ଭୁବନେଶ୍ବର: ମୋବାଇଲ୍ ଯୁଗରେ ଡାକଘରର ଚିଠି ଦେଣନେଣ ଫିକା ପଡ଼ିଛି। ମାତ୍ର ଦିନ ଥିଲା, ଡାକଘର କୌଣସି ଗାଁ’ର ଲ୍ୟାଣ୍ଡ୍ ମାର୍କ ପାଲଟିଥିଲା। ଡାକ ଘର ହିଁ ଥିଲା ଦୂର ସମ୍ପର୍କୀୟଙ୍କୁ ଯୋଡ଼ିବାର ଏକମାତ୍ର ବିକଳ୍ପ। ନିକଟରେ ଡାକ ଦିବସ ଯାଇଥିବା ବେଳେ ଡାକଘରର ମହତ୍ତ୍ବକୁ ମନେ ପକେଇବାକୁ ଆମ ଖୋଜି ପାଇଥିଲୁ ଏକ ସତ କାହାଣୀ। ଛାତ୍ରଛାତ୍ରୀଙ୍କ ନିକଟରେ ଇଂରାଜୀ ବ୍ୟାକରଣ ଜ୍ଞାନ ପହଞ୍ଚାଇବାକୁ ଯେ ଦିନେ ଏକ ଡାକଘର ଖୋଲିଥିଲା ତାହା ଅନେକ କଳ୍ପନା ମଧ୍ୟ କରିପାରିବେ ନାହିଁ। ଖାସ୍ ଏହିପରି ଏକ ଉଦ୍ଦେଶ୍ୟ ନେଇ ଅବିଭକ୍ତ କଟକର ‘ବରୀ କଳାମାଟିଆ ଶାଖା ଡାକାଘର’ର ପରିକଳ୍ପନା କରାଯାଇଥିଲା। ଯାହାଙ୍କ ପାଇଁ ଏପରି ଏକ ଡାକଘର ଜନ୍ମ ନେଇଥିଲା ସେ ହେଉଛନ୍ତି ସମ୍ପୃକ୍ତ ଗ୍ରାମର ୬୦ ଦଶକର ଇଂରାଜୀ ଶିକ୍ଷକ ସ୍ବର୍ଗତ କୃପାସିନ୍ଧୁ ମହାନ୍ତି।
କୃପାସିନ୍ଧୁଙ୍କଙ୍କ ବାପା ବରୀରେ ଊର୍ଦ୍ଦୁ ସ୍କୁଲ୍ରେ ପାଠ ପଢ଼ିଥିଲେ ହେଁ ସେ ବାରିପଦା ଯାଇ ମୟୂରଭଂଜ ମହାରାଜାଙ୍କ ନିକଟରେ ନିୟୋଜିତ ହୋଇଥିଲେ। କୃପାସିନ୍ଧୁ ବାରିପଦାରେ ୧୯୪୭ ମସିହାରେ ମାଟ୍ରିକ୍ ପାସ୍ ପରେ ତାଙ୍କ ବାପା ଗାଁ’କୁ ଚାଲି ଆସିଥିଲେ। କୃପାସିନ୍ଧୁଙ୍କୁ କଲେଜ୍ ପଢ଼ାଇ ପାରିନଥିଲେ। ମାତ୍ର କୃପାସିନ୍ଧୁ ଗାଁ’ ସ୍କୁଲ୍ରେ ଇଂରାଜୀ ଶିକ୍ଷକ ଚାକିରି ପାଇଯାଇଥିଲେ। ସେତେବେଳେ ଦରମା ବହୁତ କମ୍। ଅଧିକାଂଶ ଶିକ୍ଷକ ବହୁତ କଡ଼ା ମିଜାଜର ଥିଲେ ହେଁ କୃପା ସାର୍ ନିଜର ଶାନ୍ତ ସ୍ବଭାବ ପାଇଁ ଛାତ୍ରଛାତ୍ରୀଙ୍କର ପ୍ରିୟ ଥିଲେ। ଇଂରାଜୀ ବ୍ୟାକରଣ ଆୟତ୍ତ କରିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ଥିଲା। ଦୁର୍ଭାଗ୍ୟକୁ ତାଙ୍କର ଅଧିକାଂଶ ଛାତ୍ରଛାତ୍ରୀ ଅସଫଳ ହେଲେ। ଯେବେ ସ୍କୁଲ୍ ଇନ୍ସପେକ୍ଟର