ଭୁବନେଶ୍ବର: ନବନିର୍ବାଚିତ ଜନପ୍ରତିନିଧିମାନେ ବିଏମ୍ସିରେ କାର୍ଯ୍ୟଭାର ଗ୍ରହଣ କରି ସାରିଛନ୍ତି। ରବିବାର ଛୁଟି ପରେ ଆସନ୍ତାକାଲିଠାରୁ ସେମାନେ ବିଧିବଦ୍ଧ ଭାବରେ କାମ ଆରମ୍ଭ କରିବାକୁ ଯାଉଛନ୍ତି। ନିର୍ବାଚିତ ଜନପ୍ରତିନିଧି ନ ଥିବାରୁ ବିଭାଗର ମୁଖିଆ କର୍ମଚାରୀ ଓ ଅଫିସର୍ମାନେ ଥିଲେ। ଏଣୁ ମନଇଚ୍ଛା କାମ କରୁଥିଲେ। ଏବେ ପ୍ରତିନିଧିମାନଙ୍କୁ ନେଇ ବିଭିନ୍ନ ବିଭାଗର ୯ଟି ଷ୍ଟାଣ୍ଡିଂ କମିଟି ଗଠନ ହେବ। ଏହାକୁ ନେଇ ବିଏମ୍ସିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସବୁ କମିଟିରେ ରହିବା ପାଇଁ ଏବେ ଲବି ଆରମ୍ଭ ହୋଇଛି। ଯେଉଁମାନେ ଡେପୁଟି ମେୟର ପଦ ପାଇଁ ଆଶାୟୀ ଥିଲେ, ସେ ପଦ ତ’ ଗଲା, ସେମାନେ ଏବେ ଏହି କମିଟି ମଧ୍ୟରୁ ମୁଖ୍ୟ ୪ଟିରେ ମୁଖିଆ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ୪ଟି ମୁଖ୍ୟ କମିଟିରେ ବରିଷ୍ଠ ଓ ଅଭିଜ୍ଞ କର୍ପୋରେଟର୍ଙ୍କୁ ମୁଖିଆ କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ହୋଇଛି।
ବିଏମ୍ସିରେ ରହିଥିବା ବିଭିନ୍ନ ବିଭାଗକୁ ୯ଟି ପ୍ରମୁଖ ବିଭାଗରେ ବିଭକ୍ତ କରାଯାଇଛି। ଏଥିରେ ୪ଟି ପ୍ରମୁଖ ରହିଛି। ଟ୍ୟାକ୍ସ, ଫାଇନାନ୍ସ ଓ ଆକାଉଣ୍ଟସ୍କୁ ନେଇ ଗୋଟିଏ କମିଟି ହୋଇଥିବା ବେଳେ ଜନସ୍ବାସ୍ଥ୍ୟ କମିଟିରେ ବିଦ୍ୟୁତ୍, ପାନୀୟ ଜଳ, ଡ୍ରେନେଜ୍ ଓ ପରିବେଶ ରହିଛି। ସେହିଭଳି ଅନ୍ୟତମ ପ୍ରମୁଖ ଦୁଇଟି କମିଟି ହେଉଛି ନିର୍ମାଣ ଏବଂ ପ୍ଲାନିଂ ଓ ଆକାଉଣ୍ଟ୍ସ୍। ଏହାକୁ ଛାଡ଼ିଦେଲେ ଶିକ୍ଷା, ଚିତ୍ତବିନୋଦନ ଓ ସଂସ୍କୃତି, ଲାଇସେନ୍ସ୍ ଓ ଅପିଲ୍ସ୍, କଣ୍ଟ୍ରାକ୍ଟ୍ସ୍, କର୍ପୋରେସନ ଏଷ୍ଟାବ୍ଲିସ୍ମେଣ୍ଟ ଏବଂ ଅଭିଯୋଗ ଓ ସାମାଜିକ ନ୍ୟାୟ।
ଏଭଳି ୯ଟି କମିଟି ଗଠନ କରାଯିବ। କଣ୍ଟ୍ରାକ୍ଟ୍ସ୍ କମିଟିରେ ମେୟର ମୁଖ୍ୟ ରହିବେ। ଅନ୍ୟ କମିଟିରେ କର୍ପୋରେଟରମାନେ ରହିବେ। ପ୍ରତି କମିଟିରେ ୭ ଜଣ ଲେଖାଏଁ ସଦସ୍ୟ ରହିବେ। ଏଥିରେ କର୍ପୋରେଟରଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ମଧ୍ୟ ସଦସ୍ୟ ଭାବରେ ରହିବେ। ନିର୍ଦ୍ଧାରିତ ସମୟରେ କମିଟି ବୈଠକ ବସିବ। ବୈଠକରେ ସମ୍ପୃକ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ କାର୍ଯର ସମୀକ୍ଷା ହେବ। କମିଟି ସୁପାରିସ ବିନା କୌଣସି କାମ ହେବ ନାହିଁ।
ଏହି କମିଟିକୁ ନେଇ ଏବେ ଅଙ୍କ କଷା ଚାଲିଛି। ବିଶେଷକରି ପ୍ରମୁଖ ୪ଟି କମିଟି ଉପରେ ସମସ୍ତଙ୍କର ନଜର ରହିଛି। ନିର୍ମାଣ ଅଧୀନରେ ସାରା ସହରର ରାସ୍ତାଘାଟଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ନିର୍ମାଣ ରହିଛି। ଟ୍ୟାକ୍ସ କମିଟିରେ ସମସ୍ତ ରାଜସ୍ବ କାରବାର ସହ ଅର୍ଥ ପରିଚାଳନା ବ୍ୟବସ୍ଥା ରହିଛି। ଜନସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିଛି। ଏଥିରେ ବିଦ୍ୟୁତ୍ଠାରୁ ଆରମ୍ଭ କରି ପରିମଳ, ପାନୀୟ ଜଳ ଓ ଡ୍ରେନେଜ୍ ରହିଛି। ଏ ସବୁରେ ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଯୋଡ଼ି ହୋଇ ରହିଛି। ଏହି ସବୁ ମୁଖ୍ୟ କମିଟିରେ କେବଳ ନିଜ ୱାର୍ଡ ନୁହେଁ, ବରଂ ସମଗ୍ର ଭୁବନେଶ୍ବରର ଲୋକଙ୍କ ସହ ରହିବାର ସୁଯୋଗ ମିଳିବ। ଏଣୁ ବରିଷ୍ଠ କର୍ପୋରେଟରମାନେ ଏହି ସବୁ କମିଟିକୁ ଆଖି ପକାଇଛନ୍ତି।
ଅନ୍ୟପଟେ ତିନିବର୍ଷ ଧରି ଅଧିକାରୀ ଓ କର୍ମଚାରୀ ଏହି ସବୁ ବିଭାଗକୁ ସିଧାସଳଖ ପରିଚାଳନା କରୁଥିଲେ। ଅଧିକାରୀଙ୍କ ଦସ୍ତଖତରେ ସମସ୍ତ କାମ ଚାଲିଥିଲା। ଏବେ କମିଟି ବା ଦାୟିତ୍ବରେ ଥିବା କେର୍ପାରେଟରମାନଙ୍କ ସ୍ବୀକୃତି ବିନା କାମ ହୋଇପାରିବ ନାହିଁ। ତିନି ବର୍ଷରେ ହୋଇଥିବା କାମରେ ହୋଇଥିବା ଅନିୟମିତତାକୁ କମିଟି ଖୋଜିବା ଆଶଙ୍କା ରହିଛି। ଏଣୁ ଏହି ସବୁ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଛାନିଆ ହୋଇଛନ୍ତି। ପୂର୍ବରୁ ବିରୋଧୀଙ୍କ ସଂଖ୍ୟା କମ୍ ଥିବାରୁ ଅନିୟମିତତା ଧରିବା ଆଶଙ୍କା କମ୍ ରହୁଥିଲା। କିନ୍ତୁ ଏଥର ବିଜେପି କର୍ପୋରେଟରଙ୍କ ସଂଖ୍ୟା ଅଧିକ ରହିଛି। ଏଣୁ କର୍ମଚାରୀ ବା ଅଧିକାରୀଙ୍କ ଦୁର୍ନୀତି ପଦାକୁ ଆସିବା ଆଶଙ୍କା ରହିଛି। ତେବେ ଏମାନେ ପକେଟ୍ ଗରମ କରିବାକୁ ଯାଇ ଅଧିକାରୀଙ୍କ ଦୁର୍ନୀତିକୁ ଚାପି ଦେଉଛନ୍ତି ନା ପଦାରେ ପକାଉଛନ୍ତି, ତାହା ଦେଖିବା ବାକି ରହିଲା।