ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତି ବନ୍ଦ ହୋଇଯାଇଛି। ଫଳରେ ପ୍ରଭୁଙ୍କୁ ପଇତାଲାଗି ହୋଇପାରିଲାନାହିଁ। ଆସନ୍ତାକାଲି ରକ୍ଷାବନ୍ଧନ ପର୍ବରେ ସାଧାରଣ ଲୋକେ ପଇତା ପିନ୍ଧିବେ, ଅଥଚ ପ୍ରଭୁ ଶ୍ରୀଲିଙ୍ଗରାଜ ପଇତା ପିନ୍ଧିପାରିଲେନି। ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ପ୍ରଭୁ ଲିଙ୍ଗରାଜଙ୍କ ଅନ୍ୟତମ ମୁଖ୍ୟ ନୀତି ବନ୍ଦ ହୋଇଯିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି।
ରାଖୀ ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ପ୍ରଥା ଓ ପରମ୍ପରା ଅନୁସାରେ ଶିବ ପବିତ୍ରାରୋପଣ ନୀତି ପାଳିତ ହୋଇଥାଏ। ବିଧି ଅନୁସାରେ ପ୍ରଭୁଙ୍କୁ ପଇତାଲାଗି କରାଯାଏ। କିନ୍ତୁ ଲିଙ୍ଗରାଜଙ୍କ ବଡ଼ୁ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦ ଏହି ବିଧି ପାଳନରେ ବାଧକ ସାଜିଛି। କେଉଁ ନିଯୋଗ କେତୋଟି ପଇତାଲାଗି କରିବ, ତାହାକୁ ନେଇ ବିବାଦ ଲାଗିଛି। ୨୦୨୦ ମସିହାରୁ ଏହି ବିବାଦର ସମାଧାନ ହୋଇପାରିନାହିଁ। ଏବେ ବି ଏହି ମାମଲା ଦେବୋତ୍ତର ବିଭାଗରେ ଗଡ଼ୁଛି। ୫ବର୍ଷ ହେଲା ସ୍ଥାୟୀ ସମାଧାନ ହୋଇପାରୁନାହିଁ। ତେଣୁ ଅସ୍ଥାୟୀ ସମାଧାନ କରିବାକୁ ଯାଇ ବିବାଦ ବଢ଼ାଇବା ଓ ଠାକୁରଙ୍କୁ ଭୋକ ଉପାସରେ ରଖିବାକୁ ମନ୍ଦିର ପ୍ରଶାସନ ଚାହିଲା ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ବହୁ ଆଲୋଚନା ପରେ ସମସ୍ତ ସଦସ୍ୟଙ୍କ ସହମତିରେ ଏହି ବିଧି ପାଳନକୁ ବନ୍ଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)