ସ୍କୁଲ୍ ଭ୍ରମଣ କରି ତାଙ୍କ ଛାତ୍ରଛାତ୍ରୀମାନଙ୍କୁ କିଛି ପ୍ରଶ୍ନ ପଚାରିଲେ ସେମାନେ ଉତ୍ତର ଦେଇପାରିଲେ ନାହିଁ। ତେଣୁ କୃପା ସାର୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସରଳ ଭାଷାରେ ଇଂରାଜୀ ଜ୍ଞାନ ଆହରଣ ଓ ବ୍ୟାକରଣ ବହି ଲେଖିଲେ।
ଗବେଷକ ଅନିଲ୍ ଧୀର୍ଙ୍କ କହିବା ମୁତାବକ, ବହି ଛପାଇବା ପାଇଁ କୃପା ସାର୍ ନିଜର ୫ ଏକର ଜମି ବିକ୍ରି କରି ଦେଇଥିଲେ। ଏହି ଅର୍ଥରେ ‘ଦି କମନ ନଲେଜ୍ ଇନ୍ ଇଂଲିସ୍’ ଶୀର୍ଷକ ବହିଟିଏ ୧୯୬୦ରେ ପ୍ରକାଶ କଲେ। ଚାହୁଁଚାହୁଁ ଏହି ବହିର ଖ୍ୟାତି ବଢ଼ିଗଲା। ଏହି ବହିକୁ ସେ ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ସମ୍ବାଦପତ୍ରରେ ବିଜ୍ଞାପନ ଦେଲେ। ଏତେ ଅର୍ଡର ଆସିଲା ଯେ ସେ ଘରଠୁ ଦେଢ଼ କିଲୋମିଟର ଯାଇ ବରୀ ମୁଖ୍ୟ ଡାକଘରୁୁ ଆଉ ବହି ପାର୍ସଲ କରି ପଠାଇବା ସମ୍ଭବ ହେଲାନାହିଁ। ସ୍ଥିତି ଏପରି ହେଲା ଯେ ପ୍ରତି ମାସରେ ୨୫ଶହ ବହି ସମଗ୍ର ରାଜ୍ୟକୁ ପଠାଇବାକୁ ଅର୍ଡର ଆସିଲା। ତେଣୁ ଦିନେଦିନେ ଶଗଡ଼ରେ ବହି ବନ୍ଧା ହୋଇ ବରୀ ଡାକଘର ପର୍ଯ୍ୟନ୍ତ ଯାଉଥିଲା। ଏଭଳି ଚାହିଦା ଦେଖି ତତ୍କାଳୀନ ପୋଷ୍ଟ୍ ମାଷ୍ଟର କୃପାସିନ୍ଧୁଙ୍କ ଘର ନିକଟରେ ‘ବରୀ କଳାମାଟିଆ ଶାଖା ଡାକଘର’ ପ୍ରତିଷ୍ଠା କଲେ। ସେବେଠୁ ଏହି ଡାକଘରୁ ୧୯୯୬-୯୭ ମସିହା ପର୍ଯ୍ୟନ୍ତ ବହି ପଠାଯାଉଥିଲା ବୋଲି ସମ୍ପୃକ୍ତ ଗ୍ରାମର ବାସିନ୍ଦା ତଥା ଖବରକାଗଜ ସଂଗ୍ରାହକ ଶଶାଙ୍କ ଦାସ କହିଛନ୍ତି। ଏବେ ବି ସେହି ଡାକଘର କୃପା ସାର୍ ଇଂରାଜୀ ପଢ଼ାଉଥିବା ସ୍କୁଲ୍ର ଏକ ଘରେ ମହଜୁଦ ଅଛି। ଦିନ ଥିଲା ଏହି ଡାକଘର ଇଂରାଜୀ ବ୍ୟାକରଣ ଡାକଘର ନାଁ’ରେ ପରିଚିତ ଥିଲା। ଏବେ କୃପା ସାର୍ ନାହାନ୍ତି। ମାତ୍ର ସେହି ଡାକଘର ଏକ ସ୍ମୃତିର ଗନ୍ତାଘର ହୋଇ ରହିଛି।