ଶୋଚନୀୟ ଅବସ୍ଥାରେ ପ୍ରେସ୍‌ କଲୋନି ରାସ୍ତା, ଧୂଳି ପରେ କନ୍ଦଉଛି ପଙ୍କ କାଦୁଅ

ଭୁବନେଶ୍ବର: ୮ ମାସ ହେଲା ଧୂଳି ସେମାନଙ୍କୁ ନାକରେ କନ୍ଦାଇଲା। ଏବେ ବର୍ଷାରେ ପଙ୍କ କାଦୁଅ କନ୍ଦେଇଲାଣି। ଖରା ଦିନେ ପ୍ରବଳ ଧୂଳି ଉଡ଼ି ଘରଦ୍ବାର ବୁଡ଼ାଇଲା, ଏବେ ପଙ୍କ କାଦୁଅ ପାଇଁ ଘରୁ ଗୋଡ଼ କାଢ଼ିବା କଷ୍ଟକର ହୋଇପଡ଼ୁଛି। ଏହା ହେଉଛି ୟୁନିଟ୍-୩ସ୍ଥିତ ପ୍ରେସ୍ କଲୋନି ଅଞ୍ଚଳବାସୀଙ୍କ କ୍ଷୋଭ। ଏହି ଅଞ୍ଚଳରେ ଚାଲିଥିବା ସ୍ବେରେଜ୍‌ ଲାଇନ୍‌ କାମ ବିଳମ୍ବିତ ହେଉଥିବାରୁ ଖୋଳା ହୋଇପଡ଼ିଥିବା ରାସ୍ତାର କଦର୍ଯ୍ୟ ଅବସ୍ଥା ପାଇଁ ଲୋକେ ଏଭଳି ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ,ଉତ୍କଳ ଦୃଷ୍ଟିହୀନ ସଂଘ ଅଫିସ ପାଖରୁ ରିକ୍ସା କଲୋନି ଓ ପ୍ରେସ୍ କଲୋନି ଦେଇ ୟୁନିଟ୍‌-୩ସ୍ଥିତ ଏସ୍‌ବିଆଇ ବ୍ୟାଙ୍କ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଏବେ ପୂରା ଶୋଚନୀୟ ଅବସ୍ଥାରେ। ଦୀର୍ଘ ବର୍ଷ ହେଲା ମରାମତି ହୋଇନଥିବାରୁ ଗତବର୍ଷଠାରୁ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିଲା। ଏହାପରେ ସ୍ବରେଜ୍‌ କାମ ପାଇଁ ଏହାକୁ ପୁଣି ଖୋଳି ଦିଆଗଲା। ମାତ୍ର ଠିକାଦାରଙ୍କ ମନମାନି ପାଇଁ କାମ ବିଳମ୍ବିତ ହେଲା। ବାରମ୍ବାର ଅଭିଯୋଗ କରିବା ପରେ ରାସ୍ତାରେ ବାଲି, ଡଷ୍ଟଗୁଣ୍ଡ, ଗୋଡ଼ି ଆଦି ଗଦା କରି ରଖାଗଲା। କିଛି କିଛି ସ୍ଥାନରେ ଡଷ୍ଟଗୁଣ୍ଡ ପକାଇ ଦିଆଗଲା।

ଖରାଦିନେ ଏହି ଡଷ୍ଟଗୁଣ୍ଡ ଉଡ଼ିବାରୁ ରାସ୍ତାରେ ଯିବାଆସିବା କରିବା ବଡ଼ ସମସ୍ୟା କରିଥିଲା। ଗାଡ଼ି ମଟର ଯିବା ଆସିବା କରିବା ସମୟରେ ପ୍ରବଳ ଡଷ୍ଟଗୁଣ୍ଡ ଉଡ଼ି ପାଖ କଲୋନିବାସୀଙ୍କୁ ବେଶ୍ ହନ୍ତସନ୍ତ କଲା। ଏବେ ବର୍ଷା ଦାଉ ସାଧିଲାଣି। ଗତ ଦୁଇ ଦିନ ହେଲା ବର୍ଷା କାରଣରୁ ରାସ୍ତା ସାରା ପଙ୍କକାଦୁଅ। ଖାଲରେ ପାଣି ଜମି ରହିଛି। ସେହିପରି ରାସ୍ତା କଡ଼ରେ କବାଡ଼ିଆମାନେ ଭଙ୍ଗାରୁଜା ଜିନିଷ ଗଦା କରି ରଖିଥିବାରୁ ରାସ୍ତା ସଂକୁଚିତ ହୋଇଯାଇଛି। ପଙ୍କକାଦୁଅ ସାଙ୍ଗକୁ ସଂକୁଚିତ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇରହିଛି। ଏନେଇ ସ୍ଥାନୀୟ କର୍ପୋରେଟର ପୁଷ୍ପାଞ୍ଜଳି ସେଠୀଙ୍କ କହିବା କଥା, ଏହି ରାସ୍ତା କାମ ଏବେ ସ୍ବରେଜ୍‌ ବୋର୍ଡ ଅଧୀନରେ ରହିଛି। ତେଣୁ ଶୀଘ୍ର କାମ ସାରିବାକୁ ସେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ।

ସମ୍ବନ୍ଧିତ ଖବର