କବ୍‌ଜା କରି ପୋତି ଦେଲେଣି ପୋଖରୀ: ଜବରଦଖଲମୁକ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ଶୂନ, ବଢ଼ିଲା କୃତ୍ରିମ ବନ୍ୟା ଆଶଙ୍କା

ଭୁବନେଶ୍ବର: ବେଆଇନ ଭାବରେ କବ୍‌ଜା କରି ପୋତି ଦେଲେଣି ବିଜୁ ପଟ୍ଟନାୟକ ପୁଲିସ ଏକାଡେମି ନିକଟସ୍ଥ ପୋଖରୀ। ଏନେଇ ପାତ୍ରପଡ଼ା ଅଧିବାସୀ ବାରମ୍ବାର ଅଭିଯୋଗ କରିବା ପରେ ବି ଜବରଦଖଲ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହିଭଳି ଅବସ୍ଥା ଯୋଗୁଁ ବର୍ତ୍ତମାନ ଏଠାରେ ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା ହେବାର ଆଶଙ୍କା ସଷ୍ଟି ହୋଇଛି। ବର୍ତ୍ତମାନ ଠାରୁ ମଧ୍ୟ ଏହି ସମସ୍ୟା ଆରମ୍ଭ ହୋଇଯାଇଥିବା ଅନେକ ଅଧିବାସୀ କହିଛନ୍ତି।

ଅଭିଯୋଗ ଅନୁଯାୟୀ କାହିଁ କେତେ ବର୍ଷ ହେଲା ପାତ୍ରପଡ଼ା-ଆଇଗିଣିଆର ମଝି ଅଂଶରେ ରହିଛି ଏହି ପୋଖରୀ। ବର୍ଷା ଋତୁରେ ଏହା ଉଦ୍‌ବୃର୍ତ୍ତ ଜଳ ଧରି ରଖିବାରେ ସହାୟକ ହୋଇଥାଏ। ଏଥିଯୋଗୁଁ ସ୍ଥାନୀୟ ଅଧିବାସୀ ଜଳବନ୍ଦୀରୁ ରକ୍ଷା ପାଆନ୍ତି। କବାଡ଼ିଆ ବସ୍ତିର କିଛି ପରିବାର ମଧ୍ୟ ଏଠାରେ ଗାଧୋଇ ଥାଆନ୍ତି। ଏହି ଜଳାଶୟକୁ ବର୍ତ୍ତମାନ ବିଭିନ୍ନ ମାମଲାରେ ଜେଲ୍‌ ଯାଇଥିବା ଅପରାଧୀ ଏବଂ ଜମି ଦଲାଲ କବ୍‌ଜା କରିଛନ୍ତି। ଜଳାଶୟର ପ୍ରମୁଖ ଭାଗକୁ ମାଟିରେ ପୋତି ପାଚେରି ନିର୍ମାଣ କରାଯାଇଛି। ଏଥିସହିତ ଏହାର ଅନ୍ୟ ଭାଗଗୁଡ଼ିକ ଆଉ କିଛି ବ୍ୟକ୍ତି କବ୍‌ଜା କରି ନେଇଛନ୍ତି। ସ୍ଥାନୀୟ ଜଣେ ବରିଷ୍ଠ ନାଗରିକଙ୍କ ଅନୁସାରେ, ୮୦ ଦଶକରେ ଆଚାର୍ଯ୍ୟବିହାରରେ ଥିବା ଏଭଳି ଜଳାଶୟଗୁଡ଼ିକୁ ଜବରଦଖଲ କରି ପୋତି ଦିଆଯାଉଥିଲା। ପ୍ରଶାସନ ଏହା ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିଲା କି ଜଳାଶୟ ସୁରକ୍ଷାକୁ ଗୁରୁତ୍ବ ଦିଆଯାଉନଥିଲା। ଏହାର ପରିଣାମ ସ୍ବରୂପ ବର୍ତ୍ତମାନ ଆଚାର୍ଯ୍ୟବିହାର ଅଞ୍ଚଳରେ ବର୍ଷାର ଉଦ୍‌ବୃତ୍ତ ଜଳ ଧରି ରଖିବା ପାଇଁ କୌଣସି ସ୍ଥାନ ନାହିଁ। ଏଠାରେ ସାମାନ୍ୟ ବର୍ଷାରେ ଡ୍ରେନ ପାଣିର ବନ୍ୟା ହେଉଛି। ବର୍ତ୍ତମାନ ଖଣ୍ଡଗିରି, ପାତ୍ରପଡ଼ା, ଡୁମୁଡୁମା, ଆଇଗିଣିଆ ଅଞ୍ଚଳରେ ନୂତନ ନିର୍ମାଣ ହେଉଛି। ସହର ଏହିପଟକୁ ବଢୁଛି। ଏଠାରେ ଥିବା ଜଳାଶୟଗୁଡ଼ିକ ଏଭଳି ଜବରଦଖଲ କରାଗଲେ ଏଠାରେ ମଧ୍ୟ ସେହି ସମାନ ଅବସ୍ଥା ହେବ। ଏହି ସମସ୍ୟାକୁ ଉପଲବ୍ଧି କରି ବାରମ୍ବାର ଖୋର୍ଧା ଜିଲ୍ଲାପାଳ, ବିଏମ୍‌ସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରଶାସନ କେବେ ଏଥିପ୍ରତି ଦୃଷ୍ଟି ଦେବ ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର