ଅମ୍ଫାନ୍ ନାଁରେ ଆଳୁ ୨୫ ଡେଇଁଲା, ଲୋକେ ବି ବସ୍ତା ବସ୍ତା ବୋହିନେ‌ଲେ

ଖଣ୍ଡଗିରି: ସାମୁଦ୍ରିକ ବାତ୍ୟା ଅମ୍ଫାନ୍ କେଉଁଠି ଲ୍ୟାଣ୍ଡଫଲ୍‌ କରିବ ଏ ପର୍ଯ୍ୟନ୍ତ ତା’ର ସଠିକ୍ ଆକଳନ ହୋଇପାରିନି। ଓଡ଼ିଶାକୁ ବାତ୍ୟା ଭୟ ନାହିଁ ବୋଲି ମଧ୍ୟ ପୂର୍ବାନୁମାନ ହୋଇଥିବା ଖବର ପ୍ରକାଶ ପାଇଛି। କିନ୍ତୁ ଏସବୁ ସତ୍ତ୍ବେ ସମ୍ଭାବ୍ୟ ବାତ୍ୟାର ଆଶଙ୍କାରେ ଆଳୁ ଦର ୨୫ ଟଙ୍କା ଡେଇଁଗଲା। ଗତକାଲି ରାଜଧାନୀରେ କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିଲା ବେ‌ଳେ ରବିବାର ସକାଳୁ ହଠାତ୍ ୨୫ ଟଙ୍କାରେ ପହଞ୍ଚି ଯାଇଥିଲା। ଲୋକେ ବି ଘରକୁ ବସ୍ତା ବସ୍ତା ବୋହିନେଇ ସାଇତି ଦେଲେ। ଜନଗହଳି ଦେଖି ଗୋଦାମ ମାଲିକମାନେ ଦର ବୃଦ୍ଧି କରି ଫାଇଦା ଉଠାଇଲେ।

ଗତକାଲି ସନ୍ଧ୍ୟା ସୁଦ୍ଧା କୁ‌ବେରପୁରୀ ଗୋଦାମରେ ଭଲ ମାନର ଆଳୁ କ୍ବିଣ୍ଟାଲ୍‌ ପିଛା ୧୬୪୦ ଟଙ୍କା ଥିଲା। ଆଜି ସକାଳ ୯ଟା ପର୍ଯ୍ୟନ୍ତ ସେହି ଦରରେ କାରବାର ଚାଲିଥିଲା। କିନ୍ତୁ ହଠାତ୍ ୧୦ଟା ବେଳକୁ ଗୋଦାମରେ ଭିଡ଼ ପରିଲକ୍ଷିତ ହେଲା। ବେପାରୀଙ୍କ ଛଡ଼ା ଘରୋଇ ଲୋକେ ବାଇକ୍‌ ଧରି ବସ୍ତା ବସ୍ତା ଆଳୁ ବୋହିବାରେ ଲାଗିଲେ। ଅନୁରୂପ ଭାବେ ଖୁଚୁରା ବଜାରରେ ବି ଭିଡ଼ ହେଲା। ଲୋକେ ୫ କିଲୋ ୧୦ କିଲୋ କରି ଆଳୁ କିଣିଲେ। ମଉକା ଅପେକ୍ଷାରେ ଥିବା ଖୁଚୁରା ବେପାରୀମାନେ ଏହାର ଫ‌ାଇଦା ଉଠାଇ କିଲୋ ୨୫ଟଙ୍କା କରିଦେଲେ। ଲୋକେ ବି ପରବାୟ କଲେ ନାହିଁ। ଫଳରେ ଖୁଚୁରା ବଜାରରେ ଆଳୁ ଅଭାବ ପଡ଼ିଲା ଓ ସେମାନେ ବି ଗୋଦାମମୁହାଁ ହେଲେ। ଏମିତିରେ ସକାଳ ୧୦ଟା ବେଳକୁ ରାଜଧାନୀର ଆଳୁ ବଜାର ତାତି ଅସମ୍ଭବ ଭାବେ ବଢ଼ି ଯାଇଥିଲା। ତେଣୁ ଆପେ ଆପେ ପାଇକାରୀ ଦର କ୍ବିଣ୍ଟାଲ ପିଛା ୧୦୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଥିଲା। ଫଳରେ ଆଜି ସନ୍ଧ୍ୟା ବେଳକୁ କ୍ବିଣ୍ଟାଲ ପିଛା ୧୭୫୦/୧୮୫୦ ଟଙ୍କା ହୋଇଗଲା। ତେଣୁ ଆସନ୍ତାକାଲିକୁ ଖୁଚୁରା ବଜାରରେ ଆଳୁ କିଲୋ ୩୦ ଟଙ୍କାକୁ ଛୁଇଁଯିବ ବୋଲି ଆଶଙ୍କ‌ା କରାଯାଉଛି। କୁବେରପୁରୀ ତଥ୍ୟ ଅନୁସା‌‌ରେ, ବାତ୍ୟା ପାଇଁ ପଶ୍ଚିମବଙ୍ଗରୁ ଆଳୁ ଆମଦାନିରେ କୌଣସି ପ୍ରଭାବ ପଡ଼ିନାହିଁ। ପ୍ରତିଦିନ ଆବଶ୍ୟକତାରୁ ଅଧିକ ଆଳୁ ଆସୁଛି ଓ ଗୋଦାମରେ ମହଜୁଦ୍ ରହୁଛି। କିନ୍ତୁ ଖାଉଟିମାନେ ଆବଶ୍ୟକତାଠାରୁ ଅଧିକ କିଣି ଘରେ ମହଜୁଦ୍‌ ରଖୁଥିବାରୁ ଦରବୃଦ୍ଧି ହେଉଛି।

ସମ୍ବନ୍ଧିତ ଖବର