ଭୁବନେଶ୍ବର: ବାହ‌ାଘର ପୂର୍ବରୁ କନ୍ୟାପିତାଙ୍କଠାରୁ ୬ ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନି ବର। ଗୃହ ନିର୍ମାଣର ବାହାନା କରି ଧୂର୍ତ୍ତ ବର ଓ ତା’ ମା’ କନ୍ୟାପିତାଙ୍କୁ ଚୂନ ଲଗାଇ ଛୁ’ ମାରିଛନ୍ତି। ତେଣୁ ଠକାମିର ଶିକାର ହେବା ନିଶ୍ଚିତ ହେବା ପରେ କନ୍ୟାପିତା ଏବେ କୋର୍ଟ ଓ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଆଜି ଏୟାର୍‌ଫିଲଡ୍‌ ଥାନାରେ ଏହି ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଧୂର୍ତ୍ତ ବର ମୁମ୍ବାଇରେ ଚାକିରି କରୁଥିବା କହିଥିବାରୁ ତାକୁ ଠାବ କରିବା ପୁଲିସ ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଛି। ‌ତେବେ ପୁଲିସ ମୋବାଇଲ୍‌ ଫୋନ୍‌ ନମ୍ବର ଟ୍ରାକିଂ କରି ତାକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି।

Advertisment

କନ୍ୟାପିତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘର ଜଗତସିଂହପୁର ଓ ସେ ଏୟ‌ାର୍‌ଫିଲ୍‌ଡ ଥାନା କୁହା ଅଞ୍ଚଳରେ ରହୁଛନ୍ତି। ତାଙ୍କ ଝିଅ ପାଇଁ ଏକ ଭଲ ବରପାତ୍ର ଖୋଜୁଥିବା ବେଳେ ଏକ ସୁଯୋଗକ୍ରମେ ଗତବର୍ଷ ସେହି ଜଗତସିଂହପୁର ଅଞ୍ଚଳର ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଯୁବକଜଣକ ମୁମ୍ବାଇରେ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରନ୍ତି ବୋଲି କହିଥିଲା। ମା’ଙ୍କୁ ଛାଡ଼ିଦେଲେ ତାଙ୍କର ଆଉ କେହି ନାହାନ୍ତି ଓ ସେମାନେ ମା’ପୁଅ ମୁମ୍ବାଇରେ ରହୁଛନ୍ତି ବୋଲି ସେ କହିଥିଲା। କନ୍ୟାପିତା ପ୍ରସ୍ତାବରେ ରାଜି ହେବା ପରେ ମା’ଙ୍କୁ ଧରି ଧୂର୍ତ୍ତ କନ୍ୟା ଦେଖିବା ପାଇଁ ତାଙ୍କ କୁହାସ୍ଥିତ ଘରକୁ ଆସିଥିଲା। କିନ୍ତୁ କନ୍ୟାପିତା ତାଙ୍କ ଗାଁ ଓ ଘରକୁ ଯିବା ପାଇଁ କହିବାରୁ ମା’ ଓ ପୁଅ ମନା କରିଥିଲେ। ଗାଁରେ କେହି ରହୁନଥିବାରୁ ଘର ଭାଙ୍ଗି ଯାଇଥିବା କହିଥିଲେ। ତେବେ ବିବାହ ପୂର୍ବରୁ ଗାଁରେ ଘର କରିବେ ବୋଲି ସେମାନେ କନ୍ୟାପିତାଙ୍କୁ କହିଥିଲେ।

ଏମିତିରେ କିଛି ଦିନ ଗଡ଼ିଯିବା ପରେ ଧୂର୍ତ୍ତ ମା’ ଓ ପୁଅ ଗୃହ ନିର୍ମାଣ ସାରିବା ପାଇଁ ଆଉ ୧୦ ଲକ୍ଷ ଟଙ୍କା ଦରକାର ବୋଲି କହି କନ୍ୟାପିତାଙ୍କୁ ସାହାଯ୍ୟ ମାଗିଥିଲେ। ବିଶ୍ବାସ କରି କନ୍ୟାପିତା ତାଙ୍କୁ ୬ ଲକ୍ଷ ଟଙ୍କା ଦେଇଥିଲେ ଓ ୩ ମାସ ମଧ୍ୟରେ ଘର କାମ ସାରି ବାହାଘର ହେବ ବୋଲି ସ୍ଥିର ହୋଇଥିଲା। ମାତ୍ର ୬ ଲକ୍ଷ ଟଙ୍କା ପାଇବା ପରେ ମା’ ଓ ପୁଅଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇନଥିଲା। କନ୍ୟାପିତା ଯେତେ ଫୋନ୍‌ କଲେ ବି ସେମାନେ କେହି ଫୋନ୍‌ ଗ୍ରହଣ କଲେ ନାହିଁ। ଏକଦା ଧୂର୍ତ୍ତ ବର ଫୋନ୍‌ ଉଠାଇଲା ଏବଂ ବାହା ହେବନି କି ଟଙ୍କା ଫେରାଇବନି ବୋଲି ରୋକ୍‌ଠୋକ କହିଲା। ପୁଲିସ ଧୂର୍ତ୍ତ ବର ନାଁରେ ୧୨୦ ବି, ୩୦୬, ୪୨୦ ଓ ୩୪ ଆଇପିସି ଧାରାରେ ମାମଲା ରୁଜୁ କରିଛି।