ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଅଭିଯୁକ୍ତକୁ ଛାଡ଼ିଦେଲା ପୁଲିସ

ଭୁବନେଶ୍ବର : ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭା‌ଇରାଲ୍ କରିଥିବା ଅଭିଯୁକ୍ତକୁ ପୁଲିସ ଥାନାକୁ ଆଣିବା ପରେ ଛାଡ଼ି ଦେଇଛି। ଏୟାର୍‌ଫିଲ୍‌ଡ ଥାନା ପୁଲିସ ବିରୋଧରେ ଆସିଛି ଏଭଳି ଅଭିଯୋଗ। ମାମଲା ରୁଜୁ ହୋଇଥିବା ସତ୍ତ୍ବେ ପୁଲିସ କେଉଁ ଆଇନ ବଳରେ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେଲା, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏମିତିକି ନାବାଳିକାଙ୍କ ପରିବାର କାହା ଚାପରେ ଚୁପ୍‌ ରହିଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ନାବାଳିକା ଉକ୍ତ ଅଞ୍ଚଳର ଜଣେ ଯୁବକଙ୍କ ସହ ପରିଚିତ ହେବା ପରେ ଧୀରେଧୀରେ ସମ୍ପର୍କ ନିବିଡ଼ ହୋଇଥିଲା। ପରେ ସେମାନେ ଫୋନ୍‌ରେ କଥାବାର୍ତ୍ତା ହେବା ସହ ବହୁ ସମୟରେ ଭିଡିଓ ଚାଟ୍‌ କରୁଥିଲେ। ତେବେ ଏହି ମଉକାରେ ଯୁବକଜଣକ ନାବାଳିକାଙ୍କ ଅଜାଣତରେ ଭିଡିଓ ଚାଟ୍‌ରୁ କିଛି ଅଶ୍ଳୀଳ ଫଟୋକୁ ସ୍କ୍ରିନସଟ୍‌ ରଖିନେଇଥିଲା। ଏହା ପରେ ସେ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲା। ଏମିତିକି ନାବାଳିକାଙ୍କ ପରିବାରଲୋକଙ୍କୁ ସେସବୁ ଫଟୋ ପଠାଇ ବ୍ଲାକ୍‌ମେଲ୍‌ କରିଥିଲା। ଏନେଇ ପରିବାର ଲୋକେ ଏୟାର୍‌ଫିଲ୍‌ଡ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରି ଥାନାକୁ ଆଣିଥିଲା। କିନ୍ତୁ ତାକୁ କୋର୍ଟ ଚାଲାଣ ନକରି ଛାଡ଼ି ଦେଇଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର