ଆରମ୍ଭ ହେଲା ‘ଦ ପ୍ରାଇଡ୍ ଆଣ୍ଡ୍‌ ଗ୍ଲୋରି ଅଫ୍‌ ବାଲିଯାତ୍ରା’ ପ୍ରଦର୍ଶନୀ

ଭୁବନେଶ୍ବର: ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତ୍‌ନାମ୍‌ ଓ ଥାଇଲାଣ୍ଡ ସଂସ୍କୃତି ଓ ଐତିହ୍ୟରେ ଓଡ଼ିଶାର ବହୁ ସାଂସ୍କୃତିକ ପ୍ରଭାବ ରହିଛି। ସେଠାକାର କଳାକୃତିରେ ହେଉ କିମ୍ବା ପର୍ବପର୍ବାଣିରେ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳେ। ଓଡ଼ିଶାର ମହାନ ନୌବାଣିଜ୍ୟ ଐତିହ୍ୟ ଓ ସେ ସମୟରେ ଦକ୍ଷିଣ-ପୂର୍ବ ଏସିଆରେ ଏହାର ପ୍ରଭାବ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ରିସୋର୍ସ ଇଣ୍ଡିକା ପକ୍ଷରୁ ‘ଦ ପ୍ରାଇଡ୍‌ ଆଣ୍ଡ ଗ୍ଲୋରି ଅଫ୍‌ ବାଲିଯାତ୍ରା’ ପ୍ରକଳ୍ପ ଆରମ୍ଭ ହୋଇଛି। ଆଗକୁ ବାଲିଯାତ୍ରା ଆସୁଥିବାରୁ ‘ଓଡ଼ିଶା ପର୍ଯ୍ୟଟନ ବିଭାଗ’ ସହଭାଗିତାରେ ‘ରିସୋର୍ସ ଇଣ୍ଡିକା’ ପକ୍ଷରୁ ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତ୍‌ନାମ ଓ ଥାଇଲାଣ୍ଡ ସହିତ ଓଡ଼ିଶାର ସାଂସ୍କୃତିକ ପ୍ରଭାବ ସମ୍ବନ୍ଧୀୟ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆଜି ରାଷ୍ଟ୍ରୀୟ ଲଳିତ କଳା ଏକାଡେମି ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ସଚିବ ବିଶାଳ କୁମାର ଦେବ ଓ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥ ରେଜା ସୂର୍ଯ୍ୟଦିପୁରୋ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ଏକ କଫି ଟେବୁଲ ବୁକ୍‌ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀ ଆସନ୍ତା ୧୪ତାରିଖ ଯାଏ ଚାଲିବ।

ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ପ୍ରଭାବ ଏବଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ରୋମନ୍ଥନ କରିବା ପାଇଁ ‘ଦି ପ୍ରାଇଡ୍ ଆଣ୍ଡ୍ ଗ୍ଲୋରି ଅଫ୍ ବାଲିଯାତ୍ରା’ ଏକ ଅନନ୍ୟ ପରିକଳ୍ପନା। ରିସୋର୍ସ ଇଣ୍ଡିକାର ନିର୍ଦ୍ଦେଶକ ସୁଦୀପ ସେନ ଏବଂ ତାଙ୍କ ଦଳ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ସ୍ଥାନରେ ଗବେଷଣା କରି ସେଠାକାର ଲୋକମାନଙ୍କ ସହିତ ବାର୍ତ୍ତାଳାପ କରି ଓ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କରି ସଂଗ୍ରହ କରିଥିବା ଫଟୋଚିତ୍ରକୁ ନେଇ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ୨୦୧୩ ମସିହା ବାଲିଯାତ୍ରା ଅବସରରେ ‘କଟକ ନୌବାଣିଜ୍ୟ ସଂଗ୍ରହାଳୟ’ରେ ଏହାର ପ୍ରାରମ୍ଭିକ ଘଟଣାବଳୀ ସମ୍ବନ୍ଧୀୟ ସଭା ଅନୁଷ୍ଠିତ ହୋଇଥିଲା। ଏହା ପରେ ଇଣ୍ଡିଆନ୍ କାଉନସିଲ୍ ଫର୍ କଲଚରାଲ୍ ରିଲେସନ୍‌ସ୍‌ (ଆଇସିସିଆର୍), ଇଣ୍ଡିଆନ୍ ନ୍ୟାସ୍‌ନାଲ୍‌ ଟ୍ରଷ୍ଟ୍ ଫର୍ ଆର୍ଟ, କଲ୍‌ଚର୍ ଆଣ୍ଡ୍ ହେରିଟେଜ୍ (ଆଇଏନ୍‌ଟିଏସିଏଚ୍) ଏବଂ ଏସିଆଟିକ୍ ସୋସାଇଟିର ସହଭାଗିତାରେ ନୂଆଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱର ଆଦି ସହରଗୁଡ଼ିକରେ ଏଭଳି ପ୍ରଦର୍ଶନୀମାନ ଆୟୋଜନ କରାଯାଇଥିଲା। ଗତ ବର୍ଷ ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ ସହାୟତାରେ ‘ଭ୍ୟୁ ଫ୍ରମ୍‌ ଇଣ୍ଡୋନେସିଆ’ ଶୀର୍ଷକ ‘ଦି ପ୍ରାଇଡ୍ ଆଣ୍ଡ୍ ଗ୍ଲୋରି ଅଫ୍ ବାଲିଯାତ୍ରା’ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର