ସିପେଟ୍‌ରେ ହେବ ପିପିଇ କିଟ୍‌ର ପରୀକ୍ଷଣ, ଏନ୍‌ଏବିଏଲ୍‌ ସାର୍ଟିଫିକେସନ୍‌କୁ ଅପେକ୍ଷା

କଭରଅଲ୍‌, ଫେସ୍‌ ସିଲ୍‌ଡ ଓ ଗଗଲସ୍‌ର ହେବ ପରୀକ୍ଷା

ଭୁବନେଶ୍ବର: ରାଜଧାନୀସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଓ ଟେକ୍‌ନୋଲୋଜି ବା ସିପେଟ୍‌ରେ କରୋନା ମୁକାବିଲା ପାଇଁ ବ୍ୟବହୃତ ହେଉଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ କିଟ୍‌ର ପରୀକ୍ଷା ଓ ସାର୍ଟିଫିକେସନ୍‌। ଏଥିପାଇଁ ସଂସ୍ଥା ପକ୍ଷରୁ ଏନ୍‌ଏବିଏଲ୍‌ ସାର୍ଟିଫିକେଟ୍‌ ପାଇଁ ଆବେଦନ କରାଯାଇଛି। ଅନୁମୋଦନ ମିଳିବ ପରେ ସିପେଟ୍‌ ଏହାର ପରୀକ୍ଷଣ କରିପାରିବ। ତେବେ କେବେଠାରୁ ଏହା ପରୀକ୍ଷଣ ଆରମ୍ଭ କରିବ, ତାହା ସ୍ପଷ୍ଟ ହୋଇପାରିନାହିଁ। ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ପିପିଇ କିଟ୍ ଏକ ଅତ୍ୟାବଶ୍ୟକ ଉପକରଣ ପାଲଟିଛି। ଯଦିଓ ପୂର୍ବରୁ ଭାରତରେ ଏହାକୁ ପ୍ରସ୍ତୁତ କରାଯାଉ ନ ଥିଲା, ମାତ୍ର ଧୀରେ ଧୀରେ ଅନେକ ସଂସ୍ଥା ଏହାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଶେଷକରି ଅନେକ ଷ୍ଟାର୍ଟ ଅପ୍ ଏବେ ପିପିଇ କିଟ୍ ଉପରେ ନିବେଶ କରିବାକୁ ଆରମ୍ଭ କରିଛନ୍ତି। ପିପିଇ କିଟ୍‌ ପ୍ରସ୍ତୁତ ହେବା ପରେ ସିନ୍ଥେଟିକ୍ ରକ୍ତ ପ୍ରବେଶ ପ୍ରତିରୋଧ ପରୀକ୍ଷଣ ଅତ୍ୟନ୍ତ ଜରୁରୀ। ଏଥିରେ ପିପିଇ କିଟ୍‌କୁ ପରିଧାନ କରିଥିବା ବ୍ୟକ୍ତି କେତେ ସୁରକ୍ଷିତ, ତାହା ଜଣାପଡ଼ିଥାଏ। ଓଡ଼ିଶାରେ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ବାହାରୁ ଅନେକ କମ୍ପାନିମାନେ ପିପିଇ କିଟ୍‌ ଯୋଗାଉଛନ୍ତି। ମାତ୍ର ଓଡ଼ିଶାରେ ଏହାର ପରୀକ୍ଷଣ ପାଇଁ ସେଭଳି ପରୀକ୍ଷାଗାର ନ ଥିବାରୁ ସଂପୃକ୍ତ କମ୍ପାନିମାନଙ୍କ କିଟ୍‌ କେତେ ସୁରକ୍ଷିତ, ତାହା ଜାଣିବା ସମ୍ଭବ ହେଉନାହିଁ। ରାଜ୍ୟରେ ଅନେକ ଷ୍ଟାର୍ଟ ଅପ୍ ଏବେ କିଟ୍‌ର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେଣୁ ସେମାନଙ୍କ ଦ୍ବାରା ପ୍ରସ୍ତୁତ କିଟ୍‌ର ପରୀକ୍ଷଣ ପାଇଁ ପରୀକ୍ଷାଗାରର ଆବଶ୍ୟକତା ରହିଛି।

ଏହି ଆବଶ୍ୟକତାକୁ ପୂରଣ କରିବା ଲାଗି ସିପେଟ୍‌ ପକ୍ଷରୁ ପିପିଇ କିଟ୍‌ର ପରୀକ୍ଷଣ ପାଇଁ ଯୋଜନା ହୋଇଛି। ସିପେଟ୍‌ର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ସିପେଟ୍‌ ପୂର୍ବରୁ ସାଧାରଣ ପ୍ଲାଷ୍ଟିକ୍‌ର ପରୀକ୍ଷା କରିଆସୁଛି। କଭରଅଲ, ଫେସ୍ ସିଲ୍‌ଡ, ଗଗଲ୍‌ସର ପରୀକ୍ଷା ଏଠାରେ ହୋଇପାରିବ। ତେବେ କଭରଅଲ୍‌ ଟେଷ୍ଟ, ୱାଟର ଟାଇଟ ଟେଷ୍ଟ, ପିନ୍ ହୋଲ ଟେଷ୍ଟ ପାଇଁ ଯନ୍ତ୍ରପାତି ଜରୁରୀ। ସିପେଟ୍‌ର ପୂର୍ବରୁ ଅନେକ ଯନ୍ତ୍ରପାତି ରହିଛି ଓ ନିଜର ଟୁଲ ରୁମ୍‌ ରହିଥିବାରୁ କିଛି ଯନ୍ତ୍ରପାତିକୁ ନିର୍ମାଣ କରାଯାଇଥିଲା। ଫଳରେ ପିପିଇର ୭୦ ପ୍ରତିଶତ ପରୀକ୍ଷା ହୋଇପାରିବ। ସର୍ବଭାରୀତୟସ୍ତରରେ ମଧ୍ୟ ପିପିଇର ସମସ୍ତ ପରୀକ୍ଷା ହେଉନାହିଁ। ଗୋଟିଏ କମ୍ପାନି ମଧ୍ୟ ସମସ୍ତ ପରୀକ୍ଷା ଚାହିଁ ନ ଥାଏ। ତେଣୁ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ ଏହାର ସୁରକ୍ଷା ନିର୍ଭର କରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପିପିଇ କିଟ୍‌ର ପରୀକ୍ଷା ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି, ତହିଁରେ ମଧ୍ୟ ସମସ୍ତ ପ୍ରକାର ପରୀକ୍ଷା ସଂପର୍କରେ କିଛି ‌ଉଲ୍ଲେଖ ନାହିଁ। ଏବେ ଯେଉଁ ଷ୍ଟାର୍ଟ ଅପ୍ ଓ ଗବେଷଣା ସଂସ୍ଥାମାନେ ପିପିଇ କିଟ୍‌ର ଯେଉଁ ଉପକରଣ ପ୍ରସ୍ତୁତ କରୁଛନ୍ତି, ତାହାର କିଛି ଉତ୍ପାଦ ପରୀକ୍ଷା କରାଯାଉଛି। ତହିଁରେ ଏହା ଏନ୍‌ଏବିଏଲ୍‌ ସ୍ବୀକୃତିପ୍ରାପ୍ତ ନୁହେଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉଛି। ସିପେଟ୍‌ ପକ୍ଷରୁ ଏନ୍‌ଏବିଏଲ୍‌ ସ୍ବୀକୃତି ପାଇଁ ଆବେଦନ କରାଯାଇଛି। ଆସନ୍ତା ୧/୨ ସପ୍ତାହ ଭିତରେ ଏନ୍‌ଏବିଏଲ୍‌ ସ୍ବୀକୃତି ପାଇବା ପରେ ସିପେଟ୍‌ ପିପିଇ କିଟ୍‌ର ବ୍ୟବସାୟିକ ପରୀକ୍ଷା କରିପାରିବ ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର