ବାଲିଅନ୍ତା: ସରକଣା ପଞ୍ଚାୟତ ଅଧୀନ ରଣପୁର ଓ ସରକଣା ଉପରମୁଣ୍ଡସାହି ଭିତରେ ଥିବା ଦଳଭର୍ତ୍ତି ପୁଷ୍କରିଣୀ ଏବେ ବିଭିନ୍ନ ରୋଗର ବାହକ ସାଜିଛି। ପୋଖରୀ ଭିତରେ କଲିକତି ଦଳଭର୍ତ୍ତି ହୋଇ ରହିଥିବାରୁ ଗ୍ରାମବାସୀମାନେ ବିଭିନ୍ନ ରୋଗରେ ପଡ଼ୁଥିବା ଅଭିଯୋଗ ହେଉଛି। ୧୫୦ ପରିବାର ବସବାସ କରୁଥିବା ଗ୍ରାମବାସୀ ମିଳିତଭାବେ ଏସଂପର୍କରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ସାହୁ ଓ ବ୍ଲକ୍‌ ଗୋଷ୍ଠୀ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି। ହେଲେ ପୋଖରୀ ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ପରିତ୍ୟକ୍ତ ଅବସ୍ଥାରେ ଥିବା ପୋଖରୀ ଯୋଗୁ ଅନେକ ଗ୍ରାମବାସୀ ମ୍ୟାଲେରିଆ ଓ ଡେଙ୍ଗୁରେ ପୀଡ଼ିତ ହୋଇଥିବା କହିଛନ୍ତି।

Advertisment

ଗ୍ରାମର ମହିଳାମାନଙ୍କ କହିବାନୁସାରେ, ବର୍ଷା ବେଳେ ପୋଖରୀ ଭିତରକୁ ଆବର୍ଜନା ପାଣି ପଶିବା ଦ୍ବାରା ଜାଆଁଳ ମରି ଯାଉଥିବା ଅଭିଯୋଗ ହୋଇଛି। ପୋଖରୀରୁ ଲାଭ ପାଇବା ତ ଦୂରର କଥା ଚାନ୍ଦାଭେଦା କରି ଖଟାଉଥିବା ମୂଳ ବି ବୁଡ଼ି ଯାଉଥିବାରୁ ମହିଳାମାନେ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପଧାନ ଘରଠାରୁ କୈବର୍ତ୍ତସାହି ଡ୍ରେନନିର୍ମାଣ ନେଇ ୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲେ ମଧ୍ୟ ଟଙ୍କା ଆସିନାହିଁ। ଫଳରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ସେହିପରି ବେହେରାଘରସାହି ପାର୍ଶ୍ବ ପୋଖରୀରେ ଆବର୍ଜନା ପାଣି ନପଶିବା ପାଇଁ କଂକ୍ରିଟ ଗାର୍ଡୱାଲ ନିର୍ମାଣ ନେଇ ୨ ଳକ୍ଷ ଟଙ୍କା ଏପ୍ରିଲ ମାସରେ ମଞ୍ଜୁର ହୋଇଥିବା କହିଛନ୍ତି। ହେଲେ ଏବେ ସୁଦ୍ଧା କାମ ଆରମ୍ଭ ହୋଇପାରିନି। ଏ ସଂକ୍ରାନ୍ତରେ ସରପଞ୍ଚ ଶ୍ରୀମତୀ ସାହୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।