ମାମଲା ରଫାଦଫା ପାଇଁ ଲାଞ୍ଚ ମାଗୁଛି ପୁଲିସ

ସାଇବର୍‌ ଥାନା ବିରୋଧରେ ଯୁବତୀଙ୍କ ସଙ୍ଗିନ ଅଭିଯୋଗ

ଭୁବନେଶ୍ୱର: ସାଇବର୍‌ ଥାନା ବିରୋଧରେ ଜଣେ ଯୁବତୀ ଆଣିଛନ୍ତି ସଙ୍ଗିନ ଅଭିଯୋଗ। ମାମଲା ରଫାଦଫା ପାଇଁ ତାଙ୍କୁ ସାଇବର ଥାନା ପୁଲିସ ଲାଞ୍ଚ ମାଗୁଛି। ବାରମ୍ବାର ଥାନାକୁ ଡକାଇ ନିର୍ଯାତନା ଦେବା ସହ ମିଛ ମାମଲାରେ ଫସାଇବାକୁ ଚେଷ୍ଟା କରାଯାଉଛି। ଏଭଳି ଅଭିଯୋଗ ଆଣିଛନ୍ତି ଏୟାରପୋର୍ଟ ଥାନା ଅଞ୍ଚଳର ଲିଲିଲତା ମିଶ୍ର।

ଅନ୍ୟପଟେ ସାଇବର ଥାନା ପକ୍ଷରୁ କୁହାଯାଇଛି ଯେ, ଗତ ଫେବ୍ରୁଆରି ମାସରେ ଜଣେ ଯୁବତୀ ଅଭିଯୋଗ କରିଥିଲେ ଯେ କେହି ତାଙ୍କର ଏବଂ ତାଙ୍କ ଭଉଣୀଙ୍କ ଫଟୋ ଓ ଭିଡିଓକୁ ଏଡିଟିଂ କରି ଇନ୍‌ଷ୍ଟାଗ୍ରାମ ଏବଂ ଫେସ୍‌ବୁକ୍‌ରେ ସେୟାର କରିଛି। ଅଭିଯୋଗ ପରେ ସାଇବର୍‌ ଥାନା ପୁଲିସ ଘଟଣାର ତଦନ୍ତ ପାଇଁ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମକୁ ଚିଠି କରିଥିଲା। ଦୁଇଟି ଯାକ ସୋସିଆଲ୍‌ ମିଡିଆରୁ ରିପୋର୍ଟ ଆସିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଲିଲିଲତା ଏବଂ ରାଜେଶ ଦାଶ ଉଭୟ ୧୨ଟି ଆକାଉଣ୍ଟରୁ ଏଭଳି ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିଛନ୍ତି। ସେମାନଙ୍କ ନମ୍ବରକୁ ମଧ୍ୟ ଠାବ କରାଯାଇଥିଲା। ଏମିତିକି ଲିଲିଲତା ନିଜ ସିମ୍‌ରେ ଚାରି ଚାରି ଥର ଠିକଣା ପରିବର୍ତ୍ତନ କରିଥିଲେ।

ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ: ପୁଲିସ

ତଥ୍ୟ ପ୍ରମାଣ ହାତେଇବା ପରେ ପୁଲିସ ଉଭୟଙ୍କୁ ଥାନାକୁ ଡାକିଥିଲା। ଉଭୟଙ୍କର ଦୁଇଟି ମୋବାଇଲ୍‌କୁ ଜବତ କରି ଗୋଟିଏ ମୋବାଇଲ୍‌ରୁ ଅନେକ ତଥ୍ୟ ସଂଗ୍ରହ କରିଥିଲା। ଫେସ୍‌ବୁକ୍‌ରୁ ମିଳିଥିବା ତଥ୍ୟ ମୁତାବକ, ଗୋଟିଏ ଆଇଫୋନ୍‌ର ମଡେଲ୍‌ ଏବଂ ଆଇଏମଇଆଇ ନମ୍ବରର ମେଳ ଖାଇଥିଲା। ପୁଲିସ ସେମାନଙ୍କୁ ଜେରା କରିବା ସହ ଗୋଟିଏ ମୋବାଇଲ୍‌ ରଖି ଅନ୍ୟଟି ଫେରାଇ ଦେଇଥିଲା। ଏହାପରେ ସେମାନଙ୍କୁ ନୋଟିସ୍‌ ଦେଇ ଛାଡ଼ିଥିଲା। ତଦନ୍ତ ଜାରି ରହିଥିବାରୁ ସ୍ଥାନୀୟ ଅଞ୍ଚଳ ଛାଡ଼ି ନଯିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଦୁଇଟି ଯାକ ଆଇଡିରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ପୁଲିସ ସେମାନଙ୍କୁ ଥାନାରେ ହାଜର ହେବାକୁ କହିଥିଲା। ହାଜର ନହେବାରୁ ପୁଲିସ ସେମାନଙ୍କ ଘରେ ଚଢ଼ଉ କରିଥିଲା। ହେଲେ ଉଭୟ ଫେରାର୍‌ ହୋଇଯାଇଥିଲେ। ପରେ ହାଇକୋର୍ଟରୁ ଆଗୁଆ ଜାମିନ୍‌ ଆଣି ପୁଲିସକୁ ଦେଖାଇଥିଲେ। ଉଭୟ ଥାନା ଓ ଲିଲିଲତାଙ୍କ ଅଭିଯୋଗ ପରେ ଏବେ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଛନ୍ତି? ଏବେ ପ୍ରଶ୍ନ ଉଠିଛି ଯେ, କିଏ ସତ କହୁଛି? ପୁଲିସ ନା ଲିଲିଲତା?

ସମ୍ବନ୍ଧିତ ଖବର