ପୋଖରୀ ପାଣି ଉଛୁଳି ଘରେ ପଶୁଛି

ବାଲିଅନ୍ତା: ସ୍ଥାନୀୟ ସରକଣା ପଞ୍ଚାୟତ ରଣପୁର ଗାଁ ମଝିରେ ଥିବା ପଞ୍ଚାୟତ ପୋଖରୀ ଏବେ ବେହେରା ସାହି ଲୋକଙ୍କ ପାଇଁ ବଡ଼ ସମସ୍ୟାର କାରଣ ହୋଇଛି। ଲଗାଣ ବର୍ଷାରେ ପୋଖରୀ ପୂର୍ଣ୍ଣ ହୋଇଯିବା ପରେ ପାଣି ଉଛୁଳି ବେହେରାସାହି ଲୋକଙ୍କ ଘରେ ପଶୁଛି। ଗତ ଦୁଇ ଦିନର ଲଗାଣ ବର୍ଷା ପରେ ଏହି ସାହିର ଲୋକେ ଜଳବନ୍ଦୀ ହୋଇ ରହିଥିଲେ।

ଏହି ସାହିଟି ପୋଖରୀ ବନ୍ଧ ପାଖରେ ଅବସ୍ଥିତ। ମାତ୍ର ବନ୍ଧ ଉଚ୍ଚତା ଅଧିକ ନଥିବାରୁ ପୋଖରୀର ଉଛୁଳା ପାଣି ଲୋକଙ୍କ ଘରକୁ ପଶି ଯାଉଛି। ପାଣି ସହ ସାପ, ବେଙ୍ଗ ଭଳି ବିଭିନ୍ନ ପ୍ରଜାତିର ସରୀସୃପମାନେ ଘରେ ପଶି ଯାଉଛନ୍ତି। ଫଳରେ ବହୁ ସମୟରେ ଲୋକେ ଘର ଛାଡ଼ି ପଦାରେ ରହିବାକୁ ବାଧ୍ୟ ହେଉଛନ୍ତି। ପଞ୍ଚାୟତ ପକ୍ଷରୁ ଡ୍ରେନ୍‌ ନିର୍ମାଣ କରିବାକୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଲୋକେ କ୍ଷୋଭର ସହ କହିଛନ୍ତି। ସରପଞ୍ଚ ସୂର୍ଯ୍ୟନାରାୟଣ ଦାସ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଛି ବୋଲି ସାହି ଲୋକେ କହିଛନ୍ତି। ପୋଖରୀରୁ ଦଳ ସଫେଇ ଓ ପଙ୍କୋଦ୍ଧାର କରି ମାଛ ଚାଷ କରିବା ଲାଗି ମହିଳା ମଞ୍ଚକୁ ସରପଞ୍ଚ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। ପୋଖରୀର ଉଭୟ ପାର୍ଶ୍ବରେ କଂକ୍ରିଟ ୱାଲ୍‌ ନିର୍ମାଣ କରିବା ସହ ଡ୍ରେନ୍‌ ନିର୍ମାଣ କରିବା ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ସେ କିଛି ଶୁଣୁନାହାନ୍ତି। ଫଳରେ ପୋଖରୀରୁ ମାଛ ଯାଆଁଳ ଉଛୁଳା ପାଣିରେ ବାହାରକୁ ଚାଲି ଯାଉଛନ୍ତି ବୋଲି ମହିଳା ମଞ୍ଚ ଅଭିଯୋଗ କରିଛି। ତେଣୁ ସେମାନେ ନିଲାମ ନେଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର