ସାଢ଼େ ୩ ଘଣ୍ଟା ଅଟକିଲା ନୀତି, ହାଣ୍ଡିଭଙ୍ଗା ଯାତ ଓ ଶ୍ରାବଣୀ ପାଉଣା ବିବାଦ ତୁଟିଲା

ପୁରୁଣା ଭୁବନେଶ୍ୱର: ପୁନରୁଦ୍ଧାର ହେବ ପ୍ରାଚୀନ ପରମ୍ପରା। ବନ୍ଦ ହୋଇ ଯାଇଥିବା ପାରମ୍ପରିକ ହାଣ୍ଡିଭଙ୍ଗା ଯାତ ପୁଣି ହେବ। ସେବାୟତଙ୍କୁ ମିଳିବ ଶ୍ରାବଣୀ ପାଉଣା। ଆଜି ଶ୍ରୀଲିଙ୍ଗରାଜ ପ୍ରଶାସନ ସେବାୟତମାନଙ୍କ ଦୀର୍ଘ ଦିନର ଏହି ଦାବିକୁ ମାନି ନେଇଛନ୍ତି। ଆଜି ସେବାୟତମାନଙ୍କ ଅସହଯୋଗ ଆନ୍ଦୋଳନ ପରେ ନୀତି ବିଳମ୍ବ ହେବାରୁ ପ୍ରଶାସନ ଏହି ସବୁ ଦାବି ମାନି ନେଇଛି। ମହାଶିବରାତ୍ରି ଅବ୍ୟବହିତ ପୂର୍ବରୁ ସେବାୟତମାନଙ୍କ ଦାବି ପୂରଣ ହୋଇଥିବାରୁ ପ୍ରସିଦ୍ଧ ଜାଗର ଯାତ୍ରା ସୁରୁଖୁରୁରେ ହେବ ବୋଲି ସ୍ପଷ୍ଟ ହୋଇଛି।

ପୂର୍ବ ଘୋଷଣା ଅନୁଯାୟୀ ଆଜି ବ୍ରାହ୍ମଣ ନିଯୋଗ ପକ୍ଷରୁ ମନ୍ଦିର ନୀତିରେ ଅସହଯୋଗ କରାଯାଇଥିଲା। ଲିଙ୍ଗରାଜଙ୍କ ପରମ୍ପରା ଠିକ୍‌ରେ ପାଳନ ହେଉନଥିବା ଅଭିଯୋଗ କରି ସେବାୟତମାନେ କାର୍ଯ୍ୟରେ ଯୋଗ ଦେଇନଥିଲେ। ପୂର୍ବାହ୍ନରେ ଠାକୁରଙ୍କ ମଙ୍ଗଳ ଆଳତି ଓ ଅବାକଶ ନୀତି ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଏହା ପରେ ରୋଷ ହୋମ ହେବାକୁ ଥିଲା। କିନ୍ତୁ ଏତିକିବେଳେ ବ୍ରାହ୍ମଣ ସେବାୟତମାନେ ପୂଜା ବିଧି ପାଳନରେ ଅସହଯୋଗ କରିଥିଲେ। ବନ୍ଦ ହୋଇଥିବା ହାଣ୍ଡିଭଙ୍ଗା ଯାତ ପୁଣି ଚାଲୁ କରିବା ଓ ଶ୍ରାବଣୀ ପାଉଣା ପାଇବାକୁ ଦାବି କରି ସେମାନ‌େ ଅସହଯୋଗ କରିଥିଲେ। ଫଳରେ ପ୍ରାୟ ସାଢ଼େ ୩ ଘଣ୍ଟା କାଳ ନୀତି ବିଳମ୍ବିତ ହୋଇଥିଲା। ତେଣୁ ତୁରନ୍ତ ମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ସଭାପତି ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦେବୋତ୍ତର କମିସନର, ଆସିଷ୍ଟାଣ୍ଡ୍‌ କମିସନର, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଏମ୍‌ସି ଅତିରିକ୍ତ କମିସନର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ସେବାୟତଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଶେଷରେ ଚଳିତ ବର୍ଷ ହାଣ୍ଡି ଭଙ୍ଗା ଯାତ କରାଯିବ ଓ ଶ୍ରାବଣୀ ପାଉଣା ଦିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ପରେ ସେବାୟତମାନେ ନୀତିରେ ଯୋଗ ଦେଇଥିଲେ। ପରେ ନୀତି ସ୍ବାଭାବିକ ହୋଇଥିଲା। ମହାଶିବରାତ୍ରୀରେ କୌଣସି ନୀତି ବିଳମ୍ବ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି।

ସମ୍ବନ୍ଧିତ ଖବର