ସାଇବର୍‌ ଠକଙ୍କ ଆଗରେ ପୁଲିସ୍‌ କମିସନର୍‌ ବି ଅସହାୟ, ନକଲି ଆକାଉଣ୍ଟରୁ ଲୋକଙ୍କୁ ଟଙ୍କା ମାଗୁଛି ଠକ

ଗୁଇନ୍ଦା ଡିଆଇଜିଙ୍କ ନାଁରେ ବି ନକଲି ଆକାଉଣ୍ଟ, ଷ୍ଟାଟସ୍‌ ଅପଡେଟ୍‌ କରି ସଚେତନ କଲେ କମିସନର୍‌

ଭୁବନେଶ୍ବର: ସାଇବର୍‌ ଠକଙ୍କ ଆଗରେ ଅସହାୟ ଖୋଦ୍‌ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ। କେହି ଦୁର୍ବୃତ୍ତ ତାଙ୍କ ନାମରେ ଏକ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲି ତାଙ୍କ ବନ୍ଧୁ ଓ ଅନ୍ୟ ଲୋକମାନଙ୍କୁ ଟଙ୍କା ମାଗୁଛି। ଏହି ଘଟଣା ଆଜି କମିସନର୍‌ ଶ୍ରୀ ଷଡ଼ଙ୍ଗୀ ଜାଣିବା ପରେ ଏଥିରୁ ଦୂରେଇ ରହିବା ପାଇଁ ତାଙ୍କ ବନ୍ଧୁ ଓ ସାଧାରଣ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଫେସବୁକ୍‌ରେ ଷ୍ଟାଟସ୍‌ ଅପଡେଟ୍‌ କରି ସେ ଲେଖିଛନ୍ତି, ମୋ ଫଟୋ ଥିବା କୌଣସି ଫେସବୁକ୍‌ ଆକାଉଣ୍ଟରୁ ପଠା ଯାଉଥିବା ମେସେଜ୍‌କୁ ଗ୍ରହଣ କରନ୍ତୁ ନାହିଁ କିମ୍ବା ଟଙ୍କା ପଠାନ୍ତୁ ନାହିଁ। କାରଣ ତାହା ମୋ ଆକାଉଣ୍ଟ ନୁହେଁ କିମ୍ବା ମୁଁ ଏମିତି କୌଣସି ମେସେଜ୍‌ ପଠାଉନାହିଁ। ତେବେ ଖାଲି ପୁଲିସ୍‌ କମିସନର୍‌ ନୁହଁନ୍ତି, ଗୁଇନ୍ଦା ଡିଆଇଜି ଅନୁପ ସାହୁଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ତାଙ୍କର ମଧ୍ୟ ଏକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି କେହି ଦୁର୍ବୃତ୍ତ ଲୋକମାନଙ୍କୁ ପଇସା ମାଗୁଛି। ଏହା ଜାଣିବା ପରେ ଶ୍ରୀ ସାହୁ ମଧ୍ୟ ନିଜ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ସତର୍କ କରାଇଛନ୍ତି। ଜାଲ୍ ଆକାଉଣ୍ଟରୁ ଯାଉଥିବା ଫ୍ରେଣ୍ଡ-ରିକ୍ୟୁଏଷ୍ଟ ଆସିଲେ ତାହାକୁ ଗ୍ରହଣ ନ କରିବା ପାଇଁ ଶ୍ରୀ ସାହୁ କହିଛନ୍ତି।

ଏହା ପୂର୍ବରୁ ଆଇପିଏସ୍‌ ଅଫିସର୍‌ ପ୍ରଣବିନ୍ଦୁ ଆଚାର୍ଯ୍ୟ, ବରିଷ୍ଠ ଓଏଏସ୍‌ ଅଫିସର ବିଭୂତି ଭୂଷଣ ଦାସ, ଏସିପି ରବି ଶତପଥୀଙ୍କ ନାମରେ ମଧ୍ୟ ଏମିତି ନକଲି ଆକାଉଣ୍ଟ ଖୋଲି ଠକ ଧାରକରଜ ଆଳରେ ସେମାନଙ୍କ ବନ୍ଧୁମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଏ ସଂକ୍ରାନ୍ତ‌‌ରେ ସମସ୍ତ ଅଫିସର୍‌ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ ହେଁ ଏପର୍ଯ୍ୟନ୍ତ ଅପରାଧୀ ଧରା ପଡ଼ିନାହିଁ। ସୂଚନାଯୋଗ୍ୟ, ଏମାନେ ବଡ଼ ବଡ଼ ପୁଲିସ ଅଧିକାରୀ ହେଇଥିବାରୁ ସେମାନଙ୍କ ଅସୁବିଧା ସମୟରେ ସାହାଯ୍ୟ କରି ସଂପର୍କ ବଢ଼ାଇବା ଆଶାରେ ଆଗପଛ ବିଚାର ନ କରି କିଛି ଲୋକ ଠକ କହିବା ମୁତାବକ ଟଙ୍କା ଦେଇ ଦେଉଛନ୍ତି। ଏହାର ସୁଯୋଗ ନେଇ ଠକ ପୁଣି ସେମାନଙ୍କୁ ଟଙ୍କା ମାଗୁଥିବା ନଜରକୁ ଆସୁଛି।

ସମ୍ବନ୍ଧିତ ଖବର