ଖଣ୍ଡଗିରି: ଏକମାସ ହେବ ରାଜଧାନୀ ଉପକଣ୍ଠରେ ଅପରାଧ ହାର ବଢ଼ିଚାଲିଛି। ଦିନ ଦ୍ବିପହରରେ ବନ୍ଧୁକ ଗର୍ଜିବା, ଖଣ୍ଡା ବୁଲିବା, ବୋମାମାଡ଼, ହାଣକାଟ ଓ ଚୋରି ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିଶେଷକରି ଭରତପୁର ଥାନା ଅଞ୍ଚଳରେ ଏଭଳି ଅପରାଧ ବାରମ୍ବାର ଘଟିବା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି। ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିଲା ବେଳେ ପୁଲିସ ଉପରୁ ଆସ୍ଥା ହରାଇବାରେ ଲାଗିଛନ୍ତି। ଅପରପକ୍ଷରେ କେବଳ ମାମଲା ରୁଜୁ କରି ଭରତପୁର ଥାନା ପୁଲିସ ବସିଯାଉଛି। ଅପରାଧ କିପରି ନିୟନ୍ତ୍ରଣ ହେବ ସେଥିପ୍ରତି ଦୃଷ୍ଟି ଦେଉନଥିବା ବରିଷ୍ଠ ନାଗରିକମାନେ ଅଭିଯୋଗ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଭରତପୁର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍‌ରୁ ଡକାୟତି ଉଦ୍ୟମ ହୋଇଥିଲା। ପୁଲିସ ୩ ଜଣଙ୍କୁ ଧରି ୨ଟି ଦେଶୀ ବନ୍ଧୁକ, ଗୁଳି, ଖଣ୍ଡା ଆଦି ଜବତ କରିଛି। ଗତ ୨୧ ତାରିଖ ଦିନ ଦ୍ବିପହର ସମୟରେ ଶ୍ୟାମପୁର ଅଞ୍ଚଳରେ ଥିବା ଭୂଦାନ ଜମିକୁ କିଛି ମାଫିଆ ଜବରଦଖଲ କରିବାକୁ ଚେଷ୍ଟା କରୁଥିଲେ। ପ୍ରତିବାଦ କରିବାରୁ ଏହି ଜମି ମାଫିଆମାନେ ତିନିଜଣଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଅନୁରୂପ ଭାବେ ଗତ ୧୮ ତାରିଖ ବିଳମ୍ବିତ ରାତିରେ ବ୍ୟବସାୟିକ ଶତ୍ରୁତାରୁ ଘାଟିକିଆ ଓ ଶ୍ୟାମପୁର ଅଞ୍ଚଳରେ ଘନଘନ ବୋମାମାଡ଼ ହୋଇଥିଲା। ଏଥିରେ କାର୍‌ ଓ ଘରର କିଛି ଅଂଶ କ୍ଷତି ହୋଇଥିଲା।  ଅନୁରୂପ ଭାବେ ଦିନବେଳା ଘରର ପାଚେରି ଡେଇଁ ଚୋରି ଘଟଣା ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି।
ଚଳିତ ବର୍ଷ ଭରତପୁର ଥାନା ଅଞ୍ଚଳ ବାଇକ୍‌ ଚୋରିରେ ରେକର୍ଡ କରିଛି। ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ବାଇକ୍‌ ଚୋରି ନେଇ ଥାନାରେ ଅଭିଯୋଗ ହୋଇସାରିଛି। ଅନୁରୂପ ଭାବେ ନାବାଳିକା ଅପହରଣ, ଛୁରାମାଡ଼ ଓ ଅସଦାଚରଣ ମାମଲା ବଢ଼ିବଢ଼ି ଚାଲିଛି। 
ବହୁଚର୍ଚ୍ଚିତ ମେଜର ଓ ତାଙ୍କର ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ମାମଲାରେ ଭରତପୁର ଥାନା ସାରା ଦେଶରେ ଦୁର୍ନାମ ମୁଣ୍ଡାଇଥିଲା। ଏହି ଘଟଣା ପରେ ତତ୍କାଳୀନ ଥାନାଧିକାରୀଙ୍କ ସମେତ ୫ଜଣ ଥାନା କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ଏହା ପରଠାରୁ ଥାନାଧିକାରୀ ଦୀପକ ଖଣ୍ଡାୟତରାୟ ଥାନାର ଦାୟିତ୍ବ ସମ୍ଭାଳିଛନ୍ତି। ଥାନାରେ ବର୍ତ୍ତମାନ ୬ଜଣ ଏସ୍‌ଆଇ, ୫ଜଣ ଏଏସ୍‌ଆଇ, ଜଣେ ହାବିଲଦାର, ୧୦ଜଣ କନଷ୍ଟେବଳଙ୍କ ସମେତ ହୋମଗାର୍ଡ ରହିଛନ୍ତି। ଥାନାକୁ ଦୁଇଟି ଭ୍ୟାନ୍‌ ମଧ୍ୟ ଦିଆଯାଇଛି। ରାଜପ୍ରାସାଦ ଭଳି ଦେଖାଯାଉଥିବା ଏହି ଥାନାରେ ଏତେ‌ ସବୁ ସୁବିଧା ଥିବା ସତ୍ତ୍ବେ ପୁଲିସର ଅପାରଗପଣିଆ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଠିକ୍‌ରେ ପୁଲିସ ପାଟ୍ରୋଲିଂ ହେଉନଥିବା ବେଳେ ଦିନ ଦିପହରେ ଅପରାଧୀମାନେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛନ୍ତି।