ଥାନା ଉପରେ ଚାପ କମାଉଛି ‘ମାଧ୍ୟମ’: ୭ ବର୍ଷରେ ୩ ହଜାରରୁ ଊର୍ଧ୍ବ ମାମଲା ପଞ୍ଜୀକୃତ

କରୋନା ଯୋଗୁଁ ବଢ଼ିଛି ଘରୋଇ ହିଂସା, ‘ମାଧ୍ୟମ’ର କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା

ଭୁବନେଶ୍ୱର: ଘରୋଇ ହିଂସାଠାରୁ ଆରମ୍ଭ କରି ବିବାହର ମିଛ ପ୍ରତିଶ୍ରୁତି ଏବଂ ଯୌନ ନିର୍ଯାତନା ଭଳି ମହିଳାଙ୍କ ଅନେକ ସମସ୍ୟାର ସମାଧାନ କରୁଛି ‘ମାଧ୍ୟମ’। ୨୦୧୪ ମସିହାରେ ଆରମ୍ଭ ହୋଇଥିବା ‘ମାଧ୍ୟମର ୭ ବର୍ଷ ମଧ୍ୟରେ ମୋଟ ୪୧୦୩ ଜଣ ମହିଳା ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଛନ୍ତି। ସେଥିମଧ୍ୟରୁ ୩୧୧୪ଟି ଅଭିଯୋଗ ପଞ୍ଜୀକୃତ କରାଯାଇ ୧୯୧୨ଟି ମାମଲାର ସମାଧାନ ହୋଇପାରିଛି। ଏହାଛଡ଼ା ୨୩୨ ଜଣଙ୍କୁ ମାଗଣା ଆଇନ ସହାୟତାର ବ୍ୟବସ୍ଥା, ୯୯ ଜଣଙ୍କୁ ଡାକ୍ତରୀ ସୁବିଧା, ୩୭ ଜଣଙ୍କୁ ସ୍ୱଧାର ଗୃହରେ ରହିବାର ବ୍ୟବସ୍ଥା ଏବଂ ୬୪ ଜଣଙ୍କୁ ପାରିବାରିକ ହିଂସା ସୁରକ୍ଷା ଆଇନ୍ ବଳରେ ସୁରକ୍ଷା ଅଧିକାରୀ ମାଧ୍ୟମରେ ମାମଲା ରୁଜୁ କରାଯାଇଛି। ଆଜି କମିସରେଟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ମାଧ୍ୟମ’ର ୭ମ ବର୍ଷ ପୂର୍ତ୍ତି ଅବସରରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ତେବେ କରୋନା ଯୋଗୁଁ ଚିଳିତ ବର୍ଷ ଅନ୍ୟ ସମସ୍ତ ବର୍ଷ ଅପେକ୍ଷା ଘରୋଇ ହିଂସା ସଂଖ୍ୟା ବଢ଼ିଥିବା ଏହି ତଥ୍ୟରୁ ଜଣାପଡ଼ିଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ‘ମାଧ୍ୟମ’ର ଏକ ରିପୋର୍ଟକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ବର୍ତ୍ତମାନ ନ୍ୟାୟ ପାଇଁ ମହିଳାମାନେ ଥାନା ଅପେକ୍ଷା ଅଧିକ ସଂଖ୍ୟାରେ ‘ମାଧ୍ୟମ’କୁ ଆସୁଛନ୍ତି । ଯେହେତୁ ପାରିବାରିକ ହିଂସା ସମ୍ବନ୍ଧୀୟ ଅଧିକ ଅଭିଯୋଗ ପଞ୍ଜୀକୃତ ହେଉଛି; ତେଣୁ ଆମେ ମାମଲା ରୁଜୁ କରିବା ଅପେକ୍ଷା ତାହାର ସମାଧାନକୁ ଅଧିକ ଗୁରୁତ୍ବ ଦେଉଛୁ। ଏହା ‘ମାଧ୍ୟମ’ ଦ୍ୱାରା ଅନେକାଂଶରେ ସଫଳ ହୋଇପାରିଛି। ‘ମାଧ୍ୟମ’ର ହସ୍ତକ୍ଷେପ ଯୋଗୁଁ ଥାନା ଗୁଡିକରେ ମାମଲା ସଂଖ୍ୟା କମିବାରେ ଲାଗିଛି।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୁଲିସ କମିସନର ରେଖା ଲୋହାନୀ, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂ ଏବଂ ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ। ଆଇଏସ୍‌ଡିର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ସଭାପତି ନିବେଦିତା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ‘ମାଧ୍ୟମ’ର କାର୍ଯ୍ୟକ୍ରମକୁ ଆଉ ଏକ ବର୍ଷ ବଢାଇବା ପାଇଁ ଦୁଇ ଜଣ ଡିପିସି ସ୍ବାକ୍ଷର କରିଥିଲେ।

ସମ୍ବନ୍ଧିତ ଖବର