ନିଜ ଲୋକ କଥା ବି ବୁଝୁନି ପୁଲିସ, ଅବସରପ୍ରାପ୍ତ କର୍ମଚାରୀ ବାରଦୁଆର

ଭୁବନେଶ୍ବର: ନିଜ ଲୋକଙ୍କ କଥା ଶୁଣୁନି ପୁଲିସ। ଗୃହ ବିଭାଗରେ ୩୦ ବର୍ଷ ଚାକିରି କରି ଅବସର ନେଇଥିବା ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୨ ଲକ୍ଷ ୨୦ ହଜାର ଟଙ୍କା ଉଭାନ୍‌ ହେବା ଘଟଣାକୁ ୩ ମାସରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ପୁଲିସ୍ କେବଳ ମାମଲା ରୁଜୁ କରି ଚୁପ୍‌ ବସି ଯାଇଛି। କୋଭିଡ୍‌ ମୁକାବିଲା ଆଳ ଦେଖାଇ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ବି କରୁନି। ଫଳରେ ବରିଷ୍ଠ ନାଗରିକଜଣଙ୍କ ବାରଦୁଆର ହେଉଛନ୍ତି। କରୋନା ପାଇଁ ବରି‌ଷ୍ଠ ନାଗରିକ ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ପୁଲିସ୍‌ ସହଯୋଗ କରୁନଥିବାରୁ ଅଭିଯୋଗକାରୀ ବାଧ୍ୟ ହୋଇ ପଦାକୁ ଗୋଡ଼ କାଢ଼ୁଛନ୍ତି। ଘଟଣା ଗୃହ ସଚିବଙ୍କ କାନରେ ବାଜିବା ପରେ ସେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲା ଉପରକୁ ଯିବା ଖବର ପାଇ ପୁଲିସ୍‌ ହଠାତ୍‌ ତତ୍ପର ହୋଇଉଠିଛି। ଦୁଇ ଦିନ ମଧ୍ୟରେ ସିସିଟିଭି ଯାଞ୍ଚ କରି ଚୋରକୁ ଚିହ୍ନଟ କରିଛି। କିନ୍ତୁ ଧରି ପାରିନାହିଁ।

ସୂଚନା ମୁତାବକ, ଅରବିନ୍ଦ ନଗରରେ ସନ୍ତୋଷ ଦାସ ସପରିବାର ରହନ୍ତି। ନିକଟ ଅତୀତରେ ତାଙ୍କର ପୁଅ ବାହାଘର ହୋଇଥିଲା। ଏଥିପାଇଁ ସେ ମାର୍ଚ୍ଚ ୧ ତାରିଖରେ ଜିଜିପି କଲୋନିରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇ ଗଣୁଥିବା ବେଳେ ସେଠାରେ ଥିବା ଦୁର୍ବୃତ୍ତ କୌଶଳକ୍ରମେ ଏଟିଏମ୍‌ ଭିତରେ ଥିବା ସନ୍ତୋଷଙ୍କ କାର୍ଡକୁ ବଦଳାଇ ଦେଇଥିଲା। ସେଠାରେ ଏକ ଅବ୍ୟବହୃତ କାର୍ଡକୁ ରଖି ସନ୍ତୋଷଙ୍କ କାର୍ଡ ନେଇ ଯାଇଥିଲା। ସନ୍ତୋଷ ପଇସା ଉଠାଇବା ବେଳେ ପାସ୍‌ୱାର୍ଡ ମଧ୍ୟ ଦେଖି ନେଇଥିଲା। ଫଳରେ ସେହି କାର୍ଡ ବ୍ୟବହାର କରି ଦୁର୍ବୃତ୍ତଜଣଙ୍କ ୧ରୁ ୫ ତାରିଖ ଭିତରେ ଭୁବନେଶ୍ବରର ଦୁଇଟି ଜୁଏଲାରିରୁ ୧ଲକ୍ଷ ଟଙ୍କାର ସୁନା ଗହଣା କିଣି ନେଇଥିଲା। ଖାଲି ସେତିକି ନୁହେଁ, ପରେ ଖୋର୍ଦ୍ଧା ଓ ଭଦ୍ରକର ଏଟିଏମ୍‌ରୁ ମୋଟ ୧ ଲକ୍ଷ ୨୦ହଜାର ଟଙ୍କା ଉଠାଇ ନେଇଥିଲା। ଏଭଳି ମୋଟ ୨ଲକ୍ଷ ୨୦ ହଜାର ଉଠାଇ ନେଇଥିଲା। ପୁଅ ବାହାଘରରେ ବ୍ୟସ୍ତ ଥିବାରୁ ସନ୍ତୋଷ ଏସବୁ ଜାଣି ପାରିନଥିଲେ। ତେବେ ୫ ତାରିଖ ଦିନ ମେସେଜ୍‌ ଦେଖିବା ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସେ ବ୍ୟାଙ୍କ୍‌ ଯାଇ କାର୍ଡ ବ୍ଲକ କରିବା ସହ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କରୋନା ଆଳ କରି ମାମଲାର ତଦନ୍ତ କରୁନଥିଲା। ୩ ମାସ ଧରି ସେ ଥାନାକୁ ଦଉଡ଼ିବା ପରେ ନିରାଶ ହୋଇ ଗୃହ ସଚିବଙ୍କୁ ଭେଟିଥିଲେ। ସଚିବ ଏବେ ଏହି ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖବର ପାଇ ମଞ୍ଚେଶ୍ବର ଥାନା ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସଚିବଙ୍କ ଏହି ନିର୍ଦ୍ଦେଶ ଦେବାର ଦୁଇ ଦିନ ମଧ୍ୟରେ ପୁଲିସ୍‌ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତକୁ ଠାବ କରିଛି।

ସମ୍ବନ୍ଧିତ ଖବର