ଚଉଡ଼ା ହେବ ବାଣୀବିହାର ଆର୍‌ଓବି, ପିତାପଲ୍ଲୀ-ବାରଙ୍ଗ ରାସ୍ତାରେ ଯିବେ ଭାରୀଯାନ

ରାସ୍ତା ମରାମତି ପାଇଁ ଚିଠି ଲେଖିଲେ ପୁଲିସ କମିସନର

ଭୁବନେଶ୍ବର: ବାରଙ୍ଗରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିଥିବା ରେଳଧାରଣା ପ୍ରଶସ୍ତିକରଣ ପ୍ରକଳ୍ପ ପାଇଁ ବାଣୀବିହାର ରେଲୱେ ଓଭରବ୍ରିଜ୍‌କୁ ଭଙ୍ଗାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଓ ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି କାମ ବର୍ଷକ ମଧ୍ୟରେ ସାରିବାକୁ ଯୋଜନା ଥିବାରୁ ଏହି ରାସ୍ତାରେ(ପୋଲ ଉପର ଦେଇ) ଭାରୀଯାନ ଚଳାଚଳ ବନ୍ଦ ରହିବ। ତେଣୁ ବିକଳ୍ପଭାବେ ପିତାପଲ୍ଲୀ-ବାରଙ୍ଗ ରାସ୍ତା ଭାରୀଯାନ ଚଳାଚଳ ପାଇଁ ବ୍ୟବହୃତ ହେବ।

ତୃତୀୟ ରେଳଧାରଣା ବିଛାଇବା ପାଇଁ ବାଣୀବିହାର ରେଳ ଓଭରବ୍ରିଜ୍‌ (ଆରଓବି)କୁ ଭଙ୍ଗା ହେବ‌ା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଏହି ପୋଲର ଦୈର୍ଘ୍ୟ ଏବେ ୧୮ ମିଟର ରହିଛି। ଏହାକୁ ୪୬ ମିଟର କରାଯିବ। ଏହା ଉପରେ ପାନୀୟ ଜଳ ପାଇପ୍‌ ଲାଇନ୍‌ ଯାଇଛି। ତାହାକୁ ମଧ୍ୟ ପ୍ରସ୍ତାବିତ ନୂଆ ପୋଲର ଦୈର୍ଘ୍ୟ ଅନୁସାରେ କରାଯିବ। ଏହି ସମସ୍ତ କାମ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବା ବୋଲି ଅଟକଳ କରାଯାଇଛି। ଏହି କାମ ରେଳ ବିକାଶ ନିଗମ (ଆରଭିଏନ୍‌ଏଲ୍‌) କରିବ।

ସୂଚନାନୁସାରେ ନୂତନ ପୋଲ ନିର୍ମାଣ ସମୟରେ ବାଣୀବିହାରରୁ ରସୁଲଗଡ଼ ପର୍ଯ୍ୟନ୍ତ ରାଜପଥ ବନ୍ଦ ରହିବ। ସେଥିପାଇଁ ପିତାପଲ୍ଲୀରୁ ଭ‌ା‌ରୀଯାନଗୁଡ଼ିକୁ ଆଉ ସହର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ତେଣୁ ଖୋର୍ଦ୍ଧାପଟୁ ଆସୁଥିବା ସମସ୍ତ ଭାରିଯାନଗୁଡ଼ିକ ପିତାପଲ୍ଲୀ ଠାରୁ ଚନ୍ଦକା, ମେଣ୍ଢାଶାଳ, ବାରଙ୍ଗ ଦେଇ ବାଲିକୁଦା ଛକରେ ୧୬ ନମ୍ବର ଜାତୀୟ ରାଜପଥକୁ ଉଠିବେ। କିନ୍ତୁ ପିତାପଲ୍ଲୀ-ବାରଙ୍ଗ ରାସ୍ତା ଖରାପ ହୋଇଥିବାରୁ ଭାରୀଯାନଗୁଡ଼ିକ ସେହି ରାସ୍ତାରେ ଯାତାୟାତ କରିବା ସମ୍ଭବ ନୁହେଁ। ଏଣୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି। ପ୍ରକାଶ ଥାଉକି ଏହି ଯୋଜନା ୨୦୧୦ ମସିହାରୁ ହୋଇଥିଲା। ‌ଏହାକୁ ନିର୍ମାଣ କରିବା ପାଇଁ ପ୍ରଥମେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ରାଜି ହୋଇଥିଲା। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରେଳବାଇ ଏନ୍‌ଏଚ୍‌ଏଆଇକୁ ଅର୍ଥ ମଧ୍ୟ ପଇଠ କରିଥିଲା। ଏଥିପାଇଁ ଓଭରବ୍ରିଜ୍‌ କଡ଼କୁ ଲାଗି ରହିଥିବା ତାରିଣୀ ବସ୍ତି ହଟାଇବାକୁ ବାସିନ୍ଦାମାନଙ୍କୁ ରେଳବାଇ ପକ୍ଷରୁ ନୋଟିସ ଦିଆଯାଇଥିଲା। କିନ୍ତୁ ୨୦୧୮ ମସିହାରେ ଏନ୍‌ଏଚ୍‌ଏଆଇ ଏହି ପ୍ରକଳ୍ପରୁ ଓହରି ଯାଇଥିଲା।

ସମ୍ବନ୍ଧିତ ଖବର