ଭୁବନେଶ୍ବର: ଓଁକାରର ପ୍ରଣବ ଧ୍ବନି, ଚଣ୍ଡୀପାଠ ଓ ବୈଦିକମନ୍ତ୍ରର ପବିତ୍ର ଉଚ୍ଚାରଣ ଗଗନପବନରେ ସକରାତ୍ମକତା ଭରିଦେଇଛି। ଘଣ୍ଟଘଣ୍ଟା, ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇଛି। ସହରର ପ୍ରତି ଛକ, ବଜାର ମା’ଙ୍କ ଆସ୍ଥାନ ପାଲଟିଛି। ଶରତର କୋମଳ ପରଶରେ ଧରାବତରଣ କରିଛନ୍ତି ମା’ ଦୁର୍ଗତିନାଶିନୀ। ଭକ୍ତମାନେ ଆହ୍ଲାଦିନୀ ଶକ୍ତିରେ ଆକର୍ଷିତ ହୋଇ ମା’ଙ୍କ ପାଖକୁ ଟାଣି ହୋଇଯାଉଛନ୍ତି। କାରଣ ପୁଣି ବର୍ଷେ ପରେ ପାପୀଙ୍କୁ ବିନାଶ, ସନ୍ଥଙ୍କ ଉଦ୍ଧାର ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଜଗଜ୍ଜନନୀ। ମା’ଙ୍କ ଆଗମନରେ ଉଲ୍ଲସିତ ହୋଇ ଆକାଶରେ ମେଘଖଣ୍ଡ ବି ମଝିରେ ମଝିରେ ବର୍ଷି ମା’ଙ୍କୁ ସ୍ବାଗତ ଜଣାଉଛନ୍ତି। ଲଘୁଚାପର ପ୍ରକୋପ ଥମିବା ପରେ, ରାଜଧାନୀରେ ଧୁମ୍ଧାମ୍ରେ ମହାମାୟାଙ୍କୁ ଆବାହନ କରାଯାଇଛି।
ତେଣୁ ସବୁଠି ଭକ୍ତି ଓ ଉତ୍ସବର ମାହୋଲ। ସହରରେ ବିଭିନ୍ନ ପୂଜାମଣ୍ଡପର ଆଖିଖୋସା ସାଜସଜ୍ଜା ସାଙ୍ଗକୁ ଆଲୋକର ରଙ୍ଗିନ ଝଲକ ପୂଜା ବଜାରକୁ ଅଧିକ ଜୀବନ୍ତ କରିଦେଉଛି। ମା’ଙ୍କ ସହ ପ୍ରତ୍ୟକ୍ଷ ହେବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାସପ୍ତମୀରେ ଭକ୍ତଙ୍କ ଗହଳିଚହଳି ଲାଗି ରହିଥିଲା। ଇତିମଧ୍ୟରେ ଚକ୍ଷୁଦାନ ସହ ମା’ଙ୍କ ସପ୍ତମୀ ପୂଜା ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମା’ଙ୍କ ଆଶୀର୍ବାଦ ଲଭିବା ପାଇଁ ଆଜି ରାଜଧାନୀର ସବୁ ପୂଜାମଣ୍ଡପରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶେଷ କରି ସହିଦନଗର, ରସୁଲଗଡ଼, ବରମୁଣ୍ଡା ଖେଳପଡ଼ିଆ, ନୂଆପଲ୍ଲୀ, ଗୋସାଗରେଶ୍ବର ଛକ, ଜନପଥ ଗିରିଦୁର୍ଗା ମନ୍ଦିର, ବଢ଼େଇବାଙ୍କ ଛକ, ବରମୁଣ୍ଡା ଗାଁ, ଡମଣା, ହାଟସାହି ଛକ, ଶିଶୁପାଳଗଡ଼ ଛକ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, ନୀଳାଦ୍ରିବିହାର, ଡିଷ୍ଟ୍ରିକ୍ଟ ସେଣ୍ଟର୍, ପଳାଶୁଣି, ପଟିଆ ଆଦି ସ୍ଥାନରେ ମା’ଙ୍କୁ ଆରାଧନା ଚାଲିଛି। ବିଭିନ୍ନ ପୂଜାମଣ୍ଡପରେ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଉଥିବା ପରିଲକ୍ଷିତ ହେଉଛି। ପୁଲିସ ଓ ପୂଜା କମିଟିଗୁଡ଼ିକ ପକ୍ଷରୁ ସତର୍କତା ସହିତ କାର୍ଯ୍ୟ କରାଯାଉଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଚାଲିଛି। ମଣ୍ଡପ ଆଗରେ ମୀନାବଜାର, ବିଭିନ୍ନ ଦୋଳି, ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଓ ଖାଦ୍ୟ ଷ୍ଟଲ୍ ଭ୍ରମଣକାରୀଙ୍କ ଆକର୍ଷଣରେ ରହିଛି।
ଆକର୍ଷଣୀୟ ତୋରଣ ସାଙ୍ଗକୁ ପୂଜାମଣ୍ଡପଗୁଡ଼ିକ ଝଲମଲ ଦେଖାଯାଉଛି। ବର୍ଷା ଯୋଗୁ ପୂଜା ଫିକା ପଡ଼ିବ ବୋଲି ଭକ୍ତମାନେ ଭାବିଥିବା ବେଳେ ମେଘୁଆ ଓ ଖରାଟିଆ ପାଗ ଭକ୍ତଙ୍କ ମନରେ ବେଶ୍ ଉତ୍ସୁକତା ଭରିଦେଇଛି। ପୁଣି ମନ ଭିତରର ବହୁ ଅକୁହା ବେଦନା ମା’ଙ୍କ ଆଗରେ ବଖାଣିବାକୁ ଭକ୍ତମାନେ ବ୍ୟାକୁଳ ହୋଇପଡ଼ିଛନ୍ତି। ମଙ୍ଗଳବାର ମହାଷ୍ଟମୀରେ ପ୍ରବଳ ଗହଳି ହେବା ସମ୍ଭାବନା ରହିଛି। ପୁଲିସ ଓ ପୂଜା କମିଟିଗୁଡ଼ିକ ପକ୍ଷରୁ ଗହଳିରେ ନିଜକୁ ସୁରକ୍ଷିତ ଓ ସତର୍କ କରିବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପୂରା ସହରକୁ ୬୧ ପ୍ଲାଟୁନ୍ ପୁଲସ ଜଗି ରହିଥିବା ବେଳେ କୌଣସି ବ୍ୟତିକ୍ରମ ପାଇଁ ବୋମା ନିଷ୍କିୟକାରୀ ଦଳ ବି ନିୟୋଜିତ ହୋଇଛନ୍ତି। ଏଥିସହ ସାରା ସହରକୁ ସିସିଟିଭି ନଜରରେ ରଖାଯାଇଛି।