ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ଘଟଣା, ଅଭିଯୁକ୍ତଙ୍କୁ ଜେରା କରି ଛାଡ଼ିଲା ପୁଲିସ

ଚନ୍ଦ୍ରଶେଖରପୁର: ଓଲିଉଡ୍‌ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇବା ମାମଲାରେ ନୂଆ ମୋଡ଼ ଆସିଛି। ମାମଲାଟି ମହିଳା ଥାନାରୁ ଚନ୍ଦ୍ରଶେଖରପୁର ଥାନାକୁ ସ୍ଥାନାନ୍ତର ହୋଇଛି। ଆଜି ଚନ୍ଦ୍ରଶେଖରପୁର ପୁଲିସ ଅଭିଯୁକ୍ତ ସୁବ୍ରତ ମହନିକୁ ଥାନାକୁ ଡାକି ଦୁଇ ଘଣ୍ଟା ଜେରା କରିଛି। କେମିତି, କାହିଁକି ସୁବ୍ରତ ଏମିତି କଲେ, ସେ ନେଇ ପୁଲିସ ସୁବ୍ରତକୁ ଜେରା କରିଥିଲା। ତେବେ ଏକ କ୍ଷମା ପ୍ରାର୍ଥନା ଚୁକ୍ତି କରି ପୁଲିସ ସୁବ୍ରତକୁ ଛାଡ଼ିଛି। ତଦନ୍ତରେ ସହଯୋଗ କରିବା ସହ ଥାନାରେ ହାଜିରା ଦେବା ପାଇଁ ସର୍ତ୍ତ ମଧ୍ୟ ରହିଛି। ଚନ୍ଦ୍ରଶେଖରପୁର ଥାନାଧିକାରୀ ବିଶ୍ବରଞ୍ଜନ ନାୟକଙ୍କ କହିବା ଅନୁସାରେ, ଘଟଣାଟି ସାଇବର ଅପରାଧ ଅନ୍ତର୍ଭୁକ୍ତ। ତେଣୁ ତଦନ୍ତ ଚାଲିଥିବା ପର୍ଯ୍ୟନ୍ତ ଅଭିଯୁକ୍ତ ଥାନାରେ ହାଜିରା ଦେବ। ସୋସିଆଲ୍ ମିଡିଆରେ କେବେ କାହାକୁ ଅଶାଳୀନ ମନ୍ତବ୍ୟ ଦେବେ ନାହିଁ। ଏହି ଘଟଣାକୁ ପୁଲିସ ଗୁରୁତ୍ବର ସହ ଗ୍ରହଣ କରିଛି। ଘଟଣାକୁ ନେଇ ଅଭିନେତ୍ରୀଜଣଙ୍କ ମାନସିକ ଚାପରେ ଥିବାରୁ ପୁଲିସ୍ ତାଙ୍କ ସୁରକ୍ଷା ନେଇ ଆଶ୍ବାସନା ଦେଇଛି।

ଅଭିଯୋଗ ଅନୁସାରେ, ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ନକଲ କରି ଅଭିଯୁକ୍ତ ସୁବ୍ରତ ବିଭିନ୍ନ ଲୋକଙ୍କ ପାଖକୁ ମେସେଜ୍ ପଠାଉଥିଲା। ଏହା ସହ ସୋସିଆଲ୍ ମିଡିଆରେ ଅଭିନେତ୍ରୀଙ୍କ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ତାଙ୍କର ମୋବାଇଲ ନମ୍ବର ସେୟାର କରିଥିଲା ସୁବ୍ରତ। ଏହାପରେ ଅଭିନେତ୍ରୀଙ୍କ ପାଖକୁ ଶତାଧିକ କଲ୍ ଆସିଥିଲା। ପ୍ରଥମେ ଅଭିନେତ୍ରୀଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଘଟଣା ବିଷୟରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ସେଠାକୁ ଅଭିଯୁକ୍ତ ଯୁବକ ସୁବ୍ରତକୁ ଡ଼କାଇଥିଲା ପୁଲିସ। କିନ୍ତୁ ସୁବ୍ରତ ଆସିବାକୁ ମନା କରି ଦେଇଥିଲେ। ଏହି ଘଟଣା ସମ୍ପର୍କରେ ମହିଳା ଥାନାରେ ଅଭିଯୋଗ କରିବା ପାଇଁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିନେତ୍ରୀଙ୍କୁ ପରାମର୍ଶ ଦେଇଥିଲା। ଏହା ପରେ ଅଭିନେତ୍ରୀ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ମହିଳା ଥାନା ପୁଲିସ ମାମଲା ରୁଜୁ କରିଥିଲା। ଥାନାରେ ଅଭିନେତ୍ରୀଜଣଙ୍କ ବୟାନ ଶୁଣିବା ପରେ ପୁଲିସ୍ ସୁବ୍ରତକୁ ଥାନାକୁ ଡକାଇ ପଚରାଉଚରା କରିଥିଲା। ଆଜି ସେହି ମାମଲାକୁ ଚନ୍ଦ୍ରଶେଖରପୁର ଥାନାକୁ ପୁଣି ହସ୍ତାନ୍ତର କରି ଦିଆଯାଇଛି। ଏହା ଏକ ସାଇବର୍ ଅପରାଧ ହୋଇଥିବାରୁ ତଦନ୍ତ ପରେ ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇ ପାରେ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର