ୍ତି ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାଟ୍ୟକାର ବିଜୟ ଦାସ ଧନ୍ୟବାଦ ଦେଇଥିଲେ।