ଭୂତକୋଠି ପାଲଟିଛି ପୋଖରୀପୁଟ ମାର୍କେଟ୍‌ କମ୍ପ୍ଲେକ୍ସ

ଭୁବନେଶ୍ୱର: କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ସରିଛି। କେବଳ ବ୍ୟବସାୟୀମାନଙ୍କୁ ବଣ୍ଟନ କରି ଉଦ୍‌ଘାଟନ କରିବା କଥା। କିନ୍ତୁ ଦିନ ପରେ ପରେ ଦିନ ଗଡ଼ି ଚାଲିଛି ସିନା, ଦୋକାନ ଘର ପାଇଁ ଆଶା କରିଥିବା ବ୍ୟବସାୟୀମାନଙ୍କ ଅପେକ୍ଷାର ଅନ୍ତ ହେଉନାହିଁ। ଏଣେ ନିର୍ମାଣ ପରଠାରୁ ତାଲା ପଡ଼ି ରହିଥିବା ମାର୍କେଟ୍‌ କମ୍ପ୍ଲେକ୍ସ ଭୂତକୋଠି ପାଲଟି ଗଲାଣି। ଏହା ହେଉଛି ଭୁବନେଶ୍ୱର ପୋଖରୀପୁଟସ୍ଥିତ ମାର୍କେଟ୍‌ କମ୍ପ୍ଲେକ୍ସର ଅବସ୍ଥା।

ରାସ୍ତା କଡ଼ର ଉଠା ବ୍ୟବସାୟୀମାନଙ୍କ ଥଇଥାନା ପାଇଁ ଏହି ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଉଠା ଦୋକାନୀଙ୍କୁ ଥଇଥାନ କରିବା ସହ ବିଏମ୍‌ସି ଏଥିରୁ ଭଲ ପରିମାଣର ରାଜସ୍ବ ବି ପାଇଥାନ୍ତା। ତେଣୁ ୨୦୧୫ ଅଗଷ୍ଟ ୩୦ ତାରିଖ ଦିନ ତତ୍କାଳୀନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ହାତରେ ଏହି ମାର୍କେଟ୍‌ର ଶିଳାନ୍ୟାସ କରାଯାଇଥିଲା ଓ ନିର୍ମାଣ କାମ ବି ବେଶ୍ ଦ୍ରୁତଗତିରେ ଚାଲିଥିଲା। ୪୦ଟି ଦୋକାନ ଘର ନିର୍ମାଣ କରାଯାଇଥିଲା। ସ୍ଥାନୀୟ ରାସ୍ତା କଡ଼ର ୪୦ ଉଠା ଦୋକାନୀଙ୍କୁ ଏଠାରେ ସ୍ଥାୟୀଭାବେ ଥଇଥାନ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ନିର୍ମାଣ କାମ ସରିବା ପରେ ମାର୍କେଟ୍‌ରେ ତାଲା ପଡ଼ି ରହିଲା। ଦୀର୍ଘ ବର୍ଷ ଧରି ଏହି ମାର୍କେଟ୍‌ ସେମିତି ଅବ୍ୟବହୃତ ହୋଇ ପଡ଼ି ରହିଥିବାରୁ ତା’ ଚାରିପଟେ ବଣବୁଦା ମାଡ଼ି ଗଲାଣି। ଫଳରେ ଏବେ ସେହି ସ୍ଥାନ ଅସାମାଜିକ ତତ୍ତ୍ବଙ୍କ ଆଡ଼ାସ୍ଥଳ ପାଲଟିଛି। ଦିନ ରାତି ସବୁବେଳେ ନିଶାଡ଼ିଙ୍କ ମେଳା ଜମୁଛି।

ତେବେ ଏଠାରେ ଦୋକାନ ଘର ପାଇବାକୁ ଆଶା କରିଥିବା କିଛି ଦୋକାନୀ ଭିନ୍ନ ମତ ରଖିଛନ୍ତି। ଫାଷ୍ଟ୍‌ ଫୁଡ୍‌ ବ୍ୟବସାୟୀ ରିଙ୍କୁଙ୍କ କହିବା କଥା ମାର୍କେଟ୍‌ରେ ନୂଆ ଦୋକାନ ତାଲା ପଡ଼ି ଭୂତକୋଠି ହୋଇଗଲାଣି, ଅଥଚ ଆମେ ସବୁ ରାସ୍ତା କଡ଼ରେ ବଡ଼ ହୀନସ୍ତା ହେଉଛୁ। ବିଏମ୍‌ସି ବାରମ୍ବାର ଆସି ରାସ୍ତା କଡ଼ରୁ ଆମକୁ ଉଠାଇ ଆମ ଦୋକାନ ଭାଙ୍ଗି ଦେଉଛି। ତେବେ ଦୋକାନ ଘରଗୁଡ଼ିକ ବହୁତ ଛୋଟ ହୋଇଥିବାରୁ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ। ଅନ୍ୟ ଜଣେ ବ୍ୟବସାୟୀ ଆଲୋକ ପାତ୍ର ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ତେବେ ବ୍ୟବସାୟୀ ପ୍ରକାଶ ପାତ୍ରଙ୍କ ଅଭିଯୋଗ ଅନୁସାରେ ଲାଇନ୍‌ରେ ୧୫୦ ଦୋକାନୀ ଅଛନ୍ତି, ଘର ମାତ୍ର ୪୦ଟି। ତେଣୁ ପ୍ରିୟାପ୍ରୀତିପୋଷଣ ହେବ। ୪୦ ଜଣ ଦୋକାନ ପାଇବା ପରେ ଅନ୍ୟମାନେ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବତନ କର୍ପୋରେଟର ବୁଦ୍ଧଦେବ ସେଠୀ ମଧ୍ୟ ଦୋକାନ ଗୁଡ଼ିକ ଛୋଟ ବୋଲି ଅଭିଯୋଗ କରିବା ସହ ପାର୍କିଂ ଓ ରାସ୍ତା ସୁବିଧା ନଥିବା କହିଛନ୍ତି।

ତେବେ ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ ,ଭଳି ଅଭିଯୋଗ ସବୁକୁ ଖଣ୍ଡନ କରିଛନ୍ତି। ନିର୍ମାଣ ହେବା ସମୟରେ ଯେତିକି ଦୋକାନୀ ଥିଲେ, ସେମାନଙ୍କୁ ଦୃଷ୍ଟିରେ ରଖି ଦୋକାନ ଗୃହ କରାଯାଇଥିଲା। ଏବେ ଅଧିକ ଦୋକାନୀ ହୋଇଗଲେଣି, ତେଣୁ ଆଉ ଅଧିକ ଦୋକାନ ଘର ନିର୍ମାଣ କରାଯିବ। ମାର୍କେଟ୍‌ ଚାଲୁ ହେବା ପରେ ପାର୍କିଂ ଓ ରାସ୍ତା ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଏନେଇ ବିଏମ୍‌ସି ଉପଆୟୁକ୍ତ ରବି ନାରାୟଣ ଜେଠୀ କହିଛନ୍ତି ଯେ ଏହି ମାର୍କେଟ୍‌ କମ୍ପ୍ଲେକ୍ସ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ। ସ୍ଥାନୀୟ ଦୋକାନୀମାନଙ୍କୁ ଘର ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର