ଭୋଟପଡ଼ା ନ୍ୟୁ କଲୋନିର ଦୁଃଖ: ଟିକସ ଗଣୁଛନ୍ତି, ସେବା ପାଉନାହାନ୍ତି

ଭୁବନେଶ୍ୱର: ହାଡ଼େ ହାଡ଼େ ହୋଲ୍‌ଡିଂ ଟିକସ ଗଣି ନେଉଛି ବିଏମ୍‌ସି। କିନ୍ତୁ କାଣିଚାଏ କାମ ନାହିଁ କି କୌଣସି ସେବା ପାଉ ନାହାନ୍ତି। ନା ରାସ୍ତା ଅଛି, ନା ଅଛି ପାନୀୟ ଜଳଯୋଗାଣ। ନା ଅଳିଆ ସଫା ହେଉଛି, ନା ଯୋଗାଇ ଦିଆଯାଇଛି ଷ୍ଟ୍ରିଟ୍‌ ଲାଇଟ୍‌। ରାଜଧାନୀବାସୀ ହୋଇ ବି ଏଠି ରହୁଥିବା ଲୋକେ କୌଣସି ଅପନ୍ତରା ଅପହଞ୍ଚ ଅଞ୍ଚଳବାସୀଙ୍କଠାରୁ କମ୍ ଦୁର୍ଦ୍ଦଶାରେ ନାହାନ୍ତି। ବର୍ଷା ଦିନେ କାଦୁଅ ପଙ୍କରେ ଘାଣ୍ଟି ହେବାଠାରୁ ଆରମ୍ଭ କରି ଖରା ଦିନେ ଜଳାଭାବ ଜନିତ ସମସ୍ୟା‌ରେ ଛଟପଟ ହେବା ଭଳି ହିନସ୍ତା ହେଉଛନ୍ତି ଲୋକେ। ବାରମ୍ବାର ଅଭିଯୋଗ ସତ୍ତ୍ବେ ନା ବିଏମ୍‌ସି ଶୁଣୁଛି ନା ଜନପ୍ରତିନିଧି ଶୁଣୁଛନ୍ତି। ବିଏମ୍‌ସି ଓ ବିଲ୍ଡର୍‌ ନିଜ ନିଜ କାନ୍ଧରୁ ଦୋଷ ଖସାଇ ଚୁପ୍ ବସିଛନ୍ତି। କଷ୍ଟ ଭୋଗୁଛନ୍ତି କ‌ଲୋନିବାସୀ। ଏହା ହେଉଛି ବିଏମ୍‌ସି ୧୦ନମ୍ବର ୱାର୍ଡ ଭୋଟପଡ଼ା ନ୍ୟୁ କଲୋନିବାସୀଙ୍କ ଦୁର୍ଦ୍ଦଶାର ଚିତ୍ର।

ପ୍ରାୟ ୭ବର୍ଷ ହେଲା ଭୁବନେଶ୍ୱର ୧୦ ନମ୍ବର ୱାର୍ଡସ୍ଥିତ ଭୋଟପଡ଼ା ନ୍ୟୁ କଲୋନି ଗଢ଼ି ଉଠିଛି। ଏଠାରେ ୨୦୦ରୁ ଅଧିକ ପରିବାର ବାସ କରୁଛନ୍ତି। ବିଲ୍ଡରଠାରୁ ଜମି ଓ ଘର କିଣି ଏହି ପରିବାର ସବୁ ରହି ଆସୁଛନ୍ତି। ରହିବାଠାରୁ ଏହି କଲୋନିବାସୀ ବିଏମ୍‌ସିକୁ ହୋଲ୍‌ଡିଂ ଟିକସ ଗଣି ଚାଲିଛନ୍ତି। ମାତ୍ର ବିଏମ୍‌ସିର କୌଣସି ସୁବିଧା ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଆସୁଛନ୍ତି। ସଫେଇ କର୍ମଚାରୀ ଅଳିଆ ଆବର୍ଜନା ସଫା କରୁ ନଥିବାରୁ ସବୁ ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ ଆବର୍ଜନା ଗଦା ହୋଇ ରହୁଛି। ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ରହିବାକୁ ପଡ଼ୁଛି। ପକ୍କା ସଡ଼କ ନଥିବାରୁ ବର୍ଷା ଦିନେ ଘରୁ ଗୋଡ଼ କାଢ଼ିବା କଷ୍ଟକର ହୋଇ ପଡ଼ୁଛି। ରାସ୍ତାରେ ଆଣ୍ଠୁଏ ବହଳର କାଦୁଅ ହେଉଛି। ତେଣୁ ଘରୁ ଗାଡ଼ି ମଟର ବାହାର କରିବା ସମ୍ଭବ ହେଉନାହିଁ। ଏମିତିକି ଅଧିକ ବର୍ଷା ହେଲେ ଚାଲି ଚାଲି ଯିବା ବି କଷ୍ଟକର ହୋଇପଡ଼ୁଛି। ତେଣୁ ବହୁ ସମୟରେ କଲୋନି ଭିତରକୁ ଆମ୍ବୁଲାନ୍‌ସ ଆସୁ ନାହିଁ। ଡ୍ରେନ୍‌ ବ୍ୟବସ୍ଥା ନଥିବାରୁ କିଛି ଲୋକଙ୍କ ଘରେ ପାଣି ପଶୁଛି।
ବର୍ଷା ଦିନଠାରୁ ବଳେଇ ପଡ଼ୁଛି ଖରାଦିନର କଷ୍ଟ। କିଛି ଲୋକ ବୋର୍‌ୱେଲ୍‌ କରିଛନ୍ତି। କିନ୍ତୁ ଅନେକ ପରିବାର ସାଧାରଣ କୂଅ ଉପରେ ନିର୍ଭର କରୁଛନ୍ତି। ଖରା ଦିନ‌ରେ ଏହି କୂଅଗୁଡ଼ିକ ଶୁଖି ଯାଉଛି। ଫଳରେ ଗ୍ରୀଷ୍ମ ଋତୁରେ ଉତ୍କଟ ଜଳାଭାବ ଏହି କଲୋନିର ଏକ ସାଧାରଣ ସମସ୍ୟା ହୋଇ ରହିଛି। କଲୋନିରୁ ମାତ୍ର ୧୦୦ମିଟର ଦୂରରେ ବିଏମ୍‌ସିର ପାଣିଟାଙ୍କି ଥିଲେ ବି ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ହୋଇ ନଥିବାରୁ ଲୋକେ ବଡ଼ ହନ୍ତସନ୍ତ ହେଉଛନ୍ତି। ତେଣୁ ବହୁ ସମୟରେ କଲୋନିର ମହିଳାମାନେ ପିଲାଛୁଆଙ୍କୁ ଧରି ଦୂରରୁ ପାଣି ବୋହିବାକୁ ବାଧ୍ୟ ହେଉଛନ୍ତି। ଆଜିକାଲି ଗାଁ ଗାଁରେ ପାଇପ୍ ଜଳଯୋଗାଣ ସୁବିଧା ଉପଲବ୍‌ଧ ଥିବା ବେଳେ ଏଠି ପିଇବା ପାଣି ବୋହିବା କଷ୍ଟ ଲାଗି ରହିଛି। ସେହିଭଳି ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ମଧ୍ୟ ବଡ଼ ଭୟଙ୍କର। ରାସ୍ତାରେ କାଁ ଭାଁ କୋଉଠି ଗୋଟିଏ ଗୋଟିଏ ଲାଇଟ୍ ଜଳୁଛି। ମାତ୍ର ବିଦ୍ୟୁତ୍ ଖୁଣ୍ଟ ଫାଙ୍କା ପଡ଼ିଛି। ଫଳରେ ସଂଜ ନଇଁଲେ ଏହି କଲୋନିରେ ଅନ୍ଧାର ରାଜୁତି କରୁଛି। ତେଣୁ ଭୟରେ ମହିଳା ଓ ଛୋଟ ପିଲାମାନେ ଘରୁ ବାହାରି ପାରୁନାହାନ୍ତି। ସନ୍ଧ୍ୟା ହେଲେ ଏହି କଲୋନିର ବହୁ ପରିବାର କବାଟ ବନ୍ଦ ରହିବାକୁ ବାଧ୍ୟ ହେଉଛନ୍ତି।
ସ୍ଥାନୀୟ ବାସିନ୍ଦା ଯୁଧିଷ୍ଠିର ବେହେରାଙ୍କ କହିବା କଥା, ଅଳିଆ ଆବର୍ଜନା ଜମି ରହୁଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ଓ ଏଠି ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଶୁଭ୍ରାଲିନ୍‌ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, କଦର୍ଯ୍ୟ ରାସ୍ତା ପାଇଁ ସ୍କୁଲ ବସ୍ ଆସି ପାରୁନଥିବାରୁ ପିଲାଙ୍କୁ ବଡ଼ କଷ୍ଟରେ ନିଜେ ନେଇ ଛାଡ଼ିବାକୁ ପଡ଼ୁଛି। ବରିଷ୍ଠ ନାଗରିକ ସଂଘର ସଭାପତି ରବିନାରାୟଣ ମଲ୍ଲିକଙ୍କ ଅଭିଯୋଗ ଅନୁସା‌ରେ, କଲୋନିବାସୀ ବାରମ୍ବାର ବିଏମ୍‌ସି କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ବିଲ୍‌ଡର ଉପରେ ଦୋଷ ଲଦୁଛନ୍ତି। ବିଲ୍‌ଡର କଲୋନିର ରାସ୍ତା ସବୁକୁ ବିଏମ୍‌ସିକୁ ହସ୍ତାନ୍ତର କରିନଥିବା କହି କାନ୍ଧ ଖସାଉଛନ୍ତି।‌ ଅପର‌ପକ୍ଷେ ବିଲ୍‌ଡର ପାଲଟା ଅଭିଯୋଗ କରୁଛି। ତା’ କାମ ସରିଛି ଓ ଏଣିକି ବିଏମ୍‌ସି ରାସ୍ତା କାମ କରିବା କଥା ବୋଲି ବିଲ୍‌ଡର କହୁଛି। ଏ ନେଇ ସେମାନେ ପୂର୍ବତନ କର୍ପୋରେଟର୍‌ ଓ ବିଧାୟକଙ୍କୁ ଭେଟିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ମିଳୁନାହିଁ ବୋଲି ସେ କହିଛନ୍ତି। ତେଣୁ ଆଗାମୀ ଦିନରେ ସେମାନେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର