ଭୁବନେଶ୍ବର: ମାଳମାଳ ସରକାରୀ ଅଫିସ୍‌। ବଡ଼ବଡ଼ିଆ ବାବୁଙ୍କ କାର୍ଯ୍ୟାଳୟ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ବି ଆସୁଛନ୍ତି। ଲୋକଙ୍କୁ ସେବା ଯୋଗାଇବାକୁ ଥିବା ବିଭିନ୍ନ ଆୟୋଗର ଅଧ୍ୟକ୍ଷମାନେ ମଧ୍ୟ ଏଠାରେ ବସୁଛନ୍ତି। ପ୍ରତିବର୍ଷ ହଜାର ହଜାର ଲୋକଙ୍କ ଚଳପ୍ରଚଳ ମଧ୍ୟ ହେଉଛି। ହେଲେ ପରିବେଶ ଦେଖିଲେ ଲୋକେ ନାକ ଟେକୁଛନ୍ତି। କେଉଁଠି କାନ୍ଥରେ ପାନ ଛେପ ପଡ଼ିଛି ତ ଆଉ କେଉଁଠି ମଦ ବୋତଲ ଗଡ଼ୁଛି। କୁଢ଼କୁଢ଼ ଆବର୍ଜନା ବହୁଦିନ ହେଲା ପଡ଼ି ରହିଛି। ଏଭଳି ଅବ୍ୟବସ୍ଥା ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କୁ ନ୍ୟାୟ ପ୍ରଦାନ କରୁଥିବା ତୋଷାଳି ଭବନରେ ଦେଖିବାକୁ ମିଳିଛି। ପ୍ରବେଶଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ, ସବୁଠି ଦୁର୍ଗନ୍ଧ। କର୍ମଚାରୀଙ୍କ କଥା ନ କହିବା ଭଲ। ଅବ୍ୟବସ୍ଥା ହୋଇଥିଲେ ମଧ୍ୟ ମୁହଁରେ ତୁଣ୍ଡି ବାନ୍ଧି ସବୁ କିଛି ସହି ଯାଉଛନ୍ତି। ଲୋକସେବା ଭବନଠାରୁ ମାତ୍ର ତିନି କିଲୋମିଟର ଦୂର ସତ୍ୟନଗରରେ ଥିବା ତୋଷାଳି ଭବନରେ ରାଜ୍ୟ ସରକାରଙ୍କ ପ୍ରମୁଖ ଆୟୋଗଗୁଡ଼ିକ ରହିଛି।

ଛାତ ଉପରେ ଗଡ଼ୁଛି ମଦବୋତଲ
ଚାରିଆଡ଼େ ଅଳିଆ ଆବର୍ଜନା, ପାନଛେପ
ମହୁଫେଣା ନେଇ ଭୟ ବଢ଼ୁଛି

Advertisment

ddssd

‘ଏ’ ଓ ‘ବି’ ବ୍ଲକ୍‌ର ବିଭିନ୍ନ ମହଲାରେ ଏକାଧିକ କାର୍ଯ୍ୟାଳୟ। ‘ବି-୨’ ବ୍ଲକ୍‌ରେ ଲୋକାୟୁକ୍ତ, ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶା ମାନବାଧିକାର ଆୟୋଗ, ଓଡ଼ିଶା ରାଜ୍ୟ ବିଧି ଆୟୋଗ, ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟ ଥିବା ବେଳେ ‘ବି-୧’ ବ୍ଲକ୍‌ରେ ଓଡ଼ିଶା ସୂଚନା କମିସନ, ରାଜ୍ୟ ଶିକ୍ଷା‌ ନ୍ୟାୟାଧିକରଣ, ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟ ରହିଛି। ‘ଏ-୧’ ବ୍ଲକ୍‌ରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ନିର୍ବାଚନ ଆୟୋଗ, ରାଜ୍ୟ ସ୍ବାସ୍ଥ୍ୟ ଆସ୍ୟୁରାନ୍ସ ସୋସାଇଟ୍‌, ଓଡ଼ିଶା ସ୍ଥାବର/ସମ୍ପତ୍ତି ନିୟାମକ ପ୍ରାଧିକରଣ, ରାଜ୍ୟ ନିୟୋଜନ କାର୍ଯ୍ୟାଳୟ, ଓଡ଼ିଶା ଆୟୁବିଜ୍ଞାନ ପଞ୍ଜୀକରଣ ପରିଷଦ, କଲେଜ ଓ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ, ଓଡ଼ିଶା ସ୍ଥାବର ସମ୍ପତ୍ତି ପୁନର୍ବିଚାର ନ୍ୟାୟାଧିକରଣ, ଓଡ଼ିଶା ଖାଦ୍ୟ ଆୟୋଗ କାର୍ଯ୍ୟାଳୟ ରହିଛି। ‘ଏ-୨’ ବ୍ଲକ୍‌ରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସମେତ ସରକାର ଆଧୁନିକୀକରଣ ଉଦ୍‌ଯୋଗ କେନ୍ଦ୍ର, ଆପିଲେଟ୍‌ ଅଥରିଟି, ଲୋକାୟୁକ୍ତ(ବେଞ୍ଚ-୨), ଅନୁଶୀଳନ ଓ ଅନୁସନ୍ଧାନ ପକ୍ଷ ଲୋକାୟୁକ୍ତ, ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନ ପରି ପ୍ରମୁଖ କାର୍ଯ୍ୟାଳୟ ଏହା ପରିସରରେ ରହିଛି।

ଏତେ ସବୁ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ଅବସ୍ଥା ଏବେ ସାଂଘାତିକ। ୪ଟି ବ୍ଲକ୍‌ରେ ମାଳମାଳ ସମସ୍ୟା। ସମସ୍ତ ବିଲଡିଂ ଛାତ ଉପର, ସିଢ଼ି ପାହାଚ, ଦୁଇଟି ବିଲଡିଂ ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ଆବର୍ଜନା ଗଦା ହୋଇରହିଛି। ଛାତ ଉପରେ ମଦ ବୋତଲ ଗଡ଼ୁଛି। ଚିନ୍ତାର ବିଷୟ ହେଉଛି ଯେ ବିଲଡିଂ ମଧ୍ୟରେ ବହୁ ମହୁ ଫେଣା ଓହଳିଛି। ଯଦି କେବେ ମହୁମାଛିମାତିଲେ, ତେବେ କଥା ସରିଲା। ଏଭଳି ଅବ୍ୟବସ୍ଥାର ପ୍ରତିକାର ପାଇଁ ସରକାର ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି।