ନିର୍ଭୟା ଡାକ ଟିକେଟ୍‌ ପ୍ରଚଳନ ପାଇଁ ପ୍ରସ୍ତାବ, ଚିଠି ଲେଖିଲେ ଡାକ ଟିକେଟ୍ ସଂଗ୍ରାହକ

ଭୁବନେଶ୍ବର: ଦୁଷ୍କର୍ମ ବିରୋଧରେ ସଚେତନତା ସୃଷ୍ଟି ନେଇ ଡାକ ଟିକେଟ୍‌ ପ୍ରଚଳନ ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ଡାକ ଟିକେଟ୍‌ ସଂଗ୍ରାହକ ଓ ଗବେଷକ ଅନିଲ୍‌ ଧୀର୍‌। ପୋଷ୍ଟାଲ୍‌ ସପ୍ତାହ ପାଳନ ଅବସରରେ ସେ ଶ୍ରୀ ଧୀର୍‌ କହିଛନ୍ତି, ସାମାଜିକ ସଚେତନତା ଓ ସାଧାରଣ ଜନତାଙ୍କୁ ଶିକ୍ଷା ଦେବା ନିମନ୍ତେ ଡାକ ଟିକେଟ୍‌ ହେଉଛି ସରକାରୀ ସୂତ୍ରରୁ ଏକ ମାଧ୍ୟମ। ପୂର୍ବରୁ ମଧ୍ୟ ସ୍ବଚ୍ଛ ଭାରତ, ନେତ୍ର ଦାନ, ପରିବେଶ, ନାରୀ ସ୍ବାଧୀନତା, ଶିଶୁ ଯତ୍ନ ଓ ପ୍ରତିରକ୍ଷାକୁ ନେଇ ଭାରତୀୟ ଡାକ ପକ୍ଷରୁ ଡାକ ଟିକେଟ୍‌, ସ୍ବତନ୍ତ୍ର କଭର, ସ୍ଲୋଗାନ କ୍ୟାନ୍ସଲେସନ ଆଦି ପ୍ରସ୍ତୁତ ହୋଇଛି। ତେଣୁ ‘ନିର୍ଭୟା ଡାକ ଟିକେଟ୍‌’ର ପ୍ରଚଳନ କରାଯାଇ ସଚେତନତା ସୃଷ୍ଟି କରାଯାଇପାରିବ ବୋଲି ସେ କହିଛନ୍ତି।

ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହା ଏକ ଗମ୍ଭୀର ସମସ୍ୟା ପାଲଟିଛି। ନୂଆ ଆଇନ୍‌ ବଳରେ କଠୋର ଦଣ୍ଡ ବିଧାନ ସ୍ବରୂପ ମୃତ୍ୟୁ ଦଣ୍ଡ ଦିଆଯାଉଛି। ମାତ୍ର ଦୁଷ୍କର୍ମ ହ୍ରାସ ପାଉନାହିଁ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ସଦ୍ୟ ତଥ୍ୟ ମୁତାବକ, ୧୦ଟିରୁ ମାତ୍ର ୨ଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ଫଳରେ ଦୁଷ୍କର୍ମର ସାମାଜିକ ଦିଗକୁ ଅଣଦେଖା କରାଯାଇପାରିବ ନାହିଁ। ସଚେତନତା ଓ ଶିକ୍ଷା ହିଁ ଏହି କଳୁଷିତ ଦିଗରେ ରୋକ୍‌ ଲଗାଇ ପାରିବ ବୋଲି ଶ୍ରୀ ଧୀର୍‌ କହିଛନ୍ତି। ତେଣୁ ଦୁଷ୍କର୍ମ ବିରୋଧରେ ସଚେତନତା ସଂକ୍ରାନ୍ତ ଏକ ସ୍ମାରକ ଡାକ ଟିକେଟ୍‌ ଚଳିତ ବର୍ଷ ଜାରି କରିବା ପାଇଁ ସେ ଚିଠିରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସ୍ବାଧୀନତାଠାରୁ ଭାରତୀୟ ଡାକ ପକ୍ଷରୁ ଶିଶୁ ଓ ମହିଳାମାନଙ୍କୁ ଡାକ ଟିକେଟ୍‌ରେ ପ୍ରତିନିଧିତ୍ବ ଦିଆଯାଇଛି। ତେଣୁ ଅନ୍ତତଃ ଭାରତୀୟ ଡାକ ପକ୍ଷରୁ ଜାରି ହେଉଥିବା ପାସ୍‌ବୁକ୍‌, ଷ୍ଟେସନାରି ଓ ପୋଷ୍ଟାଲ୍‌ ଜିନିଷ ଉପରେ ଦୁଷ୍କର୍ମ ବିରୋଧୀ ସ୍ଲୋଗାନମାନ ଲେଖି ପ୍ରଚାର କରାଯାଇପାରିବ ବୋଲି ସେ କହିଛନ୍ତି।

ଶ୍ରୀ ଧୀର୍‌ କହିଛନ୍ତି, ସ୍ଲୋଭେନିଆ ପକ୍ଷରୁ ଜାରି ହୋଇଥିବା ଦୁଇଟି ଡାକ ଟିକେଟ୍‌ ଦୁଷ୍କର୍ମ ସଂକ୍ରାନ୍ତ ରହିଛି। ୧୯୪୩ ମସିହାରେ ନାଜି ଅବସ୍ଥିତି ସମୟରେ ତେହାର୍‌ଜେ କନ୍ସେଣ୍ଟ୍ରେସନ୍‌ କ୍ୟାମ୍ପ୍‌ରେ ଦୁଷ୍କର୍ମର ଶିକାର ହୋଇଥିବା ସହସ୍ରାଧିକ ମହିଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ସେଇ ଦୁଇଟି ଡାକ ଟିକେଟ୍‌ର ପ୍ରଚଳନ କରାଯାଇଛି। ଭାରତୀୟ ଡାକ ମଧ୍ୟ ଏ ସମ୍ବନ୍ଧୀୟ ଡାକ ଟିକେଟ୍‌ ପ୍ରଚଳନ କରି ଉଦାହରଣ ରଚି ପାରିବ ବୋଲି ସେ କହିଛନ୍ତି। ରାଜ୍ୟର ଅନ୍ୟତମ ଡାକ ଟିକେଟ୍‌ ସଂଗ୍ରାହକ କାଶୀନାଥ ସାହୁ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଦୁଷ୍କର୍ମ ବିରୋଧରେ ସଚେତନତା ସମ୍ପର୍କରେ ସ୍ମାରକ ଡାକ ଟିକେଟ୍‌ ପ୍ରଚଳନ ସହ ବିଶିଷ୍ଟ ବ୍ୟକ୍ତି ଓ ବହୁ ଗୁରୁତ୍ବପୂର୍ଣ୍ଣ ସାମାଜିକ ସମସ୍ୟାକୁ ନେଇ ବିଭାଗ ଡାକ ଟିକେଟ୍‌ ପ୍ରଚଳନ କରିବା ଉପ‌ରେ ଗୁରୁତ୍ବାରୋପ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